ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ସୁରକ୍ଷା ଦାବି କଲେ ମୃତକ ଜୟଶ୍ରୀ ମିଶ୍ରଙ୍କ ପରିବାର

ସମ୍ବଲପୁର: ବହୁଚର୍ଚ୍ଚିତ ସମ୍ବଲପୁରର ନନ୍ଦପଡ଼ା ନିବାସୀ ଜୟଶ୍ରୀ ମିଶ୍ରଙ୍କ ହତ୍ୟାକାଣ୍ଡ ଘଟଣାର ଶୁଣାଣି ଅର୍ନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ମାର୍ଚ୍ଚ ୮ ତାରିଖରେ ସମ୍ବଲପୁର ସ୍ଥିତ ଜିଲା ଅଦାଲତରେ ଶୁଣାଣି ଆରମ୍ଭ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ବସନ୍ତ ପଣ୍ଡା ଙ୍କୁ ସର୍ତ୍ତ ମୂଳକ ଜାମିନ ମିଳିଛି। ପୂର୍ବରୁ ୨ଟି ଜାମିନ ଆବେଦନ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଖାରଜ କରିଥିବା ବେଳେ ୩ୟ ଆବେଦନ ବିଏଲଏପିଏଲ/୬୪୧୪/୨୦୨୨ କୁ ଗ୍ରହଣ କରି ଶୁକ୍ରବାର ୩ ମାସ ପାଇଁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି।

ଏ ସର୍ମ୍ପକରେ ମୃତ ଜୟଶ୍ରୀ ମିଶ୍ରଙ୍କ ଝିଅ ବିଜୟିନୀ ମିଶ୍ର କହିଛନ୍ତି ଯେ, ଜାମିନ ମିଳିବା ଅଭିଯୁକ୍ତଙ୍କ ଅଧିକାର ହୋଇଥିବା ବେଳେ ତାଙ୍କୁ ଜାମିନ ମିଳିବା ଦ୍ୱାରା ଆମର ପରିବାର ଭୟଭୀତ। ଯେଉଁ ବ୍ୟକ୍ତି ହତ୍ୟା କରିବା ପରେ ୮ ବର୍ଷ ଫେରାର ଥିବା ବେଳେ ପରବର୍ତ୍ତୀ ସମୟରେ ଧରା ପଡ଼ି ଜେଲ ଯିବା ଏବଂ ପୁର୍ନବାର ବାହାରକୁ ବାହାରିବା ପରେ ଆମର ପରିବାର ସମେତ ପ୍ରମୁଖ ୨ ଜଣ ସାକ୍ଷୀ ମାନଙ୍କ ସୁରକ୍ଷାକୁ ନେଇ ବେଶ ଚିନ୍ତିତ। ଜାମିନରେ ଖଲାସ ହେବା ପରେ ଅଭିଯୁକ୍ତ କଣ ପଦକ୍ଷେପ ନେବ ଏବଂ ଅଭିଯୁକ୍ତ ଓ ସାକ୍ଷୀ ମାନଙ୍କର ଗ୍ରାମ ଗୋଟିଏ ହୋଇଥିବାରୁ ସେମାନଙ୍କ ସୁରକ୍ଷା ସହିତ ପରିବାରର ସୁରକ୍ଷାକୁ ପ୍ରମୁଖ ଚିନ୍ତାର ବିଷୟ ଅଟେ। ଏଣୁ ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସାକ୍ଷୀ ଓ ପରିବାର ର ସୁରକ୍ଷା ପାଇଁ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ଙ୍କୁ ସୂଚନା ଦିଆଯାଇଛି। ଏଥି ସହ ମାନ୍ୟବର ଅଦାଲତରେ ମଧ୍ୟ ସୁରକ୍ଷା ପାଇଁ ଆବେଦନ କରାଯିବ ବୋଲି ମୃତ ଜୟଶ୍ରୀ ମିଶ୍ରଙ୍କ ଝିଅ ବିଜୟିନୀ ମିଶ୍ର କହିଛନ୍ତି। ଏ ସର୍ମ୍ପକରେ ଟାଉନ ପୁଲିସକୁ ପଚରାଯିବାରୁ ଏ ପର୍ଯ୍ୟନ୍ତ ମାନ୍ୟବର ଅଦାଲତଙ୍କ ନିକଟରୁ କୌଣସି ଆଧିକାରିକ ନିର୍ଦ୍ଦେଶ ମିଳି ନ ଥିବାର କହିଛି।

ସୂଚନାଯୋଗ୍ୟ ଯେ, ବହୁଚର୍ଚ୍ଚିତ ଏହି ହତ୍ୟାକାଣ୍ଡ ମାମଲାରେ ମୃତ ଜୟଶ୍ରୀ ମିଶ୍ରଙ୍କ ଛୋଟ ଝିଅ ବିଜୟିନୀ ନିଜର ମାଁ ଙ୍କୁ ନ୍ୟାୟ ପ୍ରଦାନ ଏବଂ ହତ୍ୟାର ଅଭିଯୁକ୍ତ ବସନ୍ତ ପଣ୍ଡା ଙ୍କୁ ଆଇନ ଅନୁଯାୟୀ ତାଙ୍କର କର୍ମର ଦଣ୍ଡ ଦେବା ପାଇଁ ଗତ ୧୧ ବର୍ଷ ହେବ ସଂଘର୍ଷରତ ରହିଛନ୍ତି। ଗତ ୧୩ ଅକ୍ଟୋବର ୨୦୧୧ ମସିହାରେ ହତ୍ୟାର ଶିକାର ହୋଇଥିବା ଜୟଶ୍ରୀ ଙ୍କ ଝିଅ ବିଜୟିନୀ ଙ୍କୁ ଏଥି ପାଇଁ ଲମ୍ବା ସଂଘର୍ଷ ଓ ଅପେକ୍ଷା କରିବାକୁ ପଡ଼ିଥିଲା। ସମ୍ବଲପୁର ରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବ୍ୟବସ୍ଥାରେ ଥିବା ଅନେକ ନେତା, ମନ୍ତ୍ରୀ ମାନଙ୍କ ଠାରୁ ଆରମ୍ଭ କରି ପୁଲିସ ଅଧିକାରୀ ମାନଙ୍କ ପର୍ଯ୍ୟନ୍ତ ନ୍ୟାୟ ପାଇଁ ଅନେକ ଗୁହାରୀ କରିଛନ୍ତି। ଏହା ପରେ ବହୁ କଷ୍ଟରେ ସମ୍ବଲପୁରର ଟାଉନ ପୁଲିସ ରୁଜୁ କରିଥିବା ନିଖୋଜ ମାମଲା ୨୫/୨୦୧୧ ଉପରେ ତଦନ୍ତ ଆରମ୍ଭ କରିଥିଲା ଏବଂ ପରବର୍ତ୍ତୀ ସମୟରେ ଧାର ଟଙ୍କା ଫେରସ୍ତ ପାଇଁ ନିଖୋଜ ଜୟଶ୍ରୀ ମିଶ୍ରଙ୍କୁ ହତ୍ୟା କରାଯାଇଥିବାର ଜଣାପଡ଼ିବା ପରେ ଘଟଣାର ଦୀର୍ଘର୍ ୮ ବର୍ଷ ପରେ ଟାଉନ ଥାନାରେ ମାମଲା ସଂଖ୍ୟା ୨୮୯/୨୦୧୯ ଅନୁଯାୟୀ ମାମଲା ରୁଜୁ କରି ହତ୍ୟାକାରୀ ଅଭିଯୁକ୍ତ ବସନ୍ତ ପଣ୍ଡା ଙ୍କୁ ଜୁଲାଇ ମାସରେ ଗିରଫ କରିଥିଲା। ଏହା ପରେ ଅଭିଯୁକ୍ତ ଙ୍କ ସୂଚନାନୁଯାୟୀ ଜୟଶ୍ରୀ ଙ୍କ ହତ୍ୟା ପରେ ପୋତା ଯାଇଥିବା ସ୍ଥାନକୁ ସପ୍ତାହରୁ ଅଧିକ ସମୟ ଧରି ଖୋଳିବା ପରେ ତାଙ୍କର କଙ୍କାଳ ଜବତ କରିଥିଲା ଏବଂ ଅଭିଯୁକ୍ତଙ୍କୁ ଜେଲକୁ ପଠାଇଥିଲା।

Comments are closed.