ବେକାରୀ ସମସ୍ୟାକୁ ନେଇ ୟୁଥ ଫର ଆକ୍ସନର ତୀବ୍ର ବିରୋଧ ପ୍ରଦର୍ଶନ

ସମ୍ବଲପୁର: ରାଜ୍ୟରେ ଥିବା ବେକାରୀ ସମସ୍ୟା ସମେତ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ନିଯୁକ୍ତି ଦାବିରେ ଶୁକ୍ରବାର ସମ୍ବଲପୁର ଠାରେ ଉତ୍ତରାଞ୍ଚଳ ରାଜସ୍ୱ ଉପୟୁକ୍ତଙ୍କ କାର୍ଯ୍ୟାଳୟ ୟୁଥ ଫର ଆକ୍ସନ ଘେରାଉ କରିଛି। ସମ୍ବଲପୁରର ଜିଲାସ୍କୁଲ ଛକ ଠାରୁ ପୂର୍ବାହ୍ନରେ ଏକ ବିଶାଳ ରାଲିରେ ହଜାରରୁ ଉର୍ଦ୍ଧ ସଦସ୍ୟ ମାନେ ଭିଏସଏସ ମାର୍ଗ, ଲକ୍ଷ୍ମୀ ଟକିଜ ଛକ, ଗୋଲବଜାର ଛକ ଦେଇ ରାଜସ୍ୱ ଉପାୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖକୁ ଆସିଥିଲେ। ପ୍ରବଳ ନାରାବାଜି ଓ ତୀବ୍ର ବିରୋଧ ପ୍ରଦର୍ଶନ ପରେ ଆରଡିସିଙ୍କ କାର୍ଯ୍ୟାଳୟକୁ ବିକ୍ଷୋଭକାରୀ ମାନେ ଧସେଇ ହୋଇ ପ୍ରବେଶ କରିବାକୁ ଉଦ୍ୟମ କରିବାରୁ ପୁଲିସ ସହିତ ସେମାନଙ୍କ ପ୍ରବଳ ଧସ୍ତାଧସ୍ତି ହୋଇଥିଲା। ପ୍ରାୟ ୩୦ ମିନିଟ ପର୍ଯ୍ୟନ୍ତ ପ୍ରବଳ ବଳ କଷାକଶି ଓ ଧସ୍ତ।।ଧସ୍ତି ପରେ ବିକ୍ଷୋଭକାରୀ ମାନେ କାର୍ଯ୍ୟାଳୟ ସମ୍ମୁଖରେ ବସି ରହି ଧାରଣା ପ୍ରଦର୍ଶନ କରିଥିଲେ। ୟୁଥ ଫର ଆକ୍ସନ ପକ୍ଷରୁ ଆୟୋଜିତ ଏହି ଧାରଣା ପ୍ରଦର୍ଶନରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲାରୁ ସଦସ୍ୟ ମାନେ ସାମିଲ ହୋଇଥିଲେ।

ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଆରଡିସିଙ୍କ ଜରିଆରେ ଦିଆଯାଇଥିବା ଥିବା ଦାବିପତ୍ର ଅନୁଯାୟୀ, ସମ୍ବଲପୁର ସମେତ ସାରା ରାଜ୍ୟରେ ଗଢ଼ି ଉଠିଥିବା ଶିଳ୍ପାନୁଷ୍ଠାନ ଗୁଡିକର ପ୍ରତିଷ୍ଠା ସମୟରେ ସ୍ଥାନୀୟ ନିଯୁକ୍ତି ନେଇ ଯେଉଁ ସବୁ ଚୁକ୍ତିନାମା କରାଯାଇଥିଲା, ତାହାକୁ କମ୍ପାନୀ ମାନେ ଅଣଦେଖା କରି ଆସୁଛନ୍ତି। ରାଜ୍ୟ ସରକାର କମ୍ପାନୀ ମାନଙ୍କ ଉପରେ କୌଣସି ଲଗାମ ନ ଥିବାରୁ ଏଭଳି ହେଉଥିବାର ଅଭିଯୋଗ ସଙ୍ଗଠନ କରିଛି। ଏଥି ସହ ବିଗତ ଦିନରେ ରାଜ୍ୟ ସରକାର ଓ ମନ୍ତ୍ରୀ ମାନଙ୍କ ଦ୍ୱାରା ଦିଆଯାଉଥିବା ବିଭିନ୍ନ ସୂଚନାରେ ବେକାରୀ ଓ ନିଯୁକ୍ତି ମଧ୍ୟରେ ତାରତମ୍ୟ ରହୁ ନାହିଁ। କରୋନା ସମୟରେ କେବଳ ଗଞ୍ଜାମ ଜିଲାରେ ୮ ଲକ୍ଷରୁ ଉର୍ଦ୍ଧ ଦାଦନ ଖଟି ଯାଇଥିବା ବ୍ୟକ୍ତି ଫେରିଥିବା ବେଳେ ସାରା ରାଜ୍ୟର ସଂଖ୍ୟା ସରକାରଙ୍କ ନିକଟରେ ନାହିଁ। ଆଜିର ଦିନରେ ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବା ବେଳେ କେତେ ବେକାର ଯୁବକ / ବ୍ୟକ୍ତି ଦାଦନ ଖଟି ଯାଇଛନ୍ତି ତାହାର ସ୍ପଷ୍ଟ ସଂଖ୍ୟା ସରକାର ପ୍ରକାଶନ କରନ୍ତୁ। ସରକାର କମ୍ପାନୀ ମାନଙ୍କ ସହିତ କରିଥିବା ଚୁକ୍ତିନାମା ଗୁଡିକୁ କାର୍ଯ୍ୟକାରୀ କରି ସ୍ଥାନୀୟ ନିଯୁକ୍ତିର ସୁବ୍ୟବସ୍ଥା, ସ୍ଥାନୀୟ ନିଯୁକ୍ତି ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ, ନିୟମ ଉଲ୍ଲଂଘନକାରୀ କମ୍ପାନୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସଙ୍ଗଠନ ଦାବି କରିଛି। ସ୍ଥାନୀୟ ନିଯୁକ୍ତି ପ୍ରସଙ୍ଗରେ ଯଦି ସରକାର କୌଣସି ଠୋସ ପଦକ୍ଷେପ ନ ନିଅନ୍ତି ତାହା ହେଲେ ଆଗାମୀ ଦିନରେ ରାଜ୍ୟବ୍ୟାପି ଆନ୍ଦୋଳନ କରାଯିବ ବୋଲି ୟୁଥ ଫର ଆକ୍ସନ ତରଫରୁ ଚେତାବନୀ ଦିଆଯାଇଛି। ଏହି ବିରୋଧ ପ୍ରଦର୍ଶନରେ ସଙ୍ଗଠନର ରାଜ୍ୟ ସଭାପତି ଦେବାଶିଷ ନାୟକ, କାର୍ଯ୍ୟକାରୀ ସଭାପତି ସୁଜିତ ସିଂ, ଉପ ସଭାପତି ଅମ୍ଲାନ ଷଡଙ୍ଗୀ, ପଶ୍ଚିମ ଜୋନ ସଭାପତି ମାନସ ରଥ, ତପନ ପଟ୍ଟନାୟକ, ଭିକୁ ନାୟକ, ଦଶରଥ ବନଛୋର ସମେତ ହଜାରରୁ ଉର୍ଦ୍ଧ ସଦସ୍ୟ ସାମିଲ ହୋଇଥିଲେ।

Comments are closed.