ସମ୍ବଲପୁର: ସମ୍ବଲପୁର ମହାନଗର ନିଗମବାସୀ ବହୁବିଧ ସମସ୍ୟାର ସମ୍ମୁଖୀନ ପ୍ରତିଦିନ ହେଉଥିବା ବେଳେ ଗଳିକନ୍ଦିରୁ ନେଇ ପ୍ରମୁଖ ରାସ୍ତା ଗୁଡିକରେ ଅବରୋଧ ଗୁଡିକ ଯୋଗୁଁ ଯାତାୟାତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥଳରେ ମହାନଦୀର କଡରେ ଅବସ୍ଥିତ ମହାତ୍ମା ଗାନ୍ଧୀ ମାର୍ଗ (ରିଙ୍ଗ ରୋଡ) ରେ ଅନେକ ସ୍ଥାନରେ ରାସ୍ତା ସଙ୍କୁଚିତ ହୋଇ ରହିଥିବା ବେଳେ ସ୍ଥାନୀୟ ନିବାସୀ ମାନେ ସେଠାରେ ଗୃହ ନିର୍ମାଣ ଓ ଭଙ୍ଗା ସାମଗ୍ରୀ ଗୁଡିକ ଦିନ ଦିନ ଧରି ପକାଇ ରଖୁଛନ୍ତି। ଫଳରେ ଅନେକ ସମୟରେ ଯାତାୟାତ କରିବାରେ ଅସୁବିଧା ହେଉଥିବା ବେଳେ ଛୋଟ ଛୋଟ ଦୁର୍ଘଟଣାମାନ ଲାଗି ରହିଛି। ଏଭଳି ସ୍ଥଳରେ ଅନେକବାର ନିଗମବାସୀ ରାସ୍ତା ଗୁଡିକୁ ଅବରୁଦ୍ଧମୁକ୍ତ କରିବା ପାଇଁ ଦାବି କରୁଥିବା ବେଳେ କିନ୍ତୁ ନିଗମ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିଲା।
ତେବେ ରବିବାର ରାସ୍ତାକୁ ଅବରୁଦ୍ଧମୁକ୍ତ କରିବା ନିମନ୍ତେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ରାସ୍ତା ପାର୍ଶ୍ବରେ ପଡିଥିବା ଗେଟି, ବାଲି, ଗୃହ ଭଙ୍ଗା ଆବର୍ଜନା ଗୁଡିକୁ ଉଠାଇ ନିଆଯାଇ ଅବରୋଧ ମୁକ୍ତ କରାଯାଇଛି। ଏଭଳି ଅଭିଯାନକୁ ନିଗମବାସୀ ସ୍ୱାଗତ କରୁଥିବା ବେଳେ ନିୟମ ଉଲ୍ଲଙ୍ଘନକାରୀମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଏବଂ ଅଭିଯାନକୁ ନିୟମିତ କରାଯିବା ଉଚିତ ବୋଲି ମତ ପ୍ରକାଶ କରୁଛନ୍ତି।



