ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ଜୋର ଧରିଲା
ସମ୍ବଲପୁର : ପଶ୍ଚିମ ଓଡିଶା ହାଇକୋର୍ଟ ବେଞ୍ଚ ଦାବି ଜୋର ଧରିଛି। ମଙ୍ଗଳବାର ଦିନ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ସମ୍ବଲପୁର ଜିଲା ଓକିଲ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଗତ ୬ ତାରିଖରେ ରାଜ୍ୟ ସଚିବାଳୟରେ ସିଏସି ସହିତ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଓ ପ୍ରତିଶ୍ରୁତି ପାଳନରେ ଉଦାସୀନତା ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକର ନିଷ୍ପତ୍ତି ସମ୍ପର୍କରେ ଜିଲା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ବହିଦାର ସୂଚନା ଦେଇଛନ୍ତି ଯେ କେନ୍ଦ୍ରକୁ କଡ଼ା ଚିଠି ଲେଖିବି ବୋଲି ମୁଖ୍ୟମନ୍ତ୍ରୀ ନିଜେ ପ୍ରତିଶ୍ରୁତି ଦେଇଥିଲେ। ତେଣୁ ସିଏସି ତାଙ୍କୁ ଏଥି ପାଇଁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିଥିଲା। କିନ୍ତୁ ମାସ ସରିଗଲା ପଛେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିଲେ ନାହିଁ। ତେଣୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦେବା ପାଇଁ ସମ୍ବଲପୁର ଜିଲା ଓକିଲ ସଂଘ ଚଳିତ ମୌସୁମୀ ଅଧିବେଶନ ସମୟରେ ଏଠାକାର ସମସ୍ତ ପ୍ରକାର ବିଚାର ବିଭାଗୀୟ ଅଦାଲତକୁ ବନ୍ଦ କରିବ। ଗଣେଶ ପୂଜା ଓ ନୂଆଁଖାଇକୁ ଦୃଷ୍ଟିରେ ରଖି ଆସନ୍ତା କାଲି ଦିନ ବାଦ ଦେଇ ୬ ତାରିଖରୁ ସମ୍ବଲପୁରର ସବୁ ବିଚାର ବିଭାଗୀୟ ଓ ରାଜସ୍ୱ କୋର୍ଟକୁ ପିକେଟିଂ କରି ବନ୍ଦ କରାଯିବ। ୬ ତାରିଖରୁ ମୌସୁମୀ ଅଧିବେଶନ ଶେଷ ପର୍ଯ୍ୟନ୍ତ ଉପଜିଲାପାଳ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ନିର୍ବାହୀ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ, ସମବାୟ ଅଦାଲତ, ଶ୍ରମ ଅଦାଲତ, ଜିଲା ନିର୍ବାଚନ କାର୍ଯ୍ୟାଳୟ ଓ ଜିଲା ମାଜିଷ୍ଟ୍ରେଟଙ୍କ କୋର୍ଟ ଅଚଳ କରି ଦିଆଯିବ। ଅଧିବେଶନ ସମୟରେ ପ୍ରତି ଦିନ କଚେରୀ ଛକରେ ଗଣଧାରଣା ଦିଆଯିବ। ମୌସୁମୀ ଅଧିବେଶନ ପରେ ଜିଲା ଓକିଲ ସଂଘର ସାଧାରଣ ପରିଷଦ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବ ବୋଲି ଶ୍ରୀ ବହିଦାର ସୂଚନା ଦେଇଛନ୍ତି। ଆଜି ସାଧାରଣ ପରିଷଦ ବୈଠକରେ ଜିଲା ଓକିଲ ସଂଘର ସଭାପତି ବିଜିତେନ୍ଦ୍ରିୟ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସଂପାଦକ ପ୍ରବୀଣ ସିଂହଦେଓ ମଞ୍ଚାସୀନ ଥିଲେ। ପଶ୍ଚିମ ଓଡ଼ିଶାର ସମସ୍ତ ଜନ ପ୍ରତିନିଧି ଦଳମତ ନିର୍ବିଶେଷରେ ମୌସୁମୀ ଅଧିବେଶନରେ ବେଞ୍ଚ ଦାବି ଉପସ୍ଥାପନ କରିବାକୁ ଅନୁରୋଧ କରାଯାଇଛି। ଆଜି ବୈଠକରେ ସର୍ବଶ୍ରୀ ପ୍ରଦୀପ ବହିଦାର, ବିପିନ ବିହାରୀ ନାୟକ, ଆର୍ତ୍ତତ୍ରାଣ ମିଶ୍ର ପ୍ରମୁଖ ମତ ରଖିଥିଲେ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦିଗରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରିବାକୁ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବା ପାଇଁ ପଠାଇବାକୁ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଥିବା ବାର ସଂପାଦକ ଶ୍ରୀ ସିଂଦେଓ ଜଣାଇଛନ୍ତି। ପଶ୍ଚିମ ଓଡ଼ିଶା ଓକିଲ ସଂଘ କେନ୍ଦ୍ରିୟ କ୍ରିୟାନୁଷ୍ଠାନ କମିଟିର ଆବାହକ ଅଶୋକ ଦାଶ କହିଛନ୍ତି ଯେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ଦାବି ନେଇ ଯେକୌଣସି ଓକିଲ ସଂଘ ଆନ୍ଦୋଳନକୁ ତ୍ୱରାନ୍ୱିତ କଲେ ସିଏସି ତାକୁ ସ୍ୱାଗତ କରିବାକୁ ବହୁ ପୂର୍ବରୁ ନିଷ୍ପତ୍ତି ନେଇଛି। ସେ ଦୃଷ୍ଟିରୁ ସମ୍ବଲପୁର ଜିଲା ଓକିଲ ସଂଘର ଆଜିର ନିଷ୍ପତ୍ତିକୁ ସିଏସି ସମର୍ଥନ ଜଣାଉଛି ବୋଲି ଶ୍ରୀ ଦାଶ କହିଛନ୍ତି।
ସୁଚନାଯୋଗ୍ୟ ଯେ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ କଡ଼ା ଚିଠି ଲେଖିବେ ବୋଲି ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ କେନ୍ଦ୍ରିୟ କ୍ରିୟାନୁଷ୍ଠାନ କମିଟି ସହିତ ଗତ ଅଗଷ୍ଟ ୬ ତାରିଖ ଆଲୋଚନା ଅବସରରେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଇତି ମଧ୍ୟରେ ଦୀର୍ଘ ଏକ ମାସ ବିତି ସାରିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ନିଜ ପ୍ରତିଶ୍ରୁତି ରକ୍ଷା କରିନାହାନ୍ତି। ପଶ୍ଚିମ ଓଡ଼ିଶାର ନ୍ୟାଯ୍ୟ ଦାବି ପ୍ରତି ଗୁରୁତ୍ୱ ଦିଆ ନ ଯିବାର ପ୍ରତିବାଦ ସ୍ୱରୂପ ଚଳିତ ବିଧାନସଭା ମୌସୁମୀ ଅଧିବେଶନରେ କୋର୍ଟ ବର୍ଜନ କରିବାକୁ ମଙ୍ଗଳବାର ଦିନ ସମ୍ବଲପୁର ଜିଲା ଓକିଲ ସଂଘ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।