ଆମର ଆଧୁନିକ ସମାଜରେ ପ୍ଲାଷ୍ଟିକ ଏକ ଅତ୍ୟାବଶ୍ୟକ ସାମଗ୍ରୀ । ପ୍ଲାଷ୍ଟିକର ବ୍ୟବହାର ଓ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏ ବର୍ଷର ବିଶ୍ୱ ପରିବେଶ ଦିବସ ପାଳନର ଶୀର୍ଷକ ‘ପ୍ଲାଷ୍ଟିକ ପ୍ରଦୂଷଣ ଓ ଏହାର ନିରାକରଣ’ ରଖାଯାଇଛି।
ପ୍ଲାଷ୍ଟିକ ମୁଖ୍ୟତଃ ପେଟ୍ରୋଲିୟମ ଭଳି କିଛି ଜୀବାଶ୍ମ ଇନ୍ଧନ କଞ୍ଚାମାଲରୁ ପ୍ରସ୍ତୁତ ଏକ କୃତ୍ରିମ ସଂଶ୍ଳେଷିତ ପଦାର୍ଥ। ଏହାକୁ ତରଳ ଅବସ୍ଥାରେ ଛାଞ୍ଚରେ ଢଳେଇ ସହଜରେ ଯେକୌଣସି ରୂପରେଖ ଓ ଆକାର ପ୍ରଦାନ କରା ଯାଇପାରେ। ପ୍ଲାଷ୍ଟିକ ତିଆରି ସାମଗ୍ରୀ ଗୁଣରେ ହାଲୁକା, ଶସ୍ତା ଓ ମଜଭୁତ ହୋଇଥିବାରୁ ସମାଜରେ ଏହାର ଆଦର ଓ ଚାହିଦା ବୃଦ୍ଧି ପାଇଛି। ପ୍ଲାଷ୍ଟିକ ପ୍ରକୃତରେ ଏକ ନିର୍ଦିଷ୍ଟ ଅଣୁର ବହୁମାତ୍ରାରେ ପୁନରାବୃତ୍ତିଶୀଳ ଦୀର୍ଘ ଶୃଙ୍ଖଳ ବିଶିଷ୍ଟ ଏକ ରାସାୟନିକ ପଲିମର । ବିଶ୍ବର ପ୍ରଥମ ସମ୍ପୂର୍ଣ୍ଣ ସଂଶ୍ଳେଷିତ ପ୍ଲାଷ୍ଟିକ ୧୯୦୭ ମସିହାରେ ବେଲଜିୟମ ଦେଶର ଲିଓ ବେକେଲାଣ୍ଡ ନାମକ ଜଣେ ବୈଜ୍ଞାନିକ ପ୍ରସ୍ତୁତ କରି ପ୍ୟାଟେଣ୍ଟ ହାସଲ କରିଥିଲେ।
ପ୍ଲାଷ୍ଟିକ ବ୍ୟବହାରର ଏକ ବଡ଼ ପ୍ରତିକୂଳ ପ୍ରଭାବ ହେଉଛି ଏହା ଜୈବ ବିଘଟନଶୀଳ ନୁହେଁ; ଅର୍ଥାତ୍ ପରିବେଶରେ ଏହାର ଜୀବନକାଳ ଅତିଶୟ ଦୀର୍ଘ ହୋଇଥିବାରୁ ଏହା ବିଘଟିତ ହୋଇ ମାଟିରେ ମିଶିପାରେ ନାହିଁ । ସୁତରାଂ ପ୍ଲାଷ୍ଟିକ ଆବର୍ଜନାକୁ ସୁଚାରୁ ପରିଚାଳନା କରି ନିରାପଦ ଉପାୟରେ ପ୍ରକୃତିରେ ବିସର୍ଜନ କରିବା ଏକ ବଡ଼ ପରିବେଶୀୟ ସମସ୍ୟା ପାଲଟି ଯାଇଛି ।
୨୦୧୯ ମସିହା ସୁଦ୍ଧା ବିଶ୍ୱରେ ପ୍ରତି ବର୍ଷ ୩୬.୫ କୋଟି ଟନ୍ ପ୍ଲାଷ୍ଟିକ ଉତ୍ପାଦିତ ହେଉଛି। ଏଥି ମଧ୍ୟରୁ ସର୍ବାଧିକ ୫୧% ଭାଗ ଏସିଆ ମହାଦେଶରେ ଉତ୍ପାଦିତ ହେଉଛି । ଦିନକୁଦିନ ପ୍ଲାଷ୍ଟିକର ଉତ୍ପାଦନ ବୃଦ୍ଧି ପାଉଥିବାରୁ ଏହି ଧାରା ଅବ୍ୟାହତ ରହିଲେ ଆଗାମୀ ୨୦୫୦ ମସିହା ସୁଦ୍ଧା ବିଶ୍ୱରେ ସମୁଦାୟ ପ୍ଲାଷ୍ଟିକ ଉତ୍ପାଦନର ପରିମାଣ ପ୍ରତି ବର୍ଷ ୧୧୦ କୋଟି ଟନ୍ ଅଙ୍କକୁ ଅତିକ୍ରମ କରିଯିବ ବୋଲି ଆଶଙ୍କା ପ୍ରକାଶ କରାଯାଏ । ସମୁଦାୟ ବିଶ୍ୱ ପ୍ଲାଷ୍ଟିକ ଉତ୍ପାଦନର ମାତ୍ର ୯% ଭାଗ ପୁନଃଚକ୍ରୀକରଣ ହେଉଥିଲାବେଳେ କେବଳ ୧୨% ଭାଗକୁ ଭସ୍ମୀକରଣ ପ୍ରକ୍ରିୟା ଜରିଆରେ ପୋଡି ନଷ୍ଟ କରି ଦିଆଯାଏ । ସୁତରାଂ ପ୍ରାୟ ୭୯% ଭାଗ ପ୍ଲାଷ୍ଟିକ ବିଘଟିତ ନହୋଇ ଆମ ଜୈବମଣ୍ଡଳରେ ଜମା ହୋଇ ରହେ । ଏ କ୍ଷେତ୍ରରେ ଆଉ ଏକ ସମସ୍ୟା ହେଲା, ଏବେକାର ବ୍ୟସ୍ତବହୁଳ ଜୀବନଶୈଳୀରେ ମାତ୍ର ଥରୁଟିଏ ପାଇଁ ବ୍ୟବହାରଶୀଳ ପ୍ଲାଷ୍ଟିକର ବହୁଳ ପ୍ରସାର । ଆମେ ବ୍ୟବହାର କରୁଥିବା ପ୍ଲାଷ୍ଟିକରେ ନିର୍ମିତ ଡିସ୍ପୋଜେବୁଲ ଥାଳି, ଗିଲାସ, ଚାମଚ ଓ କପ୍ ଇତ୍ୟାଦି ସାମଗ୍ରୀକୁ ଥରେ ମାତ୍ର ବ୍ୟବହାର କରି ଫିଙ୍ଗି ଦିଆଯାଏ ଯାହା ଗୁରୁତର ପରିବେଶୀୟ ସମସ୍ୟା ସୃଷ୍ଟି କରିଥାଏ ।
ପ୍ଲାଷ୍ଟିକ ପ୍ରଦୂଷଣର ପ୍ରମୁଖ ଶିକାର ହେଉଛି ପୃଥିବୀର ସମୁଦ୍ର ଓ ମହାସମୁଦ୍ର । ଏକ ହିସାବରୁ ଜଣାଯାଏ ଯେ, ପ୍ରତି ବର୍ଷ ପ୍ରାୟ ୮୮ ଲକ୍ଷ ଟନ୍ ପ୍ଲାଷ୍ଟିକ ସାମଗ୍ରୀ ସମୁଦ୍ର ତଟବର୍ତ୍ତୀ ଅଧିବାସୀଙ୍କ ବ୍ୟବହାର ଯୋଗୁଁ ସମୁଦ୍ରରେ ଆବର୍ଜନା ରୂପେ ମିଶିଥାଏ । ଅର୍ଥାତ୍, ସମୁଦ୍ରରେ ପ୍ରତି ମିନିଟରେ ପ୍ରାୟ ୧ ଟନ୍ ପ୍ଲାଷ୍ଟିକ ଆବର୍ଜନା ମିଶୁଛି ଯାହା ଏକ ଟ୍ରକ ଭର୍ତ୍ତି ଆବର୍ଜନା ସଙ୍ଗେ ସମାନ । ଏହି ପ୍ଲାଷ୍ଟିକ ଆବର୍ଜନା ସମୟକ୍ରମେ ଭାଙ୍ଗି କ୍ଷୁଦ୍ର କ୍ଷୁଦ୍ର କଣିକାରେ ପରିଣତ ହୁଏ ଯାହାକୁ ‘ମାଇକ୍ରୋପ୍ଲାଷ୍ଟିକ’ କହନ୍ତି। ଏହା ଘଟଣାକ୍ରମେ ସାମୁଦ୍ରିକ ଖାଦ୍ୟ ଶୃଙ୍ଖଳରେ ପ୍ରବେଶ କରି ବିଭିନ୍ନ ଜଳଚର ଜୀବ ଯଥା ମାଛ, କଇଁଛ, ଡଲଫିନ୍, ତିମି, ସାମୁଦ୍ରିକ ପକ୍ଷୀଙ୍କ ଶରୀରକୁ ସଞ୍ଚାରିତ ହୁଏ। ଏହା ସେମାନଙ୍କ ପାକସ୍ଥଳୀରେ ଭରିଯିବା ହେତୁ ସେମାନଙ୍କ ଖାଦ୍ୟ ଗ୍ରହଣ କ୍ଷମତା ଗୁରୁତର ହ୍ରାସ ପାଇ ପରିଶେଷରେ େସମାନଙ୍କ ମୃତ୍ୟୁ ଘଟେ। ଏକ ହିସାବରୁ ଜଣାଯାଏ ଯେ, ସମୁଦ୍ରରେ ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁଁ ପ୍ରତି ବର୍ଷ ପ୍ରାୟ ୧ ଲକ୍ଷ ସାମୁଦ୍ରିକ ପକ୍ଷୀଙ୍କ ମୃତ୍ୟୁ ଘଟୁଛି। ଅନ୍ୟ ଏକ ଆକଳନରୁ ଜଣାଯାଏ ଯେ, ଏହି ଧାରା ଅବ୍ୟାହତ ରହିଲେ ଆଗାମୀ ୨୦୫୦ ମସିହା ବେଳକୁ ସମୁଦ୍ରରେ ବିସର୍ଜିତ ମୋଟ ପ୍ଲାଷ୍ଟିକର ଓଜନ ସମୁଦାୟ ମାଛଙ୍କ ଓଜନକୁ ମଧ୍ୟ ଟପିଯିବ ! ପ୍ଲାଷ୍ଟିକ ଜାତ କିଛି ପଦାର୍ଥ (ଯଥା ମାଛ ଧରିବା ପାଇଁ ସମୁଦ୍ରରେ ବିଛା ଯାଉଥିବା ଜାଲ) ସାମୁଦ୍ରିକ ଜୀବଙ୍କ ଶରୀରରେ ଗୁଡ଼ାଇ ହୋଇଯିବା ଦ୍ୱାରା ସେମାନଙ୍କ ଚଳପ୍ରଚଳ କ୍ଷମତା ଓ ଗତିଶୀଳତା ଯଥେଷ୍ଟ ହ୍ରାସ ପାଇ ପରିଶେଷରେ ସେମାନେ ଶିକାରୀ ଜୀବ ଦ୍ୱାରା ଶିକାର ହୋଇଥାନ୍ତି।
ପ୍ଲାଷ୍ଟିକ ଆବର୍ଜନା ଯୋଗୁଁ ମଧ୍ୟ ସ୍ଥଳଭାଗରେ ମୃତ୍ତିକା ପ୍ରଦୂଷଣ ଘଟୁଛି। ପ୍ଲାଷ୍ଟିକ ଆବର୍ଜନାକୁ ଖାଦ୍ୟ ବୋଲି ମନେକରି କିଛି ଜୀବ ଭକ୍ଷଣ କରିଥାନ୍ତି। ଏହା ସେମାନଙ୍କ ଅନ୍ତନାଳୀରେ ପ୍ରବେଶ କରି ଖାଦ୍ୟପଥକୁ ବନ୍ଦ କରିଦିଏ। ଏହା ମଧ୍ୟ ସମୟକ୍ରମେ ଛୋଟ ଛୋଟ ଖଣ୍ଡରେ ପରିଣତ ହୋଇ ରକ୍ତ ସଞ୍ଚାଳନ ପ୍ରକ୍ରିୟା ଜରିଆରେ ପ୍ରାଣୀର ଜୀବକୋଷରେ ପ୍ରବେଶ କରେ। ଏହା ଦ୍ୱାରା କର୍କଟ ରୋଗ ସୃଷ୍ଟି ହେବା ସାଙ୍ଗକୁ ହର୍ମୋନ୍ କ୍ଷରଣରେ ଅନିୟମିତତା ଉତ୍ପନ୍ନ ହୁଏ ଯାହା ସମୟକ୍ରମେ ପ୍ରାଣୀର ପ୍ରଜନନ କ୍ଷମତା, ବୃଦ୍ଧି ହାର ଓ ମାନସିକ ଅବଧାରଣା ପ୍ରକ୍ରିୟାକୁ ଗୁରୁତର ପ୍ରଭାବିତ କରେ। ପ୍ଲାଷ୍ଟିକଜାତ ପଦାର୍ଥ ମଧ୍ୟ ମାଟିରେ ପୋତି ହୋଇ ପଡିବା ଯୋଗୁଁ ମୃତ୍ତିକାର ଗୁଣବତ୍ତା କମିଯିବା ସାଙ୍ଗକୁ ମାଟିର ଜଳଧାରଣ କ୍ଷମତାର ହ୍ରାସ ଘଟିବା ସାଙ୍ଗକୁ ଭୂତଳ ଜଳ ଉତ୍ସର ଅବକ୍ଷୟ ଘଟୁଛି ।
ବିଶ୍ୱ ଜଳବାୟୁ ପରିବର୍ତ୍ତନରେ ମଧ୍ୟ ପ୍ଲାଷ୍ଟିକ ପ୍ରଦୂଷଣର ପ୍ରଚ୍ଛନ୍ନ ହାତ ରହିଛି। ଅଶୋଧିତ ପେଟ୍ରୋଲିୟମ୍ରୁ ପ୍ଲାଷ୍ଟିକ ଉତ୍ପାଦନ କରିବାକୁ ହେଲେ ଯେଉଁ ରାସାୟନିକ ପଦ୍ଧତି ଅବଲମ୍ବନ କରାଯାଏ ସେଥିରୁ ଅନେକ ବିଷାକ୍ତ ଓ ସବୁଜଘର ଗ୍ୟାସ୍ ଉତ୍ପନ୍ନ ହୋଇ ପରିବେଶକୁ ନିର୍ଗମନ ଘଟେ। ପୁଣି, ପ୍ଲାଷ୍ଟିକ ପଦାର୍ଥକୁ ଭସ୍ମୀକରଣ ପ୍ରକ୍ରିୟାରେ ପୋଡ଼ି ନଷ୍ଟ କରାଯିବା ଦ୍ୱାରା ମଧ୍ୟ ଅନେକ ସବୁଜଘର ଗ୍ୟାସ ବାୟୁମଣ୍ଡଳକୁ ନିର୍ଗତ ହୁଏ। ଗତ ୨୦୧୯ ମସିହାରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାଯାଏ ଯେ, ପ୍ଲାଷ୍ଟିକ ଉତ୍ପାଦନ ଓ ଭସ୍ମୀକରଣ ପ୍ରକ୍ରିୟା ଯୋଗୁଁ ବାୟୁମଣ୍ଡଳକୁ ସମୁଦାୟ ୮୫୦ ମିଲିୟନ ଟନ୍ ସବୁଜଘର ଗ୍ୟାସ ଉତ୍ସର୍ଜିତ ହୋଇଛି। ଆଗାମୀ ୨୦୫୦ ମସିହା ବେଳକୁ ଏହା ଆଶାତୀତ ବୃଦ୍ଧି ପାଇ କେବଳ ପ୍ଲାଷ୍ଟିକ ଯୋଗୁଁ ଉତ୍ସର୍ଜିତ ସବୁଜଘର ଗ୍ୟାସର ପରିମାଣ ସମୁଦାୟ ବିଶ୍ୱ ଉତ୍ସର୍ଜନର ୧୪% ମାତ୍ରାରେ ପହଞ୍ଚିବ ବୋଲି ଆଶଙ୍କା ପ୍ରକାଶ କରାଯାଏ। ଏହା ଦ୍ୱାରା ବିପୁଳ ସବୁଜଘର ଗ୍ୟାସ୍ ଯେ ଭବିଷ୍ୟତରେ ବିଶ୍ୱତାପନ ପ୍ରକ୍ରିୟାରେ ସହାୟକ ହୋଇ ବିଶ୍ୱ ଜଳବାୟୁ ପରିବର୍ତ୍ତନର ଧାରାକୁ ଘୋର ତ୍ୱରାନ୍ୱିତ କରିବ।
ପ୍ରତିକାର ସ୍ୱରୂପ, ଆମକୁ ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକର ବ୍ୟବହାର ହ୍ରାସ କରିବାକୁ ପଡ଼ିବ। ଆମକୁ ପ୍ଲାଷ୍ଟିକ ଓ ପଲିଥିନ ବ୍ୟାଗ୍ ପରିବର୍ତ୍ତେ କପଡ଼ା ତିଆରି ଥଳି କିମ୍ବା ଝୋଲା ବ୍ୟବହାର କରିବାକୁ ହେବ। ବୈଜ୍ଞାନିକମାନଙ୍କୁ ଅଣବିଘଟନଶୀଳ ପ୍ଲାଷ୍ଟିକ ପରିବର୍ତ୍ତେ ଜୈବବିଘଟନଶୀଳ ଓ ମାଟିରେ ସହଜରେ ମିଶି ପାରୁଥିବା ନୂତନ ପ୍ଲାଷ୍ଟିକ ବିକଶିତ କରିବାକୁ ହେବ। ଅଦରକାରୀ ପ୍ଲାଷ୍ଟିକ ସାମଗ୍ରୀକୁ ଫିଙ୍ଗି ନଦେଇ ସେଥିରୁ ପୁନଃଚକ୍ରୀକରଣ ପଦ୍ଧତି ମାଧ୍ୟମରେ ନୂତନ ପ୍ଲାଷ୍ଟିକ ଉପକରଣ ନିର୍ମାଣ କରିବାକୁ ପଡ଼ିବ। କିଛି ଅଦରକାରୀ ପ୍ଲାଷ୍ଟିକ ପଦାର୍ଥକୁ ମଧ୍ୟ ଦରକାରୀ ସାମଗ୍ରୀ ପ୍ରସ୍ତୁତି ପାଇଁ ପୁନଃବ୍ୟବହାର କରାଯାଇ ପାରିବ। ଥରୁଟିଏ ପାଇଁ ବ୍ୟବହାରଶୀଳ ପ୍ଲାଷ୍ଟିକ ପଦାର୍ଥକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ହେବ। ସୁତରାଂ ଆଗାମୀ ଦିନରେ ଏକ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ କରିବାକୁ ହେଲେ ବ୍ୟବହାର ହ୍ରାସ, ପୁନଃଚକ୍ରୀକରଣ ଓ ପୁନଃବ୍ୟବହାର ଆମର ମୂଳ ମନ୍ତ୍ର ହେବା ଉଚିତ।
ନିକୁଞ୍ଜ ବିହାରୀ ସାହୁ
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ
ଦୂରଭାଷ:୮୦୧୮୭୦୮୮୫୮


