ରାଜ୍ୟରେ ୪ ବର୍ଷରେ ବଢ଼ିଛି ୧୨୬୪ ବର୍ଗକିମି ଜଙ୍ଗଲ
ଝାରସୁଗୁଡ଼ା: ଜଙ୍ଗଲ ଆୟତନ ବୃଦ୍ଧି ସକାଶେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ଭାରତୀୟ ଜଙ୍ଗଲ ସର୍ବେକ୍ଷଣରେ ପ୍ରତିଫଳିତ ହୋଇଛି। ପ୍ରତି ୨ ବର୍ଷରେ ଥରେ ପ୍ରକାଶ ପାଉଥିବା ସର୍ବେକ୍ଷଣ ରିପୋର୍ଟର ସର୍ବଶେଷ ରିପୋର୍ଟ ୨୦୧୯ରେ ପ୍ରକାଶ ପାଇଥିଲା। ଯେଉଁଥିରେ ୨୦୧୭ ମସିହା ତୁଳନାରେ ୨୦୧୯ରେ ୦.୫୩ ପ୍ରତିଶତ ଅର୍ଥାତ୍ ୨୭୨ ବର୍ଗ କିଲୋମିଟର ଜଙ୍ଗଲ ଆୟତନ ବୃଦ୍ଧି ପାଇଛି। ତା’ ପୂର୍ବରୁ ୨୦୧୫ର ଜଙ୍ଗଲ ସର୍ବେକ୍ଷଣ ତୁଳନାରେ ୨୦୧୭ରେ ୦.୬୪ ପ୍ରତିଶତ ଅର୍ଥାତ୍ ୯୯୨ ବର୍ଗ କିଲୋମିଟର ଜଙ୍ଗଲ ଆୟତନ ବୃଦ୍ଧି ପାଇଥିବା ଜଣାପଡିଛି।
୨୦୧୫ରେ ଓଡ଼ିଶାର ଜଙ୍ଗଲ ଆୟତନ ୩୨.୩୪ ପ୍ରତିଶତ ଥିବା ବେଳେ ୨୦୧୭ରେ ଏହା ବୃଦ୍ଧି ପାଇ ୩୨.୯୮ ପ୍ରତିଶତକୁ ପହଞ୍ଚିଥିଲା। ୨୦୧୯ ମସିହାରେ ପ୍ରକାଶିତ ତଥ୍ୟେର ଏହି ଆୟତନ ୩୩.୧୫ ପ୍ରତିଶତ ରହିଛି। ତେଣୁ ଗତ ୪ ବର୍ଷରେ ରାଜ୍ୟରେ ୧୨୬୪ ବର୍ଗକିମି ଜଙ୍ଗଲ ବୃଦ୍ଧି ପାଇଥିବା ପ୍ରକାଶିତ ତଥ୍ୟରୁ ଜଣାପଡିଛି।
ଭାରତୀୟ ଜଙ୍ଗଲ ସର୍ବେକ୍ଷଣରୁ ମିଳିଥିବା ତଥ୍ୟ ଅନୁସାରେ ୨୦୧୭ ମସିହା ତୁଳନାରେ ୨୦୧୯ ମସିହାରେ କେବଳ ମାଲକାନଗିରି ଜିଲା ବ୍ୟତୀତ ସବୁ ଜିଲାରେ ସକାରାତ୍ମକ ଅଭିବୃଦ୍ଧି ରେକର୍ଡ କରାଯାଇଛି। ୨୦୧୯ରେ ରାଜ୍ୟର ସମୁଦାୟ ଭୂମି ୧ଲକ୍ଷ ୫୫ହଜାର ୭୦୭ବର୍ଗ କିଲୋମିଟର
ଥିବା ବେଳେ ୬୯୬୯ ବର୍ଗ କିଲୋମିଟରରେ ଘଞ୍ଚଜଙ୍ଗଲ, ୨୧ହଜାର ୫୫୨ବର୍ଗ କିଲୋମିଟରରେ ମଧ୍ୟମ ଘଞ୍ଚଜଙ୍ଗଲ ଓ ୨୩ହଜାର ୯୭ ବର୍ଗ କିଲୋମିଟରରେ ଖୋଲା ଜଙ୍ଗଲ ରହିଥିଲା। ତେଣୁ ଜଙ୍ଗଲଜମିର ପରିମାଣ ୫୧ହଜାର ୬୧୮ ବର୍ଗକିଲୋମିଟର ଥିଲା।
ଏହାପୂର୍ବରୁ ୨୦୧୭ ମସିହା ତଥ୍ୟ ଅନୁଯାୟୀ ୬୯୬୭ ବର୍ଗ କିଲୋମିଟର ଘଞ୍ଚ ଜଙ୍ଗଲ, ୨୧୩୭୦ ବର୍ଗକିମି ମଧ୍ୟମ ଘଞ୍ଚଜଙ୍ଗଲ ଓ ୨୩ ହଜାର ବର୍ଗକିମି ଖୋଲାଜଙ୍ଗଲ ରହିଥିଲା। ସମୁଦାୟ ୫୧ ହଜାର ୩୪୬ ବର୍ଗକିଲୋମିଟର ଜଙ୍ଗଲ ଥିବା ସର୍ବେକ୍ଷଣ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୧୯ର ଆକଳନ ଅନୁସାରେ କନ୍ଧମାଳ ଜିଲାରେ ସର୍ବାଧିକ ଜଙ୍ଗଲ ଆୟତନ ୬୫.୦୧ (୫୩୯୭ ବର୍ଗକିଲୋମିଟର) ପ୍ରତିଶତ ଥିବା ବେଳେ ଭଦ୍ରକ ଜିଲାରେ ସର୍ବନିମ୍ନ ୧.୩୪ (୭୮ ବର୍ଗକିଲୋମିଟର) ଜଙ୍ଗଲ ରହିଛି।
ଅନୁଗୋଳ ଜିଲାରେ ୨୭୮୨ ବର୍ଗ କିଲୋମିଟର ଜଙ୍ଗଲ ଅଛି, ଯାହାକି ସମୁଦାୟ ଭୂମିର ୪୩.୬୫ ପ୍ରତିଶତ । ଅନୁରୂପ ଭାବେ ବଲାଙ୍ଗିର ଜିଲାରେ ୧୧୩୫ ବର୍ଗ କିଲୋମିଟର ଜଙ୍ଗଲ ଥିବା ବେଳେ ୩୬.୬୪ ପ୍ରତିଶତ ଜଙ୍ଗଲ ଆୟତନ ରହିଛି। ବାଲେଶ୍ବର ଜିଲାରେ ୫.୮୨ ପ୍ରତିଶତ (୩୮୨ ବର୍ଗ କିଲୋମିଟର), ବରଗଡ଼ରେ ୨୭.୬୦ ପ୍ରତିଶତ (୧୦୫୦ ବର୍ଗକିମି), ବୌଦ୍ଧରେ ୫୧.୫୩ ପ୍ରତିଶତ (୧୨୯୧ ବର୍ଗକିମି), କଟକରେ ୨୦.୪୬ ପ୍ରତିଶତ (୮୦୪ ବର୍ଗକିମି), ଦେବଗଡ଼ରେ ୫୦.୨୩ ପ୍ରତିଶତ (୧୪୭୭ ବର୍ଗକିମି), ଢେଙ୍କାନାଳରେ ୩୨.୪୭ ପ୍ରତିଶତ (୧୪୪୫ ବର୍ଗକିମି), ଗଜପତିରେ ୫୮.୩୦ ପ୍ରତିଶତ (୨୫୨୧ ବର୍ଗକିମି), ଗଞ୍ଜାମରେ ୨୫.୬୬ ପ୍ରତିଶତ (୨୧୦୫ ବର୍ଗକିମି). ଜଗତ୍ସିଂହପୁରରେ ୮.୧୭ ପ୍ରତିଶତ (୧୩୬ ବର୍ଗକିମି), ଯାଜପୁରରେ ୧୦.୫୬ ପ୍ରତିଶତ (୩୦୬.୦୮ ବର୍ଗକିମି), ଝାରସୁଗୁଡ଼ାରେ ୧୫.୭୪ ପ୍ରତିଶତ (୩୩୨.୬୪ ବର୍ଗକିମି), କଳାହାଣ୍ଡିରେ ୩୦.୫୫ ପ୍ରତିଶତ (୨୪୨୦ ବର୍ଗକିମି), କେନ୍ଦ୍ରାପଡ଼ାରେ ୩.୮୮ ପ୍ରତିଶତ (୩୧୧ ବର୍ଗକିମି), କେନ୍ଦୁଝରରେ ୩୮.୮୦ ପ୍ରତିଶତ (୩୨୨୨ ବର୍ଗକିମି), ଖୋର୍ଦ୍ଧାରେ ୧୬.୬୦ ପ୍ରତିଶତ (୪୬୭ ବର୍ଗକିମି), କୋରାପୁଟରେ ୨୩.୮୩ ପ୍ରତିଶତ (୨୦୯୯ ବର୍ଗକିମି), ମାଲକାନଗିରିରେ ୪୦.୩୪ ପ୍ରତିଶତ (୨୩୩୬ ବର୍ଗକିମି), ମୟୁରଭଞ୍ଜରେ ୩୯.୩୦ ପ୍ରତିଶତ (୪୦୯୪ ବର୍ଗକିମି), ନବରଙ୍ଗପୁରରେ ୨୯.୪୮ ପ୍ରତିଶତ (୧୧୪୬ ବର୍ଗକିମି), ନୟାଗଡ଼ରେ ୪୪.୪୯ ପ୍ରତିଶତ (୧୭୧୩ ବର୍ଗକିମି), ନୂଆପଡ଼ାରେ ୨୪.୦୯ ପ୍ରତିଶତ (୧୨୭୪ ବର୍ଗକିମି), ପୁରୀରେ ୬.୪୭ ପ୍ରତିଶତ (୨୨୫ ବର୍ଗକିମି), ରାୟଗଡ଼ାରେ ୪୪.୪୯ ପ୍ରତିଶତ (୩୧୪୬ ବର୍ଗକିମି), ସମ୍ବଲପୁରରେ ୪୯.୭୦ ପ୍ରତିଶତ (୩୨୯୨ ବର୍ଗକିମି), ସୁନ୍ଦରଗଡ଼ରେ ୪୪ ପ୍ରତିଶତ (୪୨୭୩ ବର୍ଗକିମି) ଏବଂ ସୁବର୍ଣ୍ଣପୁର ଜିଲାରେ ୧୫.୦୧ ପ୍ରତିଶତ (୩୫୦ ବର୍ଗ କିମି) ଜଙ୍ଗଲ ରହିଥିବା ରିପୋର୍ଟରେ କୁହାଯାଇଛି।
ଗତ ୨ ଦଶନ୍ଧି ହେଲା ଜଙ୍ଗଲ ଅଞ୍ଚଳରେ ବନ ସୁରକ୍ଷା ସମିତି (ଭିଏସଏସ) ଗଠନ କରିବା ସହିତ ସଘନ ଜଙ୍ଗଲ ଯତ୍ନ ସକାଶେ କ୍ରମାଗତ ପଦକ୍ଷେପ ଗ୍ରହଣ କରାଯାଉଛି। ତେଣୁ ଏହାର ସୁଫଳ ମିଳିଥିବା ଅନୁଭୂତ ହେଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପଦା ହୋଇଯାଇଥିବା ଅନେକ ଜଙ୍ଗଲ ଏବେ ସବୁଜ ଅରଣ୍ୟରେ ପରିଣତ ହୋଇପାରିଛି। ଏହା ସତ୍ତ୍ବେ ଜଙ୍ଗଲ ପରିମାଣ ରାଜ୍ୟରେ ଉତ୍ସାହଜନକ ଭାବେ ବୃଦ୍ଧି ନ ପାଇ ପ୍ରତି ଦୁଇ ବର୍ଷରେ ମାତ୍ର ୦.୫୦ ପ୍ରତିଶତ ବୃଦ୍ଧି ପାଉଛି। ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ଏଥିପ୍ରତି ଅଧିକ ଗୁରୁତ୍ବ ଦେବାକୁ ବୁଦ୍ଧିଜୀବୀମହଲରେ ଦାବି ହେଉଛି।
Comments are closed.