ଜୀବନବାଦ ବା ଜୀବନଦର୍ଶନ କଥା ଆସିଲେ, ପ୍ରଥମେ ନିଜକୁ ଅର୍ଥାତ୍ ନିଜ ଜୀବନକୁ ଭଲ ପାଇବାର ଆବେଗିକ ଅନୁଚିନ୍ତା ସ୍ୱତଃ ମନକୁ ଆସେ। ସେଇ ଅନୁଚିନ୍ତାର ଅନ୍ତଃସ୍ୱର ବି ହୃଦୟତନ୍ତ୍ରୀରେ ଅନୁରଣିତ ହୁଏ। ଜୀବନ କାହା ପାଇଁ କେମିତି; ଏ ନେଇ ସବିଶେଷ ତଥ୍ୟ ସଂଗ୍ରହ କରିବା ସହଜ କଥା ନୁହେଁ। ଜୀବନ-ସଂଗ୍ରାମକୁ ସାମ୍ନା କରିବା କିମ୍ବା ଯୁଝିବାର ଉପାୟ ତଥା ଜୀବନ ନିର୍ବାହର ସାଧନ ସଭିଙ୍କର ସମାନ ନୁହେଁ। କାହା ପାଇଁ ଜୀବନ ସୁଖପ୍ରଦ, ଆନନ୍ଦ ଓ ଆରାମଦାୟକ ତ କାହା ପାଇଁ ଜୀବନ ଦୁଃଖପୂର୍ଣ୍ଣ, ସମସ୍ୟାବହୁଳ, ଯନ୍ତ୍ରଣାଜର୍ଜରିତ ! ଜୀବନରେ କିଏ ହାସଲ କରୁଛି ଅମାପ ଅର୍ଥ, ପ୍ରଚୁର କ୍ଷମତା, ଅବାଧ ପ୍ରତିପତ୍ତି ତ କିଏ ସବୁଥିରୁ ବଞ୍ଚିତ ହୋଇ ସର୍ବହରାର ଜୀବନ ବିତାଉଛି!
ଅନେକ କ୍ଷେତ୍ରରେ ବିରୋଧାଭାସ ବି ଦେଖିବାକୁ ମିଳେ। ଧନସମ୍ପଦ, ବିତ୍ତ ବିଭବ, କ୍ଷମତା, ପ୍ରାଚୁର୍ଯ୍ୟ, ଐଶ୍ୱର୍ଯ୍ୟ, ଭୋଗବିଳାସ, ଅୟସ ଭିତରେ ଜୀବନ ବିତାଉଥିବା ବ୍ୟକ୍ତି ଭିତରେ ବି ଶୂନ୍ୟତା, ଅସହାୟତା, ନିଃସଙ୍ଗତା, ଉପାୟଶୂନ୍ୟତାର ବିଷ ଚରିଯାଏ। ସୁଖ ଓ ସହଜ ଜୀବନ ପ୍ରକ୍ରିୟାରେ ଅପ୍ରତ୍ୟାଶିତ ଆସେ, ସମସ୍ୟା, ଆହ୍ୱାନ, ପ୍ରତିବନ୍ଧକ, ବିପଦ। ଏ ସବୁ ସଙ୍କଟକୁ ମୁକାବିଲା କରିବା ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ରଣାଙ୍ଗନରେ ଅବତୀର୍ଣ୍ଣ ହେବାକୁ ପଡିବ। ଆଉ ଯୁଝିବାକୁ ପଡିବ ଜୀବନ ସଂଗ୍ରାମ। ଅପରପକ୍ଷେ ଅଭାବ, ଅନଟନ, ଆର୍ତ୍ତି, ଦୁଃଖ ଯନ୍ତ୍ରଣା ଭୋଗୁଥିବା, ଅନ୍ୟାୟ, ଅନୀତି, ଦୁର୍ନୀତି ଅବିଚାରର ଶିକାର ହେଉଥିବା ବ୍ୟକ୍ତି ପ୍ରତିମୁହୂର୍ତ୍ତରେ ଯୁଝିଚାଲିଛି, ଜୀବନ ସଂଗ୍ରାମ ! ଅତଏବ ଏହା ସାର୍ବଜନୀନ ସତ୍ୟ ଯେ, ଆମେ ସମସ୍ତେ ଊଣାଅଧିକେ ଯୁଝିଚାଲିଛୁ ଆମ ନିଜନିଜର ଜୀବନ ସଂଗ୍ରାମ !
ସାଧାରଣତଃ ଏବେ ଦେଖାଯାଉଛି, ନିତି ପ୍ରତିଦିନ ସମ୍ବାଦ ବିସମ୍ବାଦ ରୂପ ନେଉଛି, ଘଟଣା ଦୁର୍ଘଟଣା ପାଲଟୁଛି ଯେ ଜୀବନରେ ସୁଖ, ଶାନ୍ତି, ଆନନ୍ଦ ଖୋଜୁଥିବା ବ୍ୟକ୍ତି, ଦୁଃଖ, ଅଶାନ୍ତି, ବିଷାଦ, ଅବସୋସ, ମନସ୍ତାପ ଭିତରେ ଧନ୍ଦିହେଉଛି। ଅନ୍ୟ ମୁହଁରେ ହସ ଫୁଟାଉଥିବା, ସମ୍ପର୍କ ଓ ବିଶ୍ୱାସର ସୁମନ ସାଉଣ୍ଟୁଥିବା, ଖୁସିର ଲଡ଼ୁ ବାଣ୍ଟୁଥିବା ବ୍ୟକ୍ତିଟି ଆତ୍ମହତ୍ୟା କରୁଛି। ପରିବାର ଭିତରେ କି ସମାଜରେ, ପରସ୍ପର ଭିତରେ ଉତ୍ତମ ବୁଝାମଣା, ସୁସମନ୍ୱୟ, ଆଦର୍ଶ, ମୂଲ୍ୟବୋଧର କଥା କହୁଥିବା ବ୍ୟକ୍ତିଟି କାହାର ନା କାହାର ରୋଷ, ଆକ୍ରୋଶର ଶିକାର ହେଉଛି, ଅନ୍ୟର ଅସହିଷ୍ଣୁତା, ଅଦଉତି, ଅପରିଣାମଦର୍ଶିତାର ଅକ୍ଟୋପସୀ ବେଷ୍ଟନୀ ଭିତରେ ବନ୍ଦୀ ହୋଇ ବିପଦଗ୍ରସ୍ତ ହେଉଛି କିମ୍ବା ସର୍ବନାଶୀ ସମୟ ପାଖରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଉଛି।
ଅନ୍ୟକୁ ଅନ୍ଧକାର ଭିତରୁ ଆଲୋକ ଆଡକୁ ବାଟ କଢେଇ ନେଉଥିବା ବ୍ୟକ୍ତି ନିଜେ ଅନ୍ଧକାର ଭିତରୁ ମୁକୁଳି ପାରେନାହିଁ। ‘ଦୀପ ତଳ ଅନ୍ଧାର’ ପରି ଅନ୍ୟକୁ ଆଲୋକିତ, ଉଦ୍ଭାସିତ କରୁଥିବା ବ୍ୟକ୍ତିର ନିକଟରୁ ଅନ୍ଧାର ହଟେନାହିଁ। ଅନ୍ୟକୁ ସଫଳତାର ଶୀର୍ଷରେ ପହଞ୍ଚେଇଥିବା ବ୍ୟକ୍ତି ନିଜେ ବିଫଳତାର ଗ୍ଳାନି ଓ ଅନ୍ତର୍ଦହନରେ ଘାରିହେଉଥାଏ ତମାମ୍ ଜୀବନ। ସବୁଠୁ ବଡ଼ ଚିନ୍ତା ଓ ଦୁର୍ଭାଗ୍ୟର ବିଷୟ ଯେ ଯାହାକୁ ନେଇ ଆମେ ଅନେକ କିଛି ଭାବୁ, ସ୍ବପ୍ନ ଦେଖୁ, ମନ କାନଭାସରେ ସମ୍ଭାବନାର ଚିତ୍ର ଆଙ୍କୁ, ସେ ହୁଏତ ଅତି ନିର୍ଦୟଭାବେ ଭୁଲିଯାଇପାରେ, ଆମର ତ୍ୟାଗ, ପରିଶ୍ରମ, ଅବଦାନ, ସ୍ନେହ, ଶୁଭେଚ୍ଛା, ଭଲ ପାଇବାକୁ। ଅବଜ୍ଞା, ଅସମ୍ମାନ, ହତାଦର କରି ଆମକୁ ଅଖୋଜା, ଅଲୋଡ଼ା ଭାବେ ଛାଡିଦେଇପାରେ, କେଉଁଠି ନା କେଉଁଠି, ପରିତ୍ୟକ୍ତ ଶିଳାଖଣ୍ଡ ସମ ! ଆପଣଙ୍କ ପାଖରେ ସବୁ ଥାଇ ବି ଆପଣ ବଞ୍ଚୁଥିବେ ଅନ୍ୟର ଇଙ୍ଗିତରେ, ଦୟାରେ, ଅନୁଗ୍ରହରେ। ଆପଣଙ୍କ ପାଖରେ ପୂର୍ଣ୍ଣ ମାଲିକାନା ଥାଇ ବି ଆପଣ ନିୟନ୍ତ୍ରିତ ହେଉଥିବେ ଅନ୍ୟର ମର୍ଜିରେ ! ଏମିତି ବି ହୁଏ,ସକାଳେ ଶେଯ ତେଜିବା ଆଗରୁ ଭାବ ଓ ଭକ୍ତିରେ ପ୍ରଭୁଙ୍କୁ ଆପଣ ଜଣାଣ କରୁଥିବେ, ‘ଦୟାକର ଦୀନବନ୍ଧୁ, ଶୁଭେ ଯାଉ ଆଜ ଦିନ’, ହେଲେ ସେଦିନଟି ଆପଣଙ୍କର ଶୁଭରେ ବା ଭଲରେ ବିତିବ ବୋଲି କିଛି ନିଶ୍ଚିତ ନୁହେଁ। ହୁଏତ ସେଦିନ ଘଟିବାକୁ ଥିବ; କିଛି ନା କିଛି ଅଘଟଣ, ବିପର୍ଯ୍ୟୟ!
ଭାବୁଥିବେ ଆପଣ, ‘ବୈକୁଣ୍ଠ ସମାନ ଆହା ଅଟେ ସେଇ ଘର’ ନ୍ୟାୟରେ ବାହାରେ ଦିନଯାକର କାମଧନ୍ଦା ଶେଷ କରି ସନ୍ଧ୍ୟା କି ରାତିରେ ଘରକୁ ଫେରିଲେ ଭୁଲିଯାଇହେବ ଉଭୟ ମାନସିକ ଓ ଶାରୀରିକ ଚାପ, କ୍ଳାନ୍ତି! ମିଳିଯିବ; ଶାନ୍ତି, ଆଶ୍ବସ୍ତି, ପରିତୃପ୍ତି ! ହେଲେ ଘରେ ପହଞ୍ଚିବା ମାତ୍ରେ ଅତି ଅପ୍ରତ୍ୟାଶିତ ଭାବେ ଘଟିଯାଇପାରେ, କିଛି ଅଘଟଣ, ବଢ଼ିଯାଇପାରେ ସମସ୍ୟା, ସାମ୍ନା କରିବାକୁ ପଡିପାରେ, ଆହ୍ୱାନ ! ସେଇ ଘଡ଼ିସନ୍ଧି ମୁହୂର୍ତ୍ତରେ ପାଟି ଖୋଲିଲେ ବିପଦ, ନିରବ ରହିଲେ ବି ବିପଦ ! ଅବାଞ୍ଛିତ ଆକ୍ରମଣ, ଅପ୍ରତ୍ୟାଶିତ ଅଘଟଣ, ଆସନ୍ନ ବିପଦ, ନିଶ୍ଚିତ ମୃତ୍ୟୁରୁ ବର୍ତ୍ତିଯାଇ ବଞ୍ଚିବା ବା ଜୀବନ ଜିଇବାର ଉପଲବ୍ଧି, ଓଃ ସତରେ ଅନନ୍ୟ, ଅସାଧାରଣ, ଅନିର୍ବଚନୀୟ! ବିଶ୍ୱ ମହାମାରୀ କରୋନାର କରାଳ କବ୍ଜାରୁ, ସମ୍ପ୍ରତି ଦେଶ ଦେଶ ମଧ୍ୟରେ ହେଉଥିବା ଯୁଦ୍ଧର ବିଭୀଷିକାରୁ, ଆତଙ୍କବାଦୀମାନଙ୍କର ଅମାନବୀୟ ନରସଂହାରରୁ, ମର୍ମନ୍ତୁଦ ବିମାନ ଓ ରେଳ ଦୁର୍ଘଟଣାରୁ ଏବଂ ଅନ୍ୟାନ୍ୟ ଭୟଙ୍କର ବିପଦ ଓ ବ୍ୟାଧିରୁ ବଞ୍ଚିଯାଇଥିବା ପୀଡିତ ଓ ଆକ୍ରାନ୍ତମାନଙ୍କୁ ପଚାରି ବୁଝିଲେ, ବେଶ୍ ଭଲ ଭାବରେ ବୁଝିହେବ; ଜୀବନର ମହାର୍ଘତା କେତେ, ବଞ୍ଚି ରହିବାର ଆନନ୍ଦ କେତେ ?
ସୁଧୀବୃନ୍ଦ, ବଞ୍ଚିରହିବା ଆମ ସଭିଙ୍କର ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର। ଏ ଅଧିକାରରୁ କେହି ଆମକୁ ବଞ୍ଚିତ କରିପାରିବେ ନାହିଁ। ତେବେ ବଞ୍ଚିରହିବାକୁ ହେଲେ ଜୀବନ ସଂଗ୍ରାମକୁ ଯୁଝିବାକୁ ଅଛି। ଏ ସଂଗ୍ରାମରେ ହାରିବା ଜିତିବା ଆମ ହାତର କଥା ନୁହେଁ। ଜୀବନ ଈଶ୍ବରଙ୍କ ସର୍ବଶ୍ରେଷ୍ଠ ଅବଦାନ। ଆତ୍ମହତ୍ୟା, ଅପମୃତ୍ୟୁ କି ମୃତ୍ୟୁ ନୁହେଁ, ବଞ୍ଚିରହିବା ପାଇଁ ଅନୁକୂଳ କ୍ଷେତ୍ର ସୃଷ୍ଟିକରିବା, ନିରନ୍ତର ପ୍ରଯତ୍ନ ଜାରିରଖିବା ଦରକାର। କାରଣ ସକଳ ବାଦ ବିବାଦ, ବିପଦ ଆପଦ, ଉତ୍ଥାନ ପତନର ଊର୍ଦ୍ଧ୍ୱରେ ଜୀବନ। ପ୍ରିୟତମ ଜୀବନ!
ସିଡିଏ, କଟକ



