ସମାଜ ଡିଜିଟାଲ ଡେସ୍କ: ପଞ୍ଜି ସ୍କିମ ଜରିଆରେ ଦେଶର ପ୍ରାୟ ୫ କୋଟି ଲୋକଙ୍କୁ ୪୯ ହଜାର କୋଟିରୁ ଅଧିକ ଟଙ୍କା ଠକିଥିବା ପର୍ଲ୍ସ ଆଗ୍ରୋ ଟେକ୍ କର୍ପୋରେସନ ଲିମିଟେଡ(ପିଏସିଏଲ)ର ନିର୍ଦେଶକ ଗୁରନାମ ସିଂହ ଗିରଫ ହୋଇଛନ୍ତି। ଉତ୍ତରପ୍ରଦେଶର ଅର୍ଥନୈତିଶକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଗୁରନାମଙ୍କୁ ପଞ୍ଜାବ ରୋପାର ଜିଲାରୁ ଗିରଫ କରିଛି। ଏହି ଠକେଇ ଦେଶ ସବୁଠୁ ବଡ଼ ଠକେଇଗୁଡ଼ିକ ମଧ୍ୟରୁ ଅନ୍ୟତମ।
ପିଏସିଏଲ ଅଧିକ ସୁଧ ଦେବାର ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ପଞ୍ଜି ସ୍କିମ ଜରିଆରେ ଟଙ୍କା ସଂଗ୍ରହ କରୁଥିଲା। ୨୦୧୧ ମସିହା ଏବଂ ଏହା ପରବର୍ତ୍ତୀ ସମୟରେ ଉତ୍ତରପ୍ରଦେଶ, ଆସାମ, ପଞ୍ଜାବ, ରାଜସ୍ଥାନ, ଦିଲ୍ଲୀ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, କେରଳ, ବିହାର ଏବଂ ଛତିଶଗଡ଼ ଆଦି ୧୦ ଜିଲାରୁ ନିବେଶକମାନଙ୍କଠାରୁ ୪୯ ହଜାର କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଥିଲା। ପରେ ସଂସ୍ଥା ସମସ୍ତ ସ୍କିମ ବନ୍ଦ କରି ଫେରାର ହୋଇଯାଇଥିଲା। ଉଭୟ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ମାମଲାର ତଦନ୍ତ କରୁଥିଲେ। ପୂର୍ବରୁ ଏହି ମାମଲାରେ ୪ ଜଣଙ୍କୁ ସିବିଆଇ ଗିରଫ କରିଥିବା ବେଳେ ଗୁରନାମ ଫେରାର ଥିଲେ।



