କେନ୍ଦ୍ର ସରକାର ସଂସଦରେ ଅନ୍ଲାଇନ୍ ଗେମିଂ ପ୍ରୋତ୍ସାହନ ଓ ନିୟନ୍ତ୍ରଣ ବିଧେୟକ ୨୦୨୫ ଗୃହୀତ କରାଇଛନ୍ତି। ଖୁବ୍ଶୀଘ୍ର ଏହାକୁ ଆଇନଗତ ସ୍ବୀକୃତି ମିଳିବ। ଫଳରେ ଭାରତରେ ଇ-ସ୍ପୋର୍ଟସ୍କୁ ଏକ ନୀତିଗତ ଖେଳର ମାନ୍ୟତା ମିଳିପାରିବ। ଏହି ବିଧେୟକ ଦ୍ବାରା ଦୁଇଟି ବଡ଼ ଫାଇଦା ହେବ। ପ୍ରଥମତଃ- ଅନ୍ଲାଇନ୍ ଗେମିଂ ଜରିଆରେ ଇ-କ୍ରୀଡ଼ା ଓ ସାମାଜିକ ଖେଳ(ସୋସିଆଲ ଗେମିଂ)କୁ ପ୍ରୋତ୍ସାହନ ମିଳିବ। ଏହାକୁ ଅଧିକ ବ୍ୟବସ୍ଥିତ ଓ ନୀତିଗତ ଢଙ୍ଗରେ କରାଯାଇପାରିବ। ଏ ନେଇ ଆଇନଗତ ସୁରକ୍ଷା ଓ ଉତ୍ତରଦାୟିତ୍ବ ମଧ୍ୟ ସରକାରଙ୍କ ପାଇଁ ରହିବ। ଏ ନେଇ କ୍ରୀଡ଼ା ମନ୍ତ୍ରଣାଳୟ ମାର୍ଗଦର୍ଶିକା ଜାରି କରିବା ସହ ଦେଶରେ ପ୍ରଶିକ୍ଷଣ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବ। ଇ-ସ୍ପୋର୍ଟସ୍କୁ ଜାତୀୟ ଖେଳ ନୀତିରେ ସାମିଲ କରିବା ଓ ଖେଳାଳିଙ୍କ ଲାଗି ପ୍ରୋତ୍ସାହନକାରୀ ଯୋଜନା ମଧ୍ୟ ଆରମ୍ଭ କରାଯିବ। ଇ-ସ୍ପୋର୍ଟ୍ସ ବିଶେଷକରି ଡିଜିଟାଲ ଭିତ୍ତିଭୂମିକୁ ସୁଦୃଢ କରିବା ସହ ନବସୃଜନକୁ ଅଧିକ ଗତି ପ୍ରଦାନ କରିବ। ଏଥିରେ ନିଯୁକ୍ତି ସୁଯୋଗ ମଧ୍ୟ ବ୍ୟାପକ ରହିଛି। ଆଧୁନିକ ଜ୍ଞାନକୌଶଳ ଜରିଆରେ ନୂଆ ନୂଆ ଆପ୍ଲିକେସନ୍କୁ ପ୍ରୟୋଗ କରାଯିବ।
ଅନ୍ୟପକ୍ଷରେ ଅନ୍ଲାଇନ୍ରେ ବର୍ଷ ବର୍ଷ ଧରି ଅନିୟନ୍ତ୍ରିତ ଭାବେ ଚାଲିଥିବା ଜୁଆ ଓ ଅର୍ଥଲଗାଣ ଖେଳ ସଂପୂର୍ଣ୍ଣ ନିଷିଦ୍ଧ ହୋଇପାରିବ। ପୂର୍ବରୁ ଏ ନେଇ କୌଣସି ଆଇନ ନଥିବାରୁ ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁ ନଥିଲା। ଦେଶରେ ଅନ୍ଲାଇନ୍ ଜୁଆ, ବେଟିଂ ଓ ରିୟଲ ମନି ଗେମ୍ସ ଆଦି ସଂପୂର୍ଣ୍ଣ ବନ୍ଦ ହୋଇପାରିବ। ଏ ଦିଗରେ ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ସଂସ୍ଥା ଜରିଆରେ ଉକ୍ତ ଅନ୍ଲାଇନ୍ ଖେଳ ନେଇ ଯେଉଁ ଅର୍ଥ ନେଣଦେଣ କରାଯାଉଥିଲା ତାହାକୁ ବନ୍ଦ କରାଯିବ। ବିଶେଷକରି ଆଇପିଏଲ୍ ପାଇଁ ଟିମ୍ ତିଆରି କରି ଅନ୍ଲାଇନ୍ରେ ଚାଲିଥିବା ଖେଳ ମଧ୍ୟ ବନ୍ଦ ହେବ। ଏଥିରେ ଯୁବପିଢିଙ୍କୁ ଛନ୍ଦି ଦାମୀ କାର୍ ଠାରୁ ବିପୁଳ ଆର୍ଥିକ ପୁରସ୍କାର ରାଶିର ଲୋଭ ତଥା ଆକର୍ଷଣ ଦେଖାଇ ଅଧିକ କ୍ରିକେଟ୍ ମନସ୍କ କରାଯାଉଥିଲା। ଏପରି କି ଏହି ଚକ୍କରରେ ଅନେକ ଯୁବଗୋଷ୍ଠୀ ଆର୍ଥିକ ଠକେଇର ମଧ୍ୟ ଶିକାର ହେଉଥିଲେ। ବିଭିନ୍ନ ଜାଲ୍ ଗେମିଂ ପ୍ଲାଟ୍ଫର୍ମ ଖୋଲି ସାଇବର ଠକେଇ ବଢୁଥିଲା। ବ୍ଲଡି ମ୍ୟାରୀ, ଫ୍ରିଫାୟାର ଭଳି ଅନେକ ଘାତକ ଅନ୍ଲାଇନ୍ ଗେମ୍ ଯୋଗୁଁ ଛୋଟ ପିଲାଙ୍କଠାରୁ ଯୁବଗୋଷ୍ଠୀଙ୍କ ପର୍ଯ୍ୟନ୍ତ ଅନେକ ଆକୃଷ୍ଟ ହୋଇ ଆତ୍ମହତ୍ୟା କରିବା ଭଳି ଘଟଣାଗୁଡିକ ସାମାଜିକ ଚିନ୍ତା ବଢାଇଥିଲା। ଏହା ପିଲାଙ୍କ ଭିତରେ ମାନସିକ ଅବସାଦ, ଚିଡିଚିଡାପଣ, ଅଧ୍ୟୟନ ପ୍ରତି ଅନାଗ୍ରହ ବୃଦ୍ଧି ଭଳି ଗୁରୁତର ମାନସିକ ଭାରସାମ୍ୟହାନୀ ସୃଷ୍ଟି କରୁଥିଲା। ମାନସିକ ସ୍ବାସ୍ଥ୍ୟ ବିଗାଡିବାରେ ଏଭଳି ଅନ୍ଲାଇନ୍ ଖେଳ ହିଁ ପ୍ରକାରାନ୍ତରେ ଦାୟୀ। ଡିଜିଟାଲ କ୍ରାନ୍ତି ଯୋଗୁଁ ଏଭଳି ବ୍ୟବସ୍ଥାରେ ନୂତନ ଆଇନରେ ଏଭଳି ଗେମ୍ିଂ ପ୍ଲାଟ୍ଫର୍ମ ଗୁଡିକୁ ସୂଚନା ପ୍ରଯୁକ୍ତି ଅଧିନିୟମ ୨୦୦୦ ଅନ୍ତର୍ଗତ ନିଷିଦ୍ଧ କରାଯାଉଛି।
ଆଉ ଏକ କଥା ହେଉଛି, ଏହି ବିଧେୟକର ପ୍ରଭାବ ସିଧାସଳଖ କ୍ରିକେଟ୍ ଓ ବିଜ୍ଞାପନ ଶିଳ୍ପ ଉପରେ ପଡିବ। ଡ୍ରିମ୍ ଇଲେଭେନ୍ ଟିମ୍ ଇଣ୍ଡିଆର ଟାଇଟଲ ପ୍ରାୟୋଜକ ଭାବେ ୩୫୮ କୋଟି ଟଙ୍କା ପାଇଥିଲା। ଏପରି କି ମାଏଁ ଇଲେଭେନ୍ ସର୍କଲରେ ଆଇପିଏଲ ପେଟେଣ୍ଟ ରୂପେ ୫ ବର୍ଷ ଲାଗି ୧୨୫ କୋଟି ଟଙ୍କା ନେଇଥିଲା। ତେଣୁ ଏଭଳି ଗେମିଂ ଉପରେ ଅଙ୍କୁଶ ଲାଗିବା ଦ୍ବାରା ବିଜ୍ଞାପନ କ୍ଷେତ୍ରରେ ୧୭ ହଜାର କୋଟି ଟଙ୍କାର କ୍ଷତି ହେବ। ଏହାର ପ୍ରଭାବ ଖେଳାଳି, ବ୍ୟକ୍ତିଗତ ପ୍ରାୟୋଜକ ଏବଂ କବାଡି ଓ ଫୁଟ୍ବଲ ଭଳି ଘରୋଇ ଲିଗ୍ସ ଉପରେ ପଡିପାରେ। ଯାହା ବି ହେଉ, ସମାଜ ଆଗକୁ ବଢିବା ଲାଗି ଅର୍ଥ ତ ଆବଶ୍ୟକ; ମାତ୍ର ଏହା ସମାଜ ଓ ବ୍ୟକ୍ତିର ମାନସିକ ଜୀବନ ଓ ସ୍ବାସ୍ଥ୍ୟ ଉପରେ ଯଦି ନକାରାତ୍ମକ ପ୍ରଭାବ ପକାଉଛି, ତାହା ନିଶ୍ଚିତ ବର୍ଜନୀୟ। ସରକାରଙ୍କ ଏଭଳି ଆଇନ ଆଣି ଅନ୍ଲାଇନ୍ ଖେଳ ନାଁରେ ଚାଲିଥିବା ବେଆଇନ ଆର୍ଥିକ କାରବାର ଓ ଆତ୍ମହତ୍ୟାକୁ ରୋକିବାର ପ୍ରୟାସ ଅଭିନନ୍ଦନୀୟ।



