ମାଛର ପାଣିପିଆ
ସମୟ ବଦଳିବା ସହ ଭାରତରେ ଦୁର୍ନୀତି କେବଳ ବହୁରୂପୀ ହୋଇନାହିଁ, ବହୁପ୍ରସ୍ଥୀ ମଧ୍ୟ ହୋଇଛି
ଗତ ଦୁଇ ତିନିବର୍ଷ ହେଲା ଓଡ଼ିଶା ସରକାର ରାଜ୍ୟର ‘ଦୁର୍ନୀତିଗ୍ରସ୍ତ’ ଓ ‘ଅପାରଗ’ ପ୍ରଶାସନିକ ଅଧିକାରୀ ଓ ଅନ୍ୟ ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଉଛନ୍ତି ଏବଂ ସେମାନଙ୍କର ସମ୍ପତ୍ତି ଜବତ କରୁଛନ୍ତି। ଗତ ବୁଧବାର ଏହିପରି ଭାବେ ୬ ଜଣ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି, ଯାହାଙ୍କ ମଧ୍ୟରେ ରହିଛନ୍ତି ନିର୍ବାହୀ ଯନ୍ତ୍ରୀ, ପୁଲିସ ଇନ୍ସପେକ୍ଟର, ଅତିରିକ୍ତ ଯୋଗାଣ ଅଧିକାରୀ ଏବଂ ଜିଲା କଲ୍ୟାଣ ଅଧିକାରୀ। ପଞ୍ଚମ ପାଳିର ବିଜେଡି ସରକାର ଅମଳରେ ଏ ପର୍ଯ୍ୟନ୍ତ ୧୫୮ ଜଣଙ୍କୁ ଏପରି ଦଣ୍ଡ ଦିଆଯାଇସାରିଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାର ମଧ୍ୟ ଗତ କିଛି ବର୍ଷ ହେଲା ବହୁ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀମାନଙ୍କୁ ଅବସର ସମୟ ପୂର୍ବରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ୨୦୨୦ ଫେବୃଆରୀରେ ଲୋକସଭାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଲିଖିତ ଉତ୍ତରରେ କୁହାଯାଇଥିଲା ଯେ ୨୦୧୪ରୁ ୨୦୧୯ ମଧ୍ୟରେ, ଅର୍ଥାତ ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ୧୬୩ ଗ୍ରୁପ୍-ଏ ଏବଂ ୧୫୭ ଜଣ ଗ୍ରୁପ୍ ବି ଅଧିକାରୀ; ଅର୍ଥାତ ମୋଟ ୩୨୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ଗ୍ରହଣ ନିର୍ଦେଶ ଦିଆଯାଇଥିଲା। ଏମାନଙ୍କ ଭିତରେ ବିଭିନ୍ନ ସେବାର ସର୍ବଭାରତୀୟ ଅଧିକାରୀ ମଧ୍ୟ ଅନ୍ତର୍ଭୁକ୍ତ।
କହିବା ବାହୁଲ୍ୟ ଯେ ଏପରି ପଦକ୍ଷେପ ଦ୍ବାରା ରାଜ୍ୟ ହେଉ ବା କେନ୍ଦ୍ର, ସରକାରଙ୍କ ‘ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା’ ଭାବମୂର୍ତ୍ତି ବେଶ୍ ଉଳ ହୋଇଛି। ଏଥିରେ ସନ୍ଦେହ ନାହିଁ ଯେ ସରକାର ଏବଂ ତାଙ୍କ ଅଧୀନରେ କାର୍ଯ୍ୟରତ ଦୁର୍ନୀତି ନିବାରଣ ସଂସ୍ଥାଗୁଡ଼ିକ ବିଳମ୍ବରେ ହେଲେ ମଧ୍ୟ ପୂର୍ବାପେକ୍ଷା କିଛିଟା ସକ୍ରିୟ ଜଣାପଡ଼ୁଛନ୍ତି ଏବଂ ନିଜର କର୍ତ୍ତବ୍ୟ ତୁଲାଉଛନ୍ତି। କିନ୍ତୁ କେତେ ଶହ ସରକାରୀ ଅଧିକାରୀ ବା କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ବା ଗିରଫ କଲେ ପ୍ରଶାସନରୁ ଦୁର୍ନୀତି ଦୂର ହୋଇଯିବ, ସେପରି ଭାବିବା ନିଶ୍ଚୟ ନିର୍ବୋଧତା; କାରଣ ଏହାରି ମୂଳରେ କେବଳ ପ୍ରଶାସନ ନୁହେଁ, ବରଂ ଅସଲ କ୍ଷମତାକେନ୍ଦ୍ରର ଦୁର୍ନୀତି ଅଧିକ ରହିଛି। ଉପରକୁ ଧୋବ ଫରଫର ଦେଖାଯାଉଥିଲେ ହେଁ ଯେଉଁମାନେ ବିଭିନ୍ନ ଅନୈତିକ ଉପାୟରେ ଅଜସ୍ର କଳାଧନ ଠୁଳ କରୁଛନ୍ତି, ସେମାନଙ୍କ ଭଣ୍ଡାରଘର ପ୍ରକୃତରେ ବଡ଼ବଡ଼ ଆର୍ଥିକ ଓ ଅନ୍ୟ ଦୁର୍ନୀତିର ପେଣ୍ଠସ୍ଥଳ। ସେଗୁଡ଼ିକୁ ବା ତା’ର ମାଲିକମାନଙ୍କୁ ଜବତ କରିବାକୁ ସରକାରଙ୍କ ଜୁ’ ପାଉନାହିଁ। ତେଣୁ ଦୁର୍ନୀତି ପ୍ରତି ସରକାରଙ୍କ ଶୂନ୍ୟ ସହନଶୀଳତା କେବଳ ଏକ ସ୍ବାର୍ଥକୈନ୍ଦ୍ରିକ ବ୍ୟାପାର, ଏହା ବୁଝିବା କଷ୍ଟକର ନୁହେଁ। ଯେ କୌଣସି ରାଜନୈତିକ ଦଳ ସରକାରରେ ଥା’ନ୍ତୁ ନା କାହିଁକି, ସେଗୁଡ଼ିକ ଯେ ଦୁର୍ନୀତି ଆହରିତ କଳାଧନରେ ପୁଷ୍ଟ, ଏହାକୁ କ’ଣ ସେମାନେ ଅସ୍ବୀକାର କରିପାରିବେ? ପୁଞ୍ଜି ଓ ରାଜନୀତିର ଅନୈତିକ ମେଣ୍ଟ ଦୁର୍ନୀତିର ମୁଖ୍ୟ ପ୍ରେରଣାଦାତା। ରାଜନୈତିକ ଦୁର୍ନୀତି ଏବଂ ଦୁର୍ନୀତିଗ୍ରସ୍ତ ଲୋକେ ଏ ଦେଶର ସବୁଠୁ ବଡ଼ ଶତ୍ରୁ। ତେଣୁ କେବଳ ସରକାର ତଥାକଥିତ ଶୂନ୍ୟ ସହନଶୀଳତା ଦେଖାଇଲେ ଦୁର୍ନୀତି ହଟିଯିବ, ତା’ ବି ନୁହେଁ। ଏଥିପାଇଁ ଏକ ସାମଗ୍ରିକ ଚେତନା ଲୋଡ଼ା, ଯାହା ବର୍ତ୍ତମାନ କେଉଁଠି ହେଲେ ଦେଖାଯାଉ ନାହିଁ।
ପ୍ରତିବର୍ଷ ବିଶ୍ବର ବିଭିନ୍ନ ଦେଶର ଦୁର୍ନୀତିକୁ ଏକାଧିକ ମାନଦଣ୍ଡରେ ପରଖି କ୍ରମାଙ୍କ ନିର୍ଦ୍ଧାରଣ କରୁଥିବା ଟ୍ରାନ୍ସପେରେନ୍ସି ଇଣ୍ଟରନେସନାଲ୍ ଜାନୁଆରୀ ୨୦୨୨ରେ ଉନ୍ମୋଚିତ ତା’ ରିପୋର୍ଟରେ ଭାରତକୁ ୮୫ତମ ସ୍ଥାନ ଦେଇଛି। ୨୦୨୧ରେ ଏହାର ସ୍ଥାନ ଥିଲା ୮୬। ଉଲ୍ଲେଖଯୋଗ୍ୟ ଯେ କ୍ରମାଙ୍କରେ ସାମାନ୍ୟ କମ୍ବେଶୀ ହେଲେ ହେଁ ଭାରତର ଦୁର୍ନୀତି ଧାରଣା ସୂଚକାଙ୍କ (ସିପିଆଇ ସ୍କୋର୍) ପ୍ରାୟତଃ ୪୦ ରହିଆସିଛି। ଏହି ସୂଚକାଙ୍କର ମାପଦଣ୍ଡ ୦ରୁ ୧୦୦ ଭିତରେ ରଖାଯାଏ, ଯେଉଁଠି ୦ ସର୍ବାଧିକ ଦୁର୍ନୀତିଗ୍ରସ୍ତ ଏବଂ ୧୦୦ ସମ୍ପୂର୍ଣ୍ଣ ଦୁର୍ନୀତିମୁକ୍ତ। ବିଶେଷତଃ ବିଶେଷଜ୍ଞ ଓ ବାଣିଜ୍ୟିକ ବ୍ୟକ୍ତିବିଶେଷଜ୍ଞଙ୍କ ମତକୁ ଆଧାର କରି ସରକାରୀ କ୍ଷେତ୍ରରେ ଦୁର୍ନୀତିର ସ୍ତର ନିର୍ଦ୍ଧାରଣ କରାଯାଏ। ଟ୍ରାନ୍ସପେରେନ୍ସି ଇଣ୍ଟରନ୍ୟାସନାଲର ଜଣେ ପ୍ରମୁଖ କର୍ମକର୍ତ୍ତା ଜେରେମି ପୋପ୍ କିଛି ବର୍ଷ ତଳେ ଦୁର୍ନୀତିର ସଂଜ୍ଞା ଦେଇ କହିଥିଲେ, ‘‘ନିଜର ଲାଭ ପାଇଁ ସରକାରୀ କ୍ଷମତା ବା ଅର୍ଥର ଦୁରୁପଯୋଗ ହେଉଛି ଦୁର୍ନୀତି।’’ କିନ୍ତୁ ସମୟ ବଦଳିବା ସହ ଦୁର୍ନୀତି କେବଳ ବହୁରୂପୀ ହୋଇନାହିଁ, ବହୁପ୍ରସ୍ଥୀ ମଧ୍ୟ ହୋଇଛି। ଆନୁମାନିକ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ରଚିତ କୌଟିଲ୍ୟଙ୍କ ‘ଅର୍ଥଶାସ୍ତ୍ର’ରେ ଦୁର୍ନୀତି ସମ୍ବନ୍ଧୀୟ ଯେଉଁ ଚିତ୍ରକଳ୍ପଟି ଦିଆଯାଇଛି, ତାହା ଏବେ ମଧ୍ୟ ମନେହୁଏ ବେଶ୍ ପ୍ରାସଙ୍ଗିକ: ‘‘ପାଣିରେ ପହଁରୁଥିବା ମାଛ କେତେବେଳେ ପାଣି ପିଉଛି, ତାହା ଜାଣିବା ଯେପରି ଅସମ୍ଭବ, ସରକାରୀ କାର୍ଯ୍ୟ କରୁଥିବା ସେବକ କେତେବେଳେ ସରକାରୀ ଅର୍ଥ ଚଳୁ କରୁଛି, ତାହା ଜାଣିବା ସେହିପରି ଅସମ୍ଭବ।’’ ଏକ ବୃହତ୍ତର ପରିପ୍ରେକ୍ଷରେ ଦେଖିଲେ ଏ ଚିତ୍ରକଳ୍ପଟି ଆଦୌ ଅସାର ମନେହୁଏ ନାହିଁ; କାରଣ ଏବେ ମଧ୍ୟ ପ୍ରତ୍ୟହ ଦୁର୍ନୀତିଗ୍ରସ୍ତ ଅଧିକାରୀ ଧରାପଡ଼ୁଛନ୍ତି ଓ ଗିରଫ ହେଉଛନ୍ତି ଏବଂ କାରାଗାରରୁ ମୁକୁଳିବା ପରେ ପୁଣି ଦୁର୍ନୀତି କରୁଛନ୍ତି। ଅନୀତି-ଦୁର୍ନୀତି ଯେଉଁ ଦେଶରେ ଏକ ସଂସ୍କୃତି ହୋଇସାରିଛି, ସେଇଠି ଯେ ପର୍ଯ୍ୟନ୍ତ ଲାଞ୍ଚଖିଆ ଅଧିକାରୀ ଓ ଲାଞ୍ଚଦିଆ ନାଗରିକ, ଉଭୟେ ଏଥିପ୍ରତି ଅସହ୍ୟ ଭାବନା ପୋଷଣ ନ କରିଛନ୍ତି, ସେ ପର୍ଯ୍ୟନ୍ତ ଦୁର୍ନୀତିରୁ ମୁକ୍ତି ଅସମ୍ଭବ।
Comments are closed.