www.samajalive.in
Saturday, December 6, 2025
16.1 C
Bhubaneswar

ସବୁ ଜିଲାରେ ଖୋଲିବ ‘ସମାଜ’ ରିଲିଫ କମିଟିର ଶାଖା

ସମ୍ବଲପୁର : ସେବା କରିବା ପାଇଁ ଧନସମ୍ପତ୍ତି ଦରକାର ହୁଏନାହିଁ। ନିଃସ୍ବାର୍ଥପର ସେବା ପାଇଁ ଦରକାର ହୁଏ ଆନ୍ତରିକ ସେବା ମନୋବୃତ୍ତି। ଯିଏ ନିଃସ୍ବ, ସିଏ ସବୁଠାରୁ ବଡ଼ ସେବକ ହୋଇପାରେ। ଓଡ଼ିଶାର ବରପୁତ୍ର ଗୋପବନ୍ଧୁ ଦାସ ହେଉଛନ୍ତି ଏହାର ସର୍ବଶ୍ରେଷ୍ଠ ଉଦାହରଣ, ସର୍ବୋତ୍ତମ ପ୍ରତୀକ। ଲୋକସେବକ ମଣ୍ଡଳ ଏବଂ ଦୈନିକ ‘ସମାଜ’ ପକ୍ଷରୁ ସମ୍ବଲପୁରରେ ଆୟୋଜିତ ହୋଇଥିବା ଓଡ଼ିଶା ପୁନଃନିର୍ମାଣ ଯୁବନେତୃତ୍ବ ଶ୍ରମ ଓ ସଂସ୍କାର ଶିବିର ଉଦଯାପନୀ ଅଧିବେଶନରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି ଦୀପକ ମାଲବ୍ୟ ଉପସ୍ଥିତ ଯୁବବର୍ଗଙ୍କୁ ଏହି ବାର୍ତ୍ତା ଦେଇଛନ୍ତି। ସ୍ଥାନୀୟ ଡଃ ରାଧାନାଥ ରଥ କମ୍ୟୁନିଟି ସେଣ୍ଟରରେ ଅନୁଷ୍ଠିତ ଏହି ଦୁଇ ଦିନିଆ ଯୁବ ସମାବେଶର ଉଦଯାପନ ଉତ୍ସବରେ ସଭାପତିତ୍ବ କରି ଶ୍ରୀ ମାଲବ୍ୟ କହିଛନ୍ତି ଯେ ଲୋକସେବକ ମଣ୍ଡଳ ପକ୍ଷରୁ ଓଡ଼ିଶା ପୁନଃନିର୍ମାଣ ଅଭିଯାନ ସମ୍ବଲପୁରରୁ ଆରମ୍ଭ ହୋଇଛି। ‘ସମାଜ’ ରିଲିଫ କମିଟିର ଶାଖା ସବୁ ଜିଲାରେ ଖୋଲିବ। ଏଠାରୁ ପ୍ରଶିକ୍ଷଣ ପାଇ ଯାଉଥିବା ଯୁବ ଗୋଷ୍ଠୀ ସେହି ଜିଲାସ୍ତରୀୟ ରିଲିଫ କମିଟି ଜରିଆରେ ଲୋକଙ୍କ ସେବା କରିବେ। ଯିଏ ଯେଉଁ କ୍ଷେତ୍ରରେ କାର୍ଯ୍ୟରତ ଥାଆନ୍ତୁ ନା କାହିଁକି ମନରେ ରାଷ୍ଟ୍ରନିର୍ମାଣ ପାଇଁ ଲକ୍ଷ୍ୟ ରଖନ୍ତୁ ବୋଲି ଶ୍ରୀ ମାଲବ୍ୟ ଆହ୍ବାନ ଦେଇଛନ୍ତି। ଯୁବ ଶିବିରର ଉଦଯାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇଅଇଏମ-ସମ୍ବଲପୁରର ନିର୍ଦେଶକ ମହାଦେବ ଜୟଶୱାଲ କହିଛନ୍ତି ଯେ ଓଡ଼ିଶା ପ୍ରାକୃତିକ ସମ୍ପଦରେ ଭରପୂର ହୋଇ ମଧ୍ୟ ବିକାଶ କ୍ଷେତ୍ରରେ ପଛୁଆ। କାରଣ ଶିକ୍ଷା ବ୍ୟବସ୍ଥାରେ କିଛି ତ୍ରୁଟି ଅଛି। ତାହା ହେଲା, ଯୁବ ସମାଜ ପାଖରେ ଡିଗ୍ରୀ ଅଛି ସିନା, ବୈଷୟିକ ଜ୍ଞାନକୌଶଳ ନାହିଁ। ଚାକିରି ଆଶାୟୀଙ୍କ ସଂଖ୍ୟା ବହୁତ। କିନ୍ତୁ ଚାକିରି ସୃଷ୍ଟିକାରୀଙ୍କ ସଂଖ୍ୟା କମ। ଇଂରାଜୀ ଭାଷାଜ୍ଞାନ ଦୁର୍ବଳ। ତେଣୁ ଯୁବବର୍ଗ ସେବାକାରୀ ହୋଇପାରୁଛନ୍ତି ସିନା, ମାଲିକ ହୋଇପାରୁନାହାନ୍ତି। ନିଜ ପାଇଁ ବଞ୍ଚିବା ଜୀବନ ନୁହେଁ। ଅନ୍ୟ ପାଇଁ ବଞ୍ଚିବା ହିଁ ପ୍ରକୃତ ଜୀବନ ବୋଲି ଶ୍ରୀ ଜୟଶ୍ବାଲ କହିଛନ୍ତି। ସମାଜର ତଳସ୍ତରର ଲୋକଙ୍କ ବିକାଶ ନ ହେବା ପର୍ଯ୍ୟନ୍ତ ରାଷ୍ଟ୍ରର ବିକାଶ ହୋଇପାରିବ ନାହିଁ ବୋଲି ଏହି ଯୁବ ଶିବିରର ନିର୍ଦେଶକ ମଧୁସୂଦନ ଦାସ କହିଥିଲେ। ପରବର୍ତ୍ତୀ ଯୁବ ଶିବିର କୋରାପୁଟରେ ଆ​​‌ୟୋଜିତ ହେବ ବୋଲି ​ ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ରାଜେନ୍ଦ୍ର କୁମାର ଜେନା ସୂଚନା ଦେଇଛନ୍ତି।
ଏହି ଅବସରରେ ବିଶିଷ୍ଟ ଚିକିତ୍ସକ ଡା.ନାରାୟଣୀ ପଣ୍ଡାଙ୍କୁ ଗୋପବନ୍ଧୁ ସେବା ସମ୍ମାନ ଓ ଯୁବ ଶିବିରର ନିର୍ଦେଶକ ମଧୁସୂଦନ ଦାସଙ୍କୁ ଗଙ୍ଗାଧର ମେହେର ସମ୍ମାନ ପ୍ରଦାନ କରାଯାଇଛି। ଏହା ସହିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଞ୍ଚଳର ୧୦୪ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଶାନ୍ତ ମହାନ୍ତି ଓ ଡା.ନାରାୟଣୀ ପଣ୍ଡା ଶିକ୍ଷା ସହାୟତା ରାଶି ପ୍ରଦାନ କରାଯାଇଛି। ​‌େ​‌ସହିପରି ସୋନପୁର ଜିଲାର ୪ ଜଣ ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଂଜିନିୟରିଂ ପଢ଼ିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଡା. ପଣ୍ଡା ଏଥି ପାଇଁ ଲୋକସେବକ ମଣ୍ଡଳକୁ ୭୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହି ଜମାରାଶିର ସୁଧରୁ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତିବର୍ଷ ଶିକ୍ଷା ସହାୟତା ଅର୍ଥ ପ୍ରଦାନ କରାଯିବ ବୋଲି ସୂଚନା​ ଦିଆଯାଇଛି। ଉଦଯାପନୀ ଉତ୍ସବରେ ଲୋକସେବକ ମଣ୍ଡଳ ସମ୍ବଲପୁର ଶାଖାର ସଚିବ ରଘୁନାଥ ମିଶ୍ର ସ୍ବାଗତ ଭାଷଣ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ‘ସମାଜ’ର ସହକାରୀ ଶାଖା ପରିଚାଳକ ସଦାଶିବ ମହାପାତ୍ର ଧନ୍ୟବାଦ ଦେଇଥିଲେ। ​‌େ​‌ଶଷରେ ଶିବିରାର୍ଥୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ଯୁବ ସମାବେଶ ଦ୍ବିତୀୟ ଦିବସର ପ୍ରଥମ ଅଧିବେଶନରେ ପରିବେଶ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାସ ମୁଖ୍ୟଅତିଥି ଏବଂ ପରିବେଶ ସହାୟକ ସାନିଟାରୀ ପ୍ୟାଡ ତିଆରି କରୁଥିବା ପାୟଲ ପଟେଲ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories