www.samajalive.in
Thursday, December 11, 2025
18.1 C
Bhubaneswar

ସାଲେପୁର ମାଟିରେ ଜାତିର ପିତାଙ୍କ ପଦଯାତ୍ରା

ଗାନ୍ଧୀଜୀ ହେଉଛନ୍ତି ବିଶ୍ୱର ଶାନ୍ତିଦୂତ। ଶାନ୍ତି ଓ ଅହିଂସା ମାଧ୍ୟମରେ ଅସହଯୋଗ ଆନ୍ଦୋଳନ କରି ଭାରତ ବର୍ଷକୁ ବ୍ରିଟିଶ୍‍ ସରକାରଙ୍କ ପରାଧିନତାରୁ ମୁକ୍ତ କରିବାରେ ଗାନ୍ଧୀଙ୍କ ଅବଦାନ ଅନନ୍ୟ। ଆଜି ଏକଥା ଶୁଣିଲେ ଯୁବପିଢୀଙ୍କୁ ସ୍ୱପ୍ନ ଭଳି ଲାଗୁଛି। ନିଜର ସୁଖ ସ୍ୱାଚ୍ଛନ୍ଦ୍ୟ ପରିତ୍ୟାଗ କରି ଜଣେ ସାଧାରଣ ମଣିଷ ଭାବରେ ଭାରତବର୍ଷ ସାରା ବୁଲିବୁଲି ଲୋକଙ୍କୁ ସଂଗଠିତ କରିବା ସହ ସ୍ୱାଧୀନତାର ମହାମନ୍ତ୍ର ଜାଗ୍ରତ କରିବାରେ ଗାନ୍ଧୀଙ୍କ ଭୂମିକା ଅନନ୍ୟ।
ଭାରତ ବର୍ଷର ଆତ୍ମା ଗ୍ରାମରେ ରହିଛି ବୋଲି ଅନୁଭବ କରି ଜାତିର ପିତା ମହାତ୍ମା ଗାନ୍ଧୀ ପଦଯାତ୍ରା କରିବାକୁ ନିଷ୍ପତ୍ତି ନେଇ ୧୯୩୪ ମସିହା ମଇ ମାସରେ ଓଡ଼ିଶାରେ ପଦଯାତ୍ରା କରିବାକୁ ନିଷ୍ପତ୍ତି ଗ୍ରହଣ କଲେ। ୧୯୩୪ ମସିହା ମଇ ମାସ ୮ ତାରିଖରେ ପୁରୀ ସିଂହଦ୍ୱାରଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କରି ସାଧାରଣସଭା କରିବା ସହ ପାଣ୍ଠି ସଂଗ୍ରହ କରିବା ପରେ ୯ ତାରିଖରୁ ପଦଯାତ୍ରାରେ ବାହାରି ବିଭିନ୍ନ ଦିବସରେ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଭା, ସମିତି ଆୟୋଜନ କରି ପାଣ୍ଠି ସଂଗ୍ରହ କରିବା ସହିତ ୧୩ ତାରିଖରେ ବାଳକାଟୀରୁ ସତ୍ୟଭାମାପୁର ଦେଇ ବାଲିଅନ୍ତାରେ ଅବସ୍ଥାନ, ୧୪ ତାରିଖ ମୌନ ଦିବସ ପାଳନ କରି ୧୫ ତାରିଖରେ ଦଳିତମାନଙ୍କୁ ସ୍ଥାନୀୟ ନିକୁଞ୍ଜ ବିହାରୀ ମନ୍ଦିରରେ ପ୍ରବେଶ କରାଇ ସମୂହ ପଂକ୍ତି ଭୋଜନରେ ଆପ୍ୟାୟିତ କରି ସମଗ୍ର ଭାରତ ବର୍ଷରେ ଏକ ନୂତନ ଉଦାହରଣ ସୃଷ୍ଟି କଲେ। ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ୨୦ ତାରିଖରେ ପାଟଣାରୁ ରେଳ ଯୋଗେ ଆସି ୨୧ ତାରିଖରେ ବଇରୀ ଷ୍ଟେସନ୍‍ରେ ପହଞ୍ଚି ପଦଯାତ୍ରାରେ ଚମ୍ପାପୁର ହାଟ ଆଗମନ ଓ ମୌନ ଦିବସ ପାଳନ। ୨୨ ତାରିଖରେ ଚମ୍ପାପୁରରୁ ଭେଡା ଅଭିମୁଖେ ଯାତ୍ରା କରି ସାଧାରଣ ସଭା ଓ ପାଣ୍ଠି ସଂଗ୍ରହ ଓ ଅବସ୍ଥାନ। ୨୩ ତାରିଖରେ ଭେଡାରୁ ଲକ୍ଷ୍ମଣପୁର (ଲଖନପୁର)ରେ ସଭା ଓ ପାଣ୍ଠି ସଂଗ୍ରହ କରିବା ସହ ଜନୈକ ଦଳିତ ବିକଳି ମଳିକଙ୍କ ଗୃହକୁ ଆଗମନ ପରିବାର ସହ ତାଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ତା’ପରେ ଲଖନପୁରରୁ ସତ୍ୟଭାମାପୁର ଆଗମନ ଏବଂ ଉତ୍କଳ ଗୌରବ ମଧୁବାବୁଙ୍କ ଜନ୍ମପୀଠରେ କିଛି ସମୟ ଅବସ୍ଥାନ କରି ସେଠାରେ ମଧ୍ୟାହ୍ନ ଭୋଜନ କରିବା ସହ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ଗୋପୀନାଥପୁର ଅଭିମୁଖେ ଯାଇ ସଭା କରି ପାଣ୍ଠି ସଂଗ୍ରହ କରିଥିଲେ। ୨୪ ତାରିଖରୁ ଗୋପୀନାଥପୁର, ବହୁକୁଦ, ବହୁକୁଦରୁ ଶିଶୁଆ ଯାତ୍ରା ଓ ଅବସ୍ଥାନ। ୨୫ ତାରିଖରେ ଶିଶୁଆରୁ ପାଟପୁର, ପାଟପୁରରେ ସଭା, ପାଣ୍ଠି ସଂଗ୍ରହ, କେନ୍ଦୁପାଟଣାରେ ତନ୍ତୀମାନଙ୍କ ଦ୍ୱାରା ଗାନ୍ଧୀଙ୍କୁ ସେମାନଙ୍କ ସମସ୍ୟା ସମ୍ପର୍କରେ ମାନପତ୍ର ପ୍ରଦାନ। ପାଟପୁରରୁ ନିଶ୍ଚିନ୍ତ କୋଇଲି ଯାତ୍ରା କରି ସେଠାରେ ଅବସ୍ଥାନ। ୨୬ ତାରିଖରେ ନିଶ୍ଚିନ୍ତକୋଇଲିରୁ କାକତିଆ, ସଲାରରେ ଅବସ୍ଥାନ। ୨୭ ତାରିଖରେ ସଲାରରୁ ଭଗବତୀପୁର ଓ ସଭା ସେଠାରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଇ ସଭା କାର୍ଯ୍ୟ ସହିତ ପାଣ୍ଠିସଂଗ୍ରହ ଓ ଅବସ୍ଥାନ କରିବା ସହିତ ବିଭିନ୍ନ ଦିବସରେ ବିଭିନ୍ନ ସ୍ଥାନକୁ ଗସ୍ତ କରି ଭଦ୍ରକରେ କାର୍ଯ୍ୟକ୍ରମ ସାରି ଜୁନ୍‍ ୮ ତାରିଖରେ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କଲେ। ତାଙ୍କ ଗସ୍ତ କାଳରେ ସାଲେପୁର ପଦଯାତ୍ରା ଥିଲା ଗୁରୁତ୍ୱପୂର୍ଣ୍ଣ। ଦଳିତ ଓ ନିଷ୍ପେସିତ ସାଧାରଣ ମଣିଷ କିପରି ଜୀବନ ଜୀବିକା ନିର୍ବାହ କରୁଛନ୍ତି ତାହାକୁ ସେ ନିକଟରେ ଅନୁଭବ କରିଥିଲେ ଓ ଏହି ଲୋକମାନଙ୍କର କିପରି ଜୀବନ ଜୀବିକା ସୁରକ୍ଷିତ ହେବ ସେଥିପାଇଁ ସେ ସବୁବେଳେ ଚିନ୍ତିତ ଥିଲେ।
ତତ୍କାଳୀନ ଓଡ଼ିଶାରେ ଗାଁରେ ଗାଁରେ ଅସ୍ପୃଶ୍ୟତା ଭରି ରହିବା ସହିତ ସବର୍ଣ୍ଣ, ଅସବର୍ଣ୍ଣଙ୍କ ମଧ୍ୟରେ ଉଚ୍ଚ, ନୀଚ୍ଚ ଭେଦଭାବ ରହିବା ସହିତ ଧର୍ମ ଧର୍ମ ମଧ୍ୟରେ ବିଭେଦ ରହିଥିଲା। ଅସବର୍ଣ୍ଣମାନଙ୍କ ମଧ୍ୟରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ସଂକୀର୍ଣ୍ଣ ଜାତିପ୍ରଥା ରହିଥିଲା ଓ କେହି କାହା ସହିତ ଛୁଆଁଛୁଇଁ ହେଉନଥିଲେ। ଏହି ବିଭେଦତା କାରଣରୁ ଭାରତ ବର୍ଷରେ ଜନସାଧାରଣଙ୍କ ମଧ୍ୟରେ ଐକ୍ୟ ଭାବନା ପରାହତ ହୋଇଥିଲା। ତେଣୁ ସମସ୍ତଙ୍କ ମଧ୍ୟରେ ଏକାତ୍ମ୍ୟତା, ପାରସ୍ପରିକ ଭାତୃଭାବ ପ୍ରତିଷ୍ଠା, ଧର୍ମ ନିରପେକ୍ଷତା ଅବଲମ୍ବନ ପୂର୍ବକ ଅସ୍ପୃଶ୍ୟତା ନିବାରଣ ପାଇଁ ଗାନ୍ଧିଜୀ ନିଜ ପଦଯାତ୍ରାରେ ସମସ୍ତ ବର୍ଗର ଜନସାଧାରଣଙ୍କୁ ସାମିଲ୍‍ କରିଥିଲେ। ଗାନ୍ଧିଜୀ ନିଜେ ପଦଯାତ୍ରାରେ ଗଲାବେଳେ ଗାଁ ଗଣ୍ଡାର ଦୟନୀୟ ସ୍ଥିତିକୁ ସ୍ୱଚକ୍ଷୁରେ ଅବଲମ୍ବନ କରିଥିଲେ ଓ ଲୋକଙ୍କ ଦାରିଦ୍ର୍ୟ ତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା। ଲୋକଙ୍କ ଦାରିଦ୍ର୍ୟ କିପରି ଦୂରୀକରଣ ହୋଇପାରିବ ସେଥିପାଇଁ ସେ ଗଭୀର ଭାବରେ ଚିନ୍ତିତ ଥିଲେ। ତାଙ୍କ ପଦଯାତ୍ରା ଅନ୍ୟ ଏକ ଉଦ୍ଦେଶ୍ୟ ଥିଲା ଗାଁ ଗାଁରେ ଥିବା ଜାତିଭେଦକୁ ଦୂର କରି ଅସ୍ପୃଶ୍ୟତା ନିବାରଣ ଓ ପରସ୍ପର ମଧ୍ୟରେ ଭାତୃଭାବ ପ୍ରତିଷ୍ଠା। ଗାନ୍ଧିଜୀଙ୍କ ସହିତ ପଦଯାତ୍ରାରେ ଭାରତବର୍ଷର ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଯୋଗଦାନ କରିଥିଲେ। ଅଲ ଇଣ୍ଡିଆ ହରିଜନ ସେବକ ସଂଘ ସଭାପତି ତଥା ବିଶିଷ୍ଟ ଶିଳ୍ପପତି ଘନଶ୍ୟାମ ଦାସବିର୍ଲା, ଅମ୍ରିତଲାଲ୍‍ ଠକ୍‍ର (ଠକ୍‍ର ବାପା), ମୀରାବେନ୍‍, ସୁଶୀଳାବେନ୍‍, ଶିଳ୍ପପତି ଯମୁନାଲ୍‍ ବଜାଜଙ୍କ କନ୍ୟା ଉମା ବଜାଜ୍‍, ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପତ୍ନୀ ପ୍ରଭାବତୀ ଦେବୀ, ବାଲାଜୀ ଗୋବିନ୍ଦଜୀ ଦେଶାଇ, ଦାମୋଦର ଦାସ, କାକା କାଲେକର, ଜର୍ମାନୀ ସାମ୍ବାଦିକ କେ. ଜୁଟୋ, ଓଡ଼ିଶାରେ ଋଷିପ୍ରାଣ ଗୋପବନ୍ଧୁ ଚୌଧୁରୀ, ପୂଜ୍ୟା ରମାଦେବୀ, ଉତ୍କଳକେଶରୀ ହରେକୃଷ୍ଣ ମହତାବ, ପଣ୍ଡିତ ନୀଳକଣ୍ଠ ଦାସ, ରାଜକୃଷ୍ଣ ବୋଷ, ଯଦୁମଣି ମଙ୍ଗରାଜ, ସତ୍ୟନାରାୟଣ ସେନ୍‍ଗୁପ୍ତା, ବିଚିତ୍ରାନନ୍ଦ ଦାସ, ସୁରେନ୍ଦ୍ର ପଟ୍ଟନାୟକ, ସହଦେବ ଦାସ, ଗଜେନ୍ଦ୍ରନାଥ ଦାସ, ନନ୍ଦକିଶୋର ଦାସ, କରୁଣାକର ପାଣିଗ୍ରାହୀ (ମାନ୍ୟବର ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ପିତାମହ), କବିରାଜ ବାଲୁଙ୍କେଶ୍ୱର ଆଚାର୍ଯ୍ୟ, ଲକ୍ଷ୍ମୀନାରାୟଣ ମିଶ୍ର, ‘ସମାଜ’ର ପୂର୍ବତନ ସମ୍ପାଦକ ରାଧାନାଥ ରଥ, ଗୁଣନିଧି ମହାନ୍ତି ପ୍ରମୁଖ ଏହି ପଦଯାତ୍ରାରେ ସାମିଲ୍‍ ହୋଇ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଥିଲେ। ଜ୍ଞାନମଣ୍ଡଳର ପ୍ରଣେତା ବିନୋଦ କାନୁନ୍‍ଗୋ ପ୍ରତ୍ୟେକ କାର୍ଯ୍ୟକ୍ରମର ବିବରଣୀ ଲିପିବଦ୍ଧ କରି ଗଣମାଧ୍ୟମକୁ ପ୍ରେରଣ କରୁଥିଲେ।
ଗାନ୍ଧିଜୀଙ୍କ ଅସ୍ପୃଶ୍ୟତା ନିରାକରଣ ପଦକ୍ଷେପକୁ ସନାତନ ଧର୍ମରକ୍ଷୀ ସଭା ତରଫରୁ ଘୋର ବିରୋଧ କରାଯାଉଥିଲେ ମଧ୍ୟ ଜନସାଧାରଣଙ୍କର ଗାନ୍ଧିଜୀଙ୍କ ପ୍ରତି ଥିବା ଅକୁଣ୍ଠିତ ସମର୍ଥନକୁ ଦେଖି କେହି ପ୍ରତ୍ୟକ୍ଷଭାବେ ବିରୋଧ କରିବାକୁ ସାହସ କରିପାରୁ ନଥିଲେ। ଗାନ୍ଧିଜୀଙ୍କ ପଦଯାତ୍ରାରେ ଜମିଦାର, ଧନାଢ୍ୟ, ଶିକ୍ଷିତ, ସ୍ୱାଧୀନଚେତା ଯୁବବର୍ଗ, ମା’ ଭଉଣୀମାନେ ସାମିଲ୍‍ ହେବା ସହ ତାଙ୍କୁ ଦେଖିବା ପାଇଁ ଚାଲି ଚାଲି ବା ଶଗଡ଼ ଗାଡ଼ିରେ ବହୁ ସଂଖ୍ୟାରେ ମହିଳାମାନେ ଛୁଆପିଲାଙ୍କୁ ଧରି ମଧ୍ୟ ଆସୁଥିଲେ। ଗାନ୍ଧିଜୀଙ୍କ ପଦଯାତ୍ରା ସମୟରେ ଓ ସେ ରାତ୍ରିରେ ଅବସ୍ଥାନ କରୁଥିବା ସ୍ଥାନରେ ପରିମଳ ବ୍ୟବସ୍ଥା ପାଇଁ ପାଇଖାନା ବ୍ୟବସ୍ଥା କରିବା ପାଇଁ ଲୋକମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଗାନ୍ଧିଜୀଙ୍କ ପଦଯାତ୍ରାର ଟିକିନିଖି ବିବରଣୀ ତତ୍କାଳୀନ ସମୟରେ ପ୍ରକାଶିତ ସମ୍ବାଦପତ୍ର ସହ ହରିଜନ ଓ ୟଙ୍ଗ ଇଣ୍ଡିଆ ପତ୍ରିକାରେ ପ୍ରକାଶିତ ହୋଇଥିଲା।
ଗାନ୍ଧିଜୀ ତାଙ୍କ ପଦଯାତ୍ରା ସମୟରେ ଓଡ଼ିଶାରେ କୁଟୀର ଶିଳ୍ପ, ଖଦୀ ଶିଳ୍ପ ଓ କୃଷି ବିକାଶ ମାଧ୍ୟମରେ କିପରି ଓଡ଼ିଶାର ଦାରିଦ୍ର୍ୟ ଲୋପ ପାଇ ଲୋକଙ୍କ ଆର୍ଥିକ ପ୍ରଗତି ହେବା ସହ ସେମାନଙ୍କ ମଧ୍ୟରେ ଏକତା ସୃଷ୍ଟି ହୋଇ ଦେଶର ସ୍ୱାଧୀନତା ସଂଗ୍ରାମ କିପରି ଅଧିକ ପ୍ରଭାବଶାଳୀ ହୋଇପାରିବ ସେଥିପାଇଁ ଦୃଷ୍ଟି ଦେଇଥିଲେ। ଆଜି ଗାନ୍ଧିଜୀଙ୍କ ୧୫୧ତମ ଜୟନ୍ତୀ ଅବସରରେ ସେହି ମହାମାନବଙ୍କୁ ସ୍ମରଣ କରି ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଗାନ୍ଧିବାଦ ହିଁ ସବୁ ସମୟରେ ବିଶ୍ୱକୁ ଶାନ୍ତି, ମୈତ୍ରୀ, ପାରସ୍ପରିକ ଭାତୃଭାବ ପ୍ରତିଷ୍ଠାରେ ସହାୟକ ହୋଇପାରିବ ବୋଲି ଆଶା କରୁଅଛି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories