ସାଫ ୧୭ ବର୍ଷରୁ କମ୍‌ ଫୁଟବଲ ଚମ୍ପିଆନସିପ, ଟାଇଟଲ ବଜାୟ ରଖିଲା ଭାରତ

ନୂଆଦିଲ୍ଲୀ: ଶ୍ରୀଲଙ୍କାର କଲମ୍ବୋରେ ଆୟୋଜିତ ସାଫ ୧୭ ବର୍ଷରୁ କମ ପୁରୁଷ ଫୁଟବଲ ଚମ୍ପିଆନସିପରେ ଭାରତ ଟାଇଟଲ ବଜାୟ ରଖିଛି। ଗୁରୁବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ଭାରତ ୪-୦ଗୋଲରେ ନେପାଳକୁ ପରାସ୍ତ କରି ୪ର୍ଥ ଥର ପାଇଁ ଟାଇଟଲ ହାସଲ କରିଛି।

୧୦ଜଣ ଖେଳାଳିଙ୍କୁ ନେଇ ଖେଳିଥିବା ନେପାଳ ଉପରେ ଭାରତ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ଖେଳର ୧୮ ମିନିଟ୍‌​ରେ ଭାରତ ପକ୍ଷରୁ ବବି ସିଂହ ପ୍ରଥମ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ନେପାଳ ଗୋଲ ବରାବର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଭାରତ କୌଣସି ସୁଯୋଗ ଦେଇନଥିଲା। ନେପାଳର ଦୁର୍ବଳ ରକ୍ଷଣାଭାଗର ଫାଇଦା ନେଇ ଭାରତ ୩୦ ମିନିଟ୍‌ରେ ଦ୍ବିତୀୟ ଗୋଲ ସ୍କୋର କରିଥିଲା। କୋରୋଉ ସିଂହ ଭାରତ ପକ୍ଷରୁ ଦ୍ବିତୀୟ ଗୋଲ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧ ଖେଳରେ ଭାରତ ୨-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧ ତଥା ଖେଳର ୬୩ ମିନିଟ୍‌ରେ ଭାରତ ପକ୍ଷରୁ ଭାଲନାପାକ୍ଷେ ଗୁଇତି ୩ୟ ଗୋଲ ଦେଇଥିଲେ। ଖେଳର ଶେଷ ମିନିଟ୍‌ରେ ଭାରତ ପକ୍ଷରୁ ଅମନ ୪ର୍ଥ ଗୋଲ ଦେଇ ଦଳକୁ ୪-୦ରେ ବିଜୟୀ କରାଇଥିଲେ। ଭାରତୀୟ ଅଧିନାୟକ ଗୁଇତି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଉଦୀୟମାନ ଖେଳାଳି ଓ ସାହିଲ ଶ୍ରେଷ୍ଠ ଗୋଲରକ୍ଷକ ବିବେଚିତ ହୋଇଥିଲେ। ଭାରତ ପୂର୍ବରୁ ୨୦୧୩, ୨୦୧୭ ଓ ୨୦୧୯ରେ ଚମ୍ପିଆନ ହୋଇଥିଲା।

Comments are closed.