ଶାବରୀମାଳାରେ ମହିଳାଙ୍କ ପ୍ରବେଶ ମାମଲା: ସମୀକ୍ଷା ଆବେଦନର ତ୍ୱରିତ ଶୁଣାଣି ହେବ ନାହିଁ
ନୂଆଦିଲ୍ଲୀ : କେରଳର ପ୍ରସିଦ୍ଧ ଶାବରୀମାଳା ମନ୍ଦିରରେ ସବୁ ବୟସର ମହିଳାଙ୍କୁ ପ୍ରବେଶ ଅନୁମତି ସମ୍ବନ୍ଧୀୟ ରାୟର ସମୀକ୍ଷା ଲାଗି ହୋଇଥିବା ଆବେଦନ ଉପରେ ତ୍ୱରିତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ବୁଧବାର ମନା କରିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ କହିଛନ୍ତି ନଭେମ୍ବର ୫ ଓ ୬ ତାରିଖ ମଧ୍ୟରେ କେବଳ ୨୪ ଘଣ୍ଟା ପାଇଁ ମନ୍ଦିର ଖୋଲିବ। ତେବେ ମନ୍ଦିରର ପରବର୍ତ୍ତୀ ତୀର୍ଥ ଋତୁ ଆରମ୍ଭ ହେବା ପୂର୍ବରୁ ନଭେମ୍ବର ୧୩ରେ ଏହି ଆବେଦନଗୁଡିକର ଶୁଣାଣି ଲାଗି କାର୍ଯ୍ୟସୂଚୀ ରହିଛି ବୋଲି ସେ କହିଛନ୍ତି। ସୁପ୍ରିମକୋର୍ଟ ରାୟର ସମୀକ୍ଷା ଲାଗି ଜାତୀୟ ଆୟପ୍ପା ଭକ୍ତ ସଂଘ ଏବଂ ଅନ୍ୟମାନଙ୍କ ପକ୍ଷରୁ ୧୯ଟି ସମୀକ୍ଷା ଆବେଦନ ହୋଇଥିବା ସୁପ୍ରିମକୋର୍ଟ ବିଚାରକୁ ନେଇଥିଲେ। ଏହି ମନ୍ଦିରରେ ୧୦ରୁ ୫୦ ବର୍ଷ ବୟସ୍କ ମହିଳାଙ୍କ ପ୍ରବେଶ ନିଷେଦ ଥିବା ବେଳେ ସୁପ୍ରିମକୋର୍ଟ ଏହି କଟକଣା ଉଠାଇଦେଇଥିଲେ।