ବିଦ୍ୱେଷର ଅବସାନ, ଶାନ୍ତିର ଯୁଗ ଆରମ୍ଭ
ସିଓଲ୍: ଏସିଆର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ଏକାଠି ହୋଇଛନ୍ତି। ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍ ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେ ଇନ୍ଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ଆରମ୍ଭ ହୋଇଛି। ସମଗ୍ର ବିଶ୍ୱର ଦୃଷ୍ଟି ଏବେ ଏହି ବୈଠକ ଉପରେ ରହିଛି। ଦୁଇ ଚିର ଶତ୍ରୁ ରାଷ୍ଟ୍ରମଧ୍ୟରେ ଦୀର୍ଘ ଦଶନ୍ଧି ପରେ ଆରମ୍ଭ ହୋଇଥିବା ଏହି ବୈଠକ ବହୁବିବାଦ ଓ ଅବିଶ୍ୱାସକୁ ସମାପ୍ତ କରି ବନ୍ଧୁତ୍ୱ ଓ ସୌହର୍ଦ୍ଦ୍ୟର ବାତାବରଣ ସୃଷ୍ଟି କରିବାରେ ସଫଳ ହେବେ ବୋଲି ଆଶା କରାଯାଉଛି। ସେହିପରି କିଛି ଦିନ ପୂର୍ବରୁ ଉତ୍ତରକୋରିଆର ଆଣବିକ ପରୀକ୍ଷଣକୁ କିମ୍ ବନ୍ଦ କରିଥିବାରୁ ବୈଠକର ଗୁରୁତ୍ୱ ବୃଦ୍ଧି ପାଇଥିବା ଆଲୋଚନା ହେଉଛି। କିମ୍ଙ୍କ ସ୍ୱାଗତ ପାଇଁ ଦକ୍ଷିଣ କୋରିଆରେ ବିପୁଳ ଆୟୋଜନ ହୋଇଛି। ଦକ୍ଷିଣ କୋରିଆର ପାରମ୍ପରିକ ପୋଷାକ ପରିହିତ ଯୁବକଯୁବତୀମାନେ କିମ୍ଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି। ଉତ୍ତରକୋରିଆର ରାଷ୍ଟ୍ରପତି କିମ୍ କଳା ରଙ୍ଗର ସୁଟ୍ ପିନ୍ଧି ଥିବା ବେଳେ ଅନ୍ୟ ଅଧିକାରୀମାନେ ସେନା ପୋଷାକ ପରିଧାନ କରିଥିଲେ। ଦକ୍ଷିଣ କୋରିଆ ଓ ଉତ୍ତର କୋରିଆ ମଧ୍ୟରେ ଅବସ୍ଥିତ ୨୬୦ କିମି ଦୈର୍ଘ୍ୟ ଓ ୪ କିମି ପ୍ରସ୍ଥ ବିଶିଷ୍ଟ ଭୂଖଣ୍ଡ ପାନ୍ମୁନଜୋମ୍ରେ ଏହି ସାକ୍ଷାତ ଆଲୋଚନା ଅନୁଷ୍ଠିତ ହେଉଛି।
ମୁନ୍ଙ୍କ ସହିତ ଆଲୋଚନା ପୂର୍ବରୁ କିମ୍ ଦକ୍ଷିଣ କୋରିଆର ପିସ୍ ହାଉସ୍ରେ ଏକ ପୁସ୍ତିକାରେ ହସ୍ତାକ୍ଷର କରିବା ସହିତ ସନ୍ଦେଶ ଲିପିବଦ୍ଧ କରିଥିଲେ। ‘ଏକ ନୂଆ ଇତିହାସ ଆରମ୍ଭ ହେଲା। ଏଠାରୁ ଆରମ୍ଭ ହେଲା ଶାନ୍ତିର ଯୁଗ’ ବୋଲି କିମ୍ ସେଥିରେ ଉଲ୍ଳେଖ କରିଛନ୍ତି। ଆଣବିକ ପରୀକ୍ଷଣକୁ ବନ୍ଦ କରିବା ଦିଗରେ ଦୁଇ ରାଷ୍ଟ୍ରମୁଖ୍ୟ ଆଲୋଚନା କରିପାରନ୍ତି ବୋଲି ଅନୁମାନ କରାଯାଉଛି। ପାନ୍ମୁନଜୋମ୍ରେ ଦୁଇ ନେତା ଏକ ସ୍ମାରକୀ ବୃକ୍ଷରୋପଣ କରିବାର କାର୍ଯ୍ୟକ୍ରମ ରହିଛି।