Patra electronics

ଶପଥ ନେଲେ ନୂଆ ରାଜ୍ୟପାଳ

0

ଭୁବନେଶ୍ୱର : ଓଡ଼ିଶାର ରାଜ୍ୟପାଳ ଭାବେ ସତ୍ୟପାଲ ମଲ୍ଲିକ ବୁଧବାର ଅପରାହ୍ଣରେ ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଭିନିଥ ଶରଣ ନୂତନ ରାଜ୍ୟପାଳ ଶ୍ରୀ ମଲ୍ଲିକଙ୍କୁ ଶପଥ ପାଠ କରାଇଥିଲେ। ଶ୍ରୀ ମଲ୍ଲିକ ବିହାରର ରାଜ୍ୟପାଳ ଅଛନ୍ତି। ଏଥିସହ ସେ ଓଡ଼ିଶାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।
ମଙ୍ଗଳବାର ଓଡ଼ିଶାର ରାଜ୍ୟପାଳ ଥିବା ଏସ.ସି.ଜମିରଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ସେହିଦିନ ଆରମ୍ଭ ହୋଇଥିବା ବିଧାନସଭାର ବଜେଟ ଅଧିବେଶନରେ ସେ ତାଙ୍କର ଶେଷ ଅଭିଭାଷଣ ରଖିଥିଲେ। ବିଧାନସଭାରୁ ଫେରିବା ପରେ ସତ୍ୟପାଳଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିବା ନେଇ ରାଷ୍ଟ୍ରପତି ଭବନରୁ ଖବର ଆସିଥିଲା। ଆଜି ଶ୍ରୀ ମଲ୍ଲିକ ରାଜ୍ୟର ୪୫ତମ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ରାଜ୍ୟପାଳ ଶ୍ରୀ ମଲ୍ଲିକ ପାଟନାରୁ ବିମାନ ଯୋଗେ ଆସି ଅପରାହ୍ନ ୫ଟାରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଥିଲେ। ବାଚସ୍ପତି ପ୍ରଦୀପକୁମାର ଅମାତ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିକ୍ରମଶେରୀ ଆରୁଖ, ମେୟର
ଅନନ୍ତ ନାରାୟଣ ଜେନା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଅସୀତ ତ୍ରିପାଠୀ, ପୁଲିସ ମହା ନିର୍ଦେଶକ ଆର.ପି.ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।
ସନ୍ଧ୍ୟା ୬ଟାରେ ରାଜଭବନର ଅଭିଷେକ ହଲରେ ଶପଥ ପାଠ ଉତ୍ସବ ଆୟୋଜିତ ହୋଇଥିଲା। ମୁଖ୍ୟ ଶାସନ ସଚିବ ରାଷ୍ଟ୍ରପତିଙ୍କ ନିକଟରୁ ଆସିଥିବା ନିଯୁକ୍ତି ପତ୍ର ପାଠ କରିଥିଲେ। ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, ହାଇକୋର୍ଟର ବିଚାରପତି, ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଏବଂ ରାଜଭବନ ତଥା ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବିମାନବନ୍ଦରରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ବେଳେ ରାଜଭବନରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।

ବିହାରର ରାଜ୍ୟପାଳ ଭାବେ ସତ୍ୟପାଲ ମଲ୍ଲିକ ୨୦୧୭ ମସିହା ସେପ୍ଟେମ୍ବର ୩୦ ତାରିଖରେ ଶପଥ ଗ୍ରହଣ କରିଥିଲେ। ୧୯୭୪-୭୭ ପର୍ଯ୍ୟନ୍ତ ସେ ଉତ୍ତରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୯ରୁ ୯୧ ପର୍ଯ୍ୟନ୍ତ ସେ ଆଲିଗଡ଼ ଲୋକସଭା ଆସନରୁ ସଂସଦକୁ ପ୍ରତିନିଧିତ୍ୱ କରିଥିଲେ। ଉତ୍ତର ପ୍ରଦେଶରୁ ସେ ଦୁଇଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

 

Leave A Reply