ଲୋଧା ସୁପାରିସକୁ ସବୁଜ ସଙ୍କେତ

0

କଟକ : ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ)ର ବାର୍ଷିକ ସାଧାରଣ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ମୁଖ୍ୟ ପ୍ରସଙ୍ଗ ଥିଲା ଲୋଧା ସୁପାରିସ ଲାଗୁକରିବା ନେଇ ଓସିଏର ଆଭିମୁଖ୍ୟ। ବୈଠକରେ ସଦସ୍ୟମାନେ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସର୍ବସମ୍ମତ ଭାବେ ଓସିଏର ସଦସ୍ୟମାନେ ଲୋଧା କମିଟି ସୁପାରିସକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିବା ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ବିସିସିଆଇ ଓ ରାଜ୍ୟ କ୍ରିକେଟ ଆସୋସିଏସନ୍‌ମାନଙ୍କରେ ସଂସ୍କାର ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେବା ପରେ କ୍ରିକେଟ ପରିଚାଳନା କ୍ଷେତ୍ରରେ ଯେଉଁ ଅଚଳାବସ୍ଥା ସୃଷ୍ଟିହୋଇଛି; ତାହା ଦୂରକରିବା ଉଦ୍ଦେଶ୍ୟରେ ଓସିଏର ସଦସ୍ୟମାନେ ଶନିବାର ବୈଠକରେ ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ; ପୂର୍ବରୁ ଓସିଏ ତା’ର କାଉନ୍‌ସିଲ ବୈଠକରେ ସର୍ବସମ୍ମତ ଭାବେ ନିଷ୍ପତ୍ତି ନେଇଥିଲା ଯେ ସୁପ୍ରିମକୋର୍ଟ ନିଯୁକ୍ତ ଜଷ୍ଟିସ୍‌ ଲୋଧା କମିଟିର ସମସ୍ତ ସୁପାରିସ ଲାଗୁ କରିବାକୁ ପ୍ରସ୍ତୁତ। ପରେ ଓସିଏ ପକ୍ଷରୁ ଲିଖିତ ଭାବେ ଏହା ବିସିସିଆଇ ଏବଂ ବିସିସିଆଇର ସିଇଓ ଥିବା ରାହୁଲ ଜୋହରିଙ୍କୁ ଜଣାଇ ଦିଆ ଯାଇଥିଲା। ପରେ ଜୋହରି ଓସିଏକୁ ଜଣାଇଥିଲେ ଯେ ଲୋଧା କମିଟି ସୁପାରିସକୁ ଲାଗୁ କରିବାକୁ ରାଜିଥିବା ପ୍ରସଙ୍ଗକୁ ଓସିଏ ତା’ର ବାର୍ଷିକ ସାଧାରଣ ବୈଠକରେ ଅନୁମୋଦନ ହାସଲକରୁ। ଏହାପରେ ଏହା ଓସିଏକୁ ଲୋଧା କମିଟି ସୁପାରିସ ଅନୁସାରେ ନିର୍ବାଚନ କରିବାର ଅନୁମତି ଦେଇପାରେ ଏବଂ କ୍ରିକେଟ ପରିଚାଳନା ପାଇଁ ଆବଶ୍ୟକ ଅର୍ଥ ପ୍ରଦାନ କରିପାରେ। ଏହା ଅନୁସାରେ, ଶନିବାର ଓସିଏର ବାର୍ଷିକ ସାଧାରଣ ବୈଠକ ଡକା ଯାଇଥିଲା। ବୈଠକର ମୁଖ୍ୟ ପ୍ରସଙ୍ଗ ଥିଲା ଲୋଧା କମିଟି ସୁପାରିସ ଲାଗୁକରିବା। ବୈଠକ ପରେ ଓସିଏର କାର୍ଯ୍ୟକାରୀ କମିଟିର ଅଧ୍ୟକ୍ଷ ଧୀରେନ୍‌ ପଲେଇ କହିଥିଲେ, ଆମେ ପୂର୍ବରୁ କାଉନ୍‌ସିଲ ବୈଠକରେ ନିଷ୍ପତ୍ତି ଗ୍ରହଣ କରିଥିଲୁ ଯେ ଲୋଧା କମିଟିର ସମସ୍ତ ସୁପାରିସ ମାନିବାକୁ ଆମେ ପ୍ରସ୍ତୁତ। ତେବେ ସୁପ୍ରିମକୋର୍ଟ ନିଯୁକ୍ତ ପ୍ରଶାସକ କମିଟି (ସିଓଏ) ଆମକୁ ଏହି ପ୍ରସ୍ତାବକୁ ସାଧାରଣ ପରିଷଦ (ଜେନେରାଲ ବଡି) ବୈଠକରେ ପାସ୍‌କରି ପଠାଇବାକୁ କହିଥିଲେ। ଏହା ଅନୁସାରେ ଆଜିର ବୈଠକ ଆହୂତ ହୋଇଥିଲା। ବୈଠକରେ ଲୋଧା କମିଟି ସୁପାରିସକୁ ସଦସ୍ୟମାନେ ସବୁଜ ସଙ୍କେତ ଦେଇଛନ୍ତି; ଯାହା ଆମେ ସିଓଏକୁ ଜଣାଇବୁ। ଏହାସହ ଆମେ ସିଓଏଠାରୁ ଜାଣିବାକୁ ଚାହିଁଛୁ ଯେ ଆମର ଯେଉଁ ଅନୁବନ୍ଧିତ ସଂସ୍ଥା ରହିଛନ୍ତି, ଯେପରି ଜିଲା, କ୍ଲବ୍‌, ସ୍କୁଲ୍‌, କଲେଜ୍‌, ସରକାରୀ ସଂସ୍ଥା; ସେମାନଙ୍କ ମଧ୍ୟରୁ କାହାର ସଦସ୍ୟତା ରହିବ କିମ୍ବା ରହିବନାହିଁ। ପୁଣି ଏହିସବୁ ସଂସ୍ଥାରୁ କେତେଜଣ- ଓସିଏର ସଦସ୍ୟ ରହିପାରିବେ? ଜଣେ ନା ଦୁଇ ଜଣ ଅବା ୩ ଜଣ। ଏହାର ସବିଶେଷ ତଥ୍ୟ ସିଓଏ ଆମକୁ ଜଣାଇବେ। ପରେ ଆମେ ଜାଣିପାରିବୁ ଯେ ଓସିଏର ବୈଧ ସଦସ୍ୟ ବା ଭୋଟର କେଉଁମାନେ ଏବଂ କେତେଜଣ। ମାସେ ମଧ୍ୟରେ ଆମକୁ ସିଓଏ ଏହା ଜଣାଇଦେବେ ବୋଲି ଆମେ ଆଶାରଖିଛୁ। ଏହା ପାଇବା ପରେ ଆମେ ଆମେ ସମ୍ବିଧାନରେ ପରିବର୍ତ୍ତନ ପରି ନିର୍ବାଚନ ପାଇଁ ସିଓଏର ଅନୁମତି ଲୋଡ଼ିବୁ। ଏହାର ମାସକ ମଧ୍ୟରେ ନିର୍ବାଚନ କରାଇବାକୁ ଆମର ଯୋଜନା ରହିଛି। ଫଳରେ ଆମକୁ କ୍ରିକେଟ ପରିଚାଳନା ପାଇଁ ବିସିସିଆଇ ପାଣ୍ଠି ଯୋଗାଇଦେବ ଏବଂ ଅଚଳାବସ୍ଥା ଦୂର ହୋଇପାରିବ। ଆଶାରଖିଛୁ ଯେ ମେ’ କିମ୍ବା ଜୁନ୍‌ ମଧ୍ୟରେ ନିର୍ବାଚନ ହୋଇଯିବ।
ଏହି ବୈଠକରେ ବିଭିନ୍ନ ବୟସ ବର୍ଗର ଆନ୍ତଃଜିଲା ଟୁର୍ଣ୍ଣାମେଣ୍ଟ ପୁଣି ଆରମ୍ଭ କରିବା ଉପରେ ଆଲୋଚନା ହୋଇଥିଲା। ଅର୍ଥାଭାବ ଦର୍ଶାଇ ଗତବର୍ଷ ଆନ୍ତଃଜିଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ହୋଇନଥିଲା। ବିଭିନ୍ନ ଜିଲାରୁ ଆସିଥିବା ଏକାଧିକ ସଦସ୍ୟ ଆନ୍ତଃଜିଲା ଟୁର୍ଣ୍ଣାମେଣ୍ଟ ପୁଣି ଆରମ୍ଭ କରିବା ନେଇ ଦାବି କରିଥିଲେ। କିଛି ସଦସ୍ୟ ଏପରି ବି କହିଥିଲେ ଯେ ଆନ୍ତଃଜିଲା ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଯଦି ଓସିଏର ଅର୍ଥାଭାବ ରହିଛି; ତେବେ ଜିଲା ଆସୋସିଏସନ୍‌ମାନେ କିଛି ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତ। ଏହି ପ୍ରସ୍ତାବକୁ ବହୁ ସଦସ୍ୟ ସମର୍ଥନ ମଧ୍ୟ କରିଥିଲେ। ଏହି ପ୍ରସ୍ତାବକୁ ସ୍ୱାଗତ କରିବା ସହ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା କହିଥିଲେ ଯେ ଚଳିତବର୍ଷ ଆନ୍ତଃଜିଲା ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ନିଶ୍ଚୟ ପ୍ରୟାସ କରାଯିବା ଆବଶ୍ୟକ। ପୁଣି କିଛି ସଦସ୍ୟ ଓଡ଼ିଶାର ବିଭିନ୍ନ ଦଳର ପ୍ରଦର୍ଶନ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଏଥିପାଇଁ ମନୋନୟନକାରୀଙ୍କୁ ଦାୟୀକରି ସେମାନଙ୍କୁ ପରିବର୍ତ୍ତନ କରିବାକୁ ଦାବି କରିଥିଲେ। ଆଉ କିଛି ସଦସ୍ୟ ମନୋନୟନକାରୀଙ୍କ ପ୍ରତି ସମର୍ଥନ ମଧ୍ୟ ବ୍ୟକ୍ତ କରିଥିଲେ।

Leave A Reply