ବାଙ୍କୀରେ ବିଜେପି ଓ ଖୋର୍ଦ୍ଧାରେ କଂଗ୍ରେସର ଅଖିମୁଠି ଅନୁକୂଳ

0

ବିଜେପି କୃଷକମୋର୍ଚ୍ଚାର ଅକ୍ଷୟ ତୃତୀୟା ପର୍ବ

ବାଙ୍କୀ : ଡମପଡ଼ା ବ୍ଲକ ଅନ୍ତର୍ଗତ ପାଥପୁର ପଞ୍ଚାୟତରେ କଟକ ଜିଲା ବିଜେପି କୃଷକମୋର୍ଚ୍ଚା ଅକ୍ଷୟ ତୃତୀୟା ପର୍ବ ପାଳିତ ହୋଇଛି। ବିଜେପି ସଭାପତି ବସନ୍ତ ପଣ୍ଡା ଯୋଗଦେଇ ଅଖିମୁଠି ଅନୁକୂଳ କରିଥିଲେ।
ଆୟୋଜିତ କୃଷକ ସମାବେଶରେ ଶ୍ରୀ ପଣ୍ଡା କହିଥିଲେ ଯେ, ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଅକ୍ଷୟ ତୃତୀୟା ବେଶ୍‍ ଗୁରୁତ୍ୱପୂର୍ଣ୍ଣ। ସ୍ୱାଧୀନତାର ୭୧ବର୍ଷ ପରେ ମଧ୍ୟ ଅଦ୍ୟାବଧି ରାଜ୍ୟର ସମସ୍ତ ଜମିକୁ ଜଳସଚେନର ସୁବିଧା ପ୍ରଦାନ କରାଯାଇନାହିଁ। ଚାଷୀକୁଳ ଇନ୍ଦ୍ରଦେବତାଙ୍କ ଭରସାରେ ରହୁଛି। ସମ୍ମାନିତଅତିଥି ପୂର୍ବତନ ମନ୍ତ୍ରୀ ସମୀର ଦେ ରାଜ୍ୟର ଚାଷୀମାନେ ଆଜି ବହୁ ଝଡଝଞ୍ଜା ଓ କଷ୍ଟର ସମ୍ମୁଖୀନ ହୋଇ କଳାତିପାତ କରୁଥିବା କହିଥିଲେ। ଚାଷୀଙ୍କ ପାଇଁ ଯେଉଁ ଯୋଜନା ପ୍ରଣୟନ ହେଉଛି ତା’ର ସୁଫଳ ସେମାନଙ୍କ ନିକଟରେ ପହଞ୍ଚିପାରୁ ନାହିଁ। ଉତ୍ସବରେ ରାଷ୍ଟ୍ରୀୟ ବିଜେପି କୃଷକମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଶୁଭ୍ରାଂଶୁ ମୋହନ ପାଢୀ ଅଧ୍ୟକ୍ଷତା କରି ଆସନ୍ତାବର୍ଷ ଫସଲ ଉତ୍ପାଦନ ନିମନ୍ତେ ଚାଷୀମାନେ ଉନ୍ନତଧରଣର ଚାଷ କରିବା ସହ ଆଗାମୀ ଫସଲ ଅମଳ ସମୟରେ କିପରି ଲାଭବାନ ହୋଇପାରିବେ ସେନେଇ ଚାଷୀମାନଙ୍କୁ ସଚେତନ କରାଇଥିଲେ। ଜିଲା ସଭାପତି ଚୌଧୁରୀ ହେମନ୍ତ ସାହୁ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ସୁରଥ ବିଶ୍ୱାଳ, ଉପସଭା ପତି ହୃଷିକେଶ ଜେନା, ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

prayash

କଂଗ୍ରେସର ଅଖିମୁଠି ଅନୁକୂଳ

ଭୁବନେଶ୍ୱର: ଓଡିଆ ସଂସ୍କୃତିର ମହାନ କୃଷିଭିତ୍ତିକ ପର୍ବ ପବିତ୍ର ଅକ୍ଷୟତୃତୀୟା ଉପଲକ୍ଷେ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍‍ ପକ୍ଷରୁ ଖୋର୍ଦ୍ଧା ଜିଲାର କୁଶମାଟି ଗ୍ରାମରେ ରାଜ୍ୟସ୍ତରୀୟ ଅଖିମୁଠି ଅନୁକୂଳ ଓ କୃଷକ ସମ୍ବର୍ଦ୍ଧନା ସମାରୋହ ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍‍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭୂମିପୂଜା କରିବା ସହିତ କ୍ଷେତରେ ଅଖିମୁଠି ଅନୁକୂଳ କରିଥିଲେ। କୃଷକ ସମ୍ବର୍ଦ୍ଧନା ସମାରୋହରେ ଶ୍ରୀ ହରିଚନ୍ଦନ ଚାଷୀକୁଳର ସୁଖ, ସମୃଦ୍ଧି ଓ ପ୍ରଗତି କାମନା କରିବା ସହିତ ସରକାର ଭାଗଚାଷୀ ସମସ୍ୟାର ସମାଧାନ କରିବା, କୃଷି ଋଣ ଛାଡ, ଚାଷୀ ପେନସନ ଓ ଧାନର ସହାୟକ ମୂଲ୍ୟ ବୃଦ୍ଧି କରିବାରେ ଅସଫଳ ହୋଇଛନ୍ତି ବୋଲି କହିଥିଲେ। କଂଗ୍ରେସ କୃଷକ ସେଲ୍‍ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଲେ ଯେ ଚାଷୀକୁଳକୁ ସମ୍ମାନ ଦେବାପାଇଁ ୧୯୯୬ ଏପ୍ରିଲ୍‍ ୧୬ ତାରିଖ ଦିନ ପ୍ରଥମ କରି ତତ୍‍କାଳୀନ କଂଗ୍ରେସ ସରକାର ସମୟରେ ଅକ୍ଷୟତୃତୀୟା ଦିବସକୁ କୃଷକ ଦିବସ ରୂପେ ସରକାରୀ ସ୍ତରରେ ମାନ୍ୟତା ଦେଇ ରାଜ୍ୟରେ ସ୍ୱତନ୍ତ୍ର କୃଷିନୀତି ପ୍ରଣୟନ କରାଯାଇଥିଲା। ଯାହା ଫଳରେ ଆପିକଲ ଭଳି ଅନେକ କୃଷିଭିତ୍ତିକ ଶିଳ୍ପ ରାଜ୍ୟରେ ସେହି ସମୟରେ ଗଢି ଉଠିଥିଲା। ବିହନ ଗ୍ରାମ ଯୋଜନାରେ ବିହନ ପ୍ରତିବଦଳ ହାର ବୃଦ୍ଧି କରିବା ସହିତ ରାଜ୍ୟକୁ କୃଷି ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ କଂଗ୍ରେସ ସରକାର ସମୟରେ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ବିଜେପି, ବିଜେଡି ସରକାରର ତ୍ରୁଟିପୂର୍ଣ୍ଣ କୃଷିନୀତି ଓ ଚାଷୀଙ୍କୁ ଅଣଦେଖା ଯୋଗୁଁ କୃଷି ସବୁଠାରୁ ବିପର୍ଯ୍ୟନ୍ତ ଏବଂ କୃଷକ ସବୁଠାରୁ କ୍ଷତିଗ୍ରସ୍ତ ବୋଲି ସେ କହିଥିଲେ। ବିଭିନ୍ନ ଅଞ୍ଚଳର ୨୫ ଜଣ ସଫଳ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଶ୍ରୀ ହରିଚନ୍ଦନ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ, ଯୁଧିଷ୍ଠିର ଜେନା, ଲଲାଟେନ୍ଦୁ ମହାପାତ୍ର, ଶୁଭେନ୍ଦୁ ମହାନ୍ତି ପ୍ରମୁଖ ବହୁନେତା ଓ କର୍ମୀ ଉପସ୍ଥିତ ଥିଲେ।

Leave A Reply