www.samajalive.in
Monday, December 15, 2025
14.1 C
Bhubaneswar

ସ୍ୟାଟର ଭବିଷ୍ୟତ ଉପରେ କ’ଣ ପଦକ୍ଷେପ ନେଉଛ ଜଣାଅ: ହାଇକୋର୍ଟ

କଟକ : ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ)ରେ ଖାଲିପଡିଥିବା ଅଧ୍ୟକ୍ଷ ଓ ସଦସ୍ୟ ପଦ ପୂରଣ ନେଇ ରୁଜୁ ମାମଲାରେ ହାଇକୋର୍ଟ ଜଷ୍ଟିସ ଏସ ସି ପରିଜା ଓ ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିବାବେଳେ ଏହାର ଭବିଷ୍ୟତ ଉପରେ କ’ଣ ପଦକ୍ଷେପ ନିଆଯାଉଛି ସେ ସଂପର୍କରେ ସତ୍ୟପାଠ ମାଧ୍ୟମରେ ୧୨ ତାରିଖ ସୁଦ୍ଧା ଜଣାଇବା ପାଇଁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାର ଏ ନେଇ କୋର୍ଟରେ ସତ୍ୟପାଠ ଦାଖଲ କରି ଦର୍ଶାଇଛନ୍ତି ଯେ ସ୍ୟାଟ ଉଚ୍ଛେଦ ପାଇଁ ସରକାରୀସ୍ତରରେ ନିଷ୍ପତ୍ତି ନିଆଯାଇଛି; ଫଳରେ ନିଯୁକ୍ତି ଦେବା ସମ୍ଭବପର ନୁହେଁ ବୋଲି ସତ୍ୟପାଠରେ କୁହାଯାଇଛି। ଯେତେବେଳେ ଏକ ସଂସ୍ଥା ଚାଲିଛି, ତାହାକୁ ଭାଙ୍ଗିବା ପାଇଁ ପଦକ୍ଷେପ ନେଇ ନାହଁ, ତେଣୁ ସେ ସଂକ୍ରାନ୍ତରେ ଆସନ୍ତା ୧୨ତାରିଖ ସୁଦ୍ଧା ସତ୍ୟପାଠ ମାଧ୍ୟମରେ ଜଣାଇବା ପାଇଁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଏହି ମାମଲାରେ ପୂର୍ବରୁ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓଏସଡି ଦେବବ୍ରତ ମଲ୍ଲିକ ସତ୍ୟପାଠ ଦାଖଲ କରିଥିଲେ। ପଦ ପୂରଣ ନେଇ ପ୍ରକ୍ରିୟା ଚାଲିଛି ବୋଲି ସତ୍ୟପାଠରେ ଦର୍ଶାଇଥିଲେ। ତେବେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର, ବୀରଜାପ୍ରସନ୍ନ ଶତପଥୀ, ଉଲ୍ଲାସ ମହାନ୍ତି ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୮୬ ଜୁଲାଇ ୧୪ତାରିଖରେ ସ୍ୟାଟ ପ୍ରତିଷ୍ଠା ହୋଇଥିଲା। ଭୁବନେଶ୍ୱରର ପ୍ରମୁଖ ବେଞ୍ଚ ରହିଥିବା ବେଳେ ପରବର୍ତ୍ତୀ ସମୟରେ କଟକରେ ନିୟମିତ ବେଞ୍ଚ ହୋଇଥିଲା। ଏଥି ସହିତ ସମ୍ବଲପୁର ଓ ବ୍ରହ୍ମପୁରରେ ଟ୍ରିବ୍ୟୁନାଲର ସର୍କିଟ ବେଞ୍ଚ ରହିଛି।
୨୦୧୪ ଫେବୃଆରୀ ୧୮ତାରିଖରେ ଟ୍ରିବ୍ୟୁନାଲରେ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୮ ଜଣ ସଦସ୍ୟ ପଦ ରହିବା ସଂପର୍କରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା; କିନ୍ତୁ ବର୍ତ୍ତମାନ ସ୍ଥାୟୀ ଅଧ୍ୟକ୍ଷ ପଦ ସହିତ ୫ଟି ସଦସ୍ୟ ପଦ ଖାଲି ପଡିଛି। ମାତ୍ର ୩ ଜଣ ସଦସ୍ୟ ରହିଛନ୍ତି। କାର୍ଯ୍ୟକାରୀ ଅଧ୍ୟକ୍ଷ, ଜଣେ ବିଚାର ବିଭାଗୀୟ ସଦସ୍ୟ ଓ ଜଣେ ପ୍ରଶାସନିକ ସଦସ୍ୟଙ୍କୁ ନେଇ ଟ୍ରିବ୍ୟୁନାଲର ବିଚାର ପ୍ରକ୍ରିୟା ଚାଲିଛି। ବି·ରାଧୀନ ସଂଖ୍ୟା ବୃଦ୍ଧିପାଇଥିବା ବେଳେ ସରକାର କିନ୍ତୁ ଟ୍ରିବ୍ୟୁନାଲରେ ଖାଲିଥିବା ସଦସ୍ୟ ପଦ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ୨୦୧୭ ଫେବୃଆରୀ ୨୮ ତାରିଖ ସୁଦ୍ଧା ଟ୍ରିବ୍ୟୁନାଲର ବିଭିନ୍ନ ବେଞ୍ଚରେ ମୋଟ ୬୭ ହଜାର ୩୬୯ ମାମଲା ବିଚାରାଧୀନ ରହିଛି ବୋଲି ଆବେଦନରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ ଆଇନର ଧାରା ୫ ଅନୁସାରେ ଜଣେ ବିଚାର ବିଭାଗୀୟ ସଦସ୍ୟ ଓ ଜଣେ ପ୍ରଶାସନିକ ସଦସ୍ୟଙ୍କୁ ନେଇ ଖଣ୍ଡପୀଠ ଗଠନ ହେବା କଥା। ନିୟମ ଅନୁସାରେ ଦୁଇ ଜଣ ସଦସ୍ୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଅଧିକାଂଶ ମାମଲାର ଶୁଣାଣି ହେବା କଥା; କିନ୍ତୁ ବର୍ତ୍ତମାନ ମାତ୍ର ୩ ଜଣ ସଦସ୍ୟ ରହିଥିବା ବେଳେ ଅଚଳାବସ୍ଥା ଦେଖାଦେଇଛି। କେବଳ ମହକିଲ ନୁହନ୍ତି; ଆଇନଜୀବୀମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନ୍ୟାୟ ପ୍ରଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି। ଏପରି ପରିସ୍ଥିତିରେ ଖାଲିପଡିଥିବା ଅଧ୍ୟକ୍ଷ ପଦ ଓ ସଦସ୍ୟ ପଦ ପୂରଣ ହେବା ଜରୁରୀ। ଏହି ପ୍ରସଙ୍ଗରେ ସରକାରୀ ନିଷ୍କ୍ରିୟତାକୁ ଚାଲେଞ୍ଜ କରି ସ୍ୟାଟ ବାର ଆସୋସିଏସନ ସଂପାଦକ ବିରଜା ପ୍ରସନ୍ନ ଶତପଥୀ ଏହି ମାମଲା ରୁଜୁ କରିଛନ୍ତି। ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ, ଆଇନ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories