ବିକାଶ ପାଇଁ ନିର୍ବାସ

0

୫୦ ବର୍ଷ ପରେ ମଧ୍ୟ ହୋଇ ପାରିଲା ନାହିଁ ବଡ଼ମୂଳବାସୀଙ୍କ ପୁନର୍ବସତି ଓ ଥଇଥାନ, ପ୍ରତିବନ୍ଧକ ସାଜିଛି ସୁପ୍ରିମକୋର୍ଟଙ୍କ ନିର୍ଦେଶ

ଅନୁଗୋଳ (ଶରତ ମହାନ୍ତି) : ଅନୁଗୋଳ ଜିଲାକୁ ଶସ୍ୟଶ୍ୟାମଳା କରିବା ସହ ବିକାଶ ଆଣିବା ଲକ୍ଷ୍ୟରେ ଡେରଜାଙ୍ଗ ପ୍ରକଳ୍ପ ସ୍ଥାପନ କରାଯାଇଥିଲା। ଏହି ପ୍ରକଳ୍ପ ପାଇଁ ୧୯୬୧ ମସିହାରେ ଡେରଜାଙ୍ଗ ଗ୍ରାମବାସୀଙ୍କୁ ବିସ୍ଥାପନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାର ୭ ବର୍ଷ ପରେ ଅର୍ଥାତ ୧୯୬୮ ମସିହାରେ ଗ୍ରାମବାସୀଙ୍କୁ ବିସ୍ଥାପନ କରାଯାଇ ୫ ସ୍ଥାନରେ ଥଇଥାନ କରାଯାଇଛି। ସେଥି ମଧ୍ୟରୁ ୪ଟି ସ୍ଥାନରେ ଥିବା ଗ୍ରାମବାସୀ ବିସ୍ଥାପନ ନୀତି ଅନୁଯାୟୀ ଥଇଥାନ ହୋଇସାରିଥିବା ବେଳେ ବଡ଼ମୂଳ ୮୯ ପରିବାରର ଭାଗ୍ୟ ଏବେ ବି ସୂତାଖିଅରେ ଝୁଲି ରହିଛି। ସେମାନଙ୍କୁ ପୁଣି ଘାରିଛି ବିସ୍ଥାପନ ଚିନ୍ତା। ଜଙ୍ଗଲ ବିଭାଗ, ରାଜସ୍ୱ ବିଭାଗ, ଜଳସେଚନ ବିଭାଗ ଏବଂ ଜିଲା ପ୍ରଶାସନ ମଧ୍ୟରେ ସମନ୍ୱୟର ଅଭାବରୁ ହିଁ ଜଙ୍ଗଲ ଜମିର ସ୍ୱତ୍ୱ ଅଧିକାର ପାଇବାରେ ସେମାନେ ବଞ୍ଚିତ ହୋଇଛନ୍ତି।
ଅନୁଗୋଳ ଜିଲାର ଡେରଜାଙ୍ଗ ଜଳସେଚନ ଡ୍ୟାମ୍‍ ପାଇଁ ବିସ୍ଥାପିତ ହୋଇଥିବା ପରିବାର ଅନୁଗୋଳ ବ୍ଲକର ରାଜନଗର ଏବଂ କଣ୍ଟାବେଡ଼ା ଜୟନ୍ତୀନଗର, ଛେଣ୍ଡିପଦା ବ୍ଲକର ଧୋବମଳିହା ସାହି, ବେଲଗୁଣ୍ଠା ଏବଂ ବଡ଼ମୂଳଠାରେ ଥଇଥାନ ହୋଇଥିଲେ। ରାଜନଗର, ଜୟନ୍ତୀନଗର, ବେଲଗୁଣ୍ଠା ଏବଂ ଧୋବମଳିହା ସାହିଠାରେ ବିସ୍ଥାପିତମାନେ ଜମିର ସ୍ୱତ୍ୱ ଅଧିକାର ପାଇଥିବା ବେଳେ ବଡ଼ମୂଳ ଗ୍ରାମବାସୀ ସେଥିରୁ ବଞ୍ଚିତ। ଫଳରେ ବଡ଼ମୂଳ ଗ୍ରାମବାସୀଙ୍କର ଭବିଷ୍ୟତ ଅନିଶ୍ଚିତ ମଧ୍ୟରେ ଗତି କରୁଛି। ୫୦ ବର୍ଷ ହେଲା ଏହି ସରଳ ନୀରିହ ଗ୍ରାମବାସୀ ବଡ଼ମୂଳଠାରେ ପିତାଚରୀ ଗ୍ରାମ୍ୟ ଜଙ୍ଗଲର ପ୍ରାୟ ୭୦୦ ଏକର ଜମିରେ ବସବାସ କରୁଥିଲେ ହେଁ ଅଦ୍ୟାବଧି ନିଜର ଜମି ପଟ୍ଟା ନ ଥିବାରୁ ସରକାରଙ୍କର ବିକାଶ ଯୋଜନାର ସୁଫଳରୁ ବଞ୍ଚିତ। ଏହି ୮୯ ପରିବାର ପ୍ରଧାନମନ୍ତ୍ରୀ ଆବାସ ଅଥବା ବିଜୁ ଜ୍ୟୋତି କୁଟୀର ଯୋଜନା, ସରକାରୀ ରିହାତି, କୃଷି ଯନ୍ତ୍ରପାତିରେ ରିହାତି, କୃଷିର ବିକାଶ ପାଇଁ ସରକାରୀ ସହାୟତା କୌଣସି ସରକାରୀ ସୁବିଧା ପାଇପାରୁ ନାହାନ୍ତି। ଜିଲାର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିସ୍ଥାପିତ ଏହି ପରିବାରଙ୍କ ସ୍ୱାର୍ଥ ପ୍ରତି ସରକାର ଆଖିବୁଜି ଦେଇଛନ୍ତି।
୧୯୮୦ ମସିହା ପୂର୍ବରୁ ଗ୍ରାମ୍ୟ ଜଙ୍ଗଲର ଅଧିକର ରାଜସ୍ୱ ବିଭାଗ ଅଧୀନରେ ଥିଲା। ବଡ଼ମୂଳ ଗ୍ରାମବାସୀଙ୍କୁ ଥଇଥାନ ପୂର୍ବରୁ ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରାଯାଇ ସେମାନଙ୍କ ନାମରେ ବ୍ୟକ୍ତିଗତ ସ୍ୱତ୍ୱ ଅଧିକାର ଓ ଗୋଷ୍ଠୀଗତ ସ୍ୱତ୍ୱ ଅଧିକାର ସରକାରୀ ବାବୁମାନେ ସେତେବେଳ ସହଜରେ କରିପାରି ଥାନ୍ତେ। ହେଲେ ସେମାନଙ୍କର ଥଇଥାନ ପାଇଁ ଠୋସ୍‍ କାର୍ଯ୍ୟକ୍ରମ ଗ୍ରହଣ କରାଯାଇ ନାହିଁ। ୧୯୮୦ରେ କେନ୍ଦ୍ରୀୟ ଆଇନ୍‍ ଜଙ୍ଗଲ ସଂରକ୍ଷଣ ଆଇନ ଆସିବା ପରେ କୌଣସି ଜଙ୍ଗଲ ଜମି ଅଣ ଜଙ୍ଗଲ କ୍ଷେତ୍ରରେ ବ୍ୟବହାର ହେଲେ କ୍ଷତିପୂରଣ ଦେବାକୁ ହେବ। ବଡ଼ମୂଳ ଗ୍ରାମର ୭ ଶହ ହେକ୍ଟର ଜଙ୍ଗଲ ଜମିକୁ ଗ୍ରାମବାସୀଙ୍କୁ ଏହି ଆଇନରେ ସ୍ୱତ୍ୱ ଅଧିକାର ଦେଲେ ସରକାର ୪୨ କୋଟିରୁ ଅଧିକ ଟଙ୍କା କ୍ଷତିପୂରଣ ଜମା ଦେବାକୁ ହେବ। ଏହାଛଡ଼ା ଜଙ୍ଗଲ ଜମିର ସର୍ଭେ ଓ ନକ୍ସା ଆଦି ଆବଶ୍ୟକତା ପଡ଼ିଛ। ଜଙ୍ଗଲ ଜମିରେ ବର୍ଷ ବର୍ଷ ଧରି ବଂଶାନୁକ୍ରମେ ଜବରଦଖଲ କରି ରହୁଥିବା କିମ୍ବା ଚାଷବାସ କରି ଜୀବିକା ନିର୍ବାହ କରୁଥିବା ପରିବାରକୁ ସ୍ୱତ୍ୱ ଅଧିକାର ସାବ୍ୟସ୍ତ କରିବା ପାଇଁ ସୁପ୍ରିମ୍‍କୋର୍ଟ ନିର୍ଦେଶାନାମା ଜାରୀ କରିଛନ୍ତି। ଏହି ନିର୍ଦେଶାନାମାରେ ଯେଉଁମାନେ ୧୯୮୦ ପୂର୍ବରୁ ଜଙ୍ଗଲ ଜମି ଦଖଲ କରି ବସତି ସ୍ଥାପନ କିମ୍ବା ଚାଷବାସ କରି ଦଖଲ କରିଥିବେ ସେହି ପରିବାରକୁ ଜଙ୍ଗଲ ଜମିର ସ୍ୱତ୍ୱ ଅଧିକାର ଦେବା ପାଇଁ ନିର୍ଦେଶ ଦିଆଯାଇଛି। ସେହି ସମୟରେ ଜିଲା ପ୍ରଶାସନ କିମ୍ବା ବନ ବିଭାଗ ବଡ଼ମୂଳ ଗ୍ରାମବାସୀଙ୍କ ସମସ୍ୟାକୁ ସହଜରେ ସୁପ୍ରିମ କୋର୍ଟର ନିର୍ଦେଶ ମତେ ମଧ୍ୟ ସମାଧାନ କରି ପାରିଥାନ୍ତେ। ପରବର୍ତ୍ତୀ ସମୟରେ ଜଙ୍ଗଲ ଅଧିକାର ଆଇନ ଓ ନୀତି ଆସିଲା ଏବଂ ବହୁ ସଂଖ୍ୟାରେ ଆଦିବାସୀ ଓ ବନବାସୀ ଜଙ୍ଗଲ ଜମିର ସ୍ୱତ୍ୱ ଅଧିକାର ପାଇପାରିଲେ। ମାତ୍ର ବିସ୍ଥାପିତ ହୋଇଥିବା ବଡ଼ମୂଳ ଗ୍ରାମବାସୀଙ୍କ ପାଇଁ ଆଇନରେ କୌଣସି ସୁଯୋଗ ମିଳିଲା ନାହିଁ। ବଡ଼ମୂଳ ଗ୍ରାମବାସୀ ୮୯ ପରିବାର ଅଣ ଆଦିବାସୀ ଚଷା ସମାଜର ହୋଇଥିବାରୁ ସେମାନଙ୍କୁ ୭୫ ବର୍ଷର ଦଖଲ କରିଥିବା ପ୍ରମାଣପତ୍ର ଯୋଗାଡ଼ କରିବା ସମ୍ଭବ ହୋଇପାରି ନାହିଁ। ଗ୍ରାମବାସୀ ଜଙ୍ଗଲ ଅଧିକାର ଆଇନ ବଳରେ ଜଙ୍ଗଲ ଅଧିକାର କମିଟି ଗଠନ କରି ଗ୍ରାମ ସଭାରେ ଅନୁମୋଦନ କରି ସେମାନଙ୍କ ଦାବି ଜିଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ତାହା ପରିସରଭୁକ୍ତ ହୋଇପାରୁ ନାହିଁ। ଆଇନ ପରେ ଆଇନ ପ୍ରଣୟନ ହେଉଛି ଏବଂ ସରକାରଙ୍କର ନୀତି ଓ ନିର୍ଦେଶାବଳୀର ବ୍ୟାପକ ସଂଶୋଧନ କରାଯାଇ ସରଳ କରାଯାଉଛି। ମାତ୍ର ଆଇନ ଓ ନୀତିକୁ କାର୍ଯ୍ୟକାରୀ କରୁଥିବା ସରକାରୀ ଅଧିକାରୀ ଓ ବାବୁମାନେ ସାଧାରଣ ପ୍ରଜାଙ୍କୁ ନ୍ୟାୟ ପ୍ରଦାନ କରିପାରୁ ନାହାନ୍ତି। ଯାହାର ଫଳ ବଡ଼ମୂଳ ଗ୍ରାମବାସୀ ବ୍ୟକ୍ତିଗତ ଜମିର ସ୍ୱତ୍ୱ ଅଧିକାରର ମାଲିକାନା ଏବଂ ଗ୍ରାମ ଗୋଷ୍ଠୀ ମାଲିକାନା ସ୍ୱତ୍ୱ ପାଇବାରେ ବଞ୍ଚିତ ହେଉଛନ୍ତି।
ଅନୁଗୋଳ ଜିଲାରେ କୋଇଲା ଖଣି, ଶିଳ୍ପାୟନ ଏବଂ ଅନ୍ୟାନ୍ୟ ବିକାଶ ଯୋଜନା ପାଇଁ ୧୦ ହଜାରରୁ ଊଦ୍ଧ୍ୱର୍ ଜଙ୍ଗଲ ଜମି ବ୍ୟବହୃତ ହୋଇଥିବା ବେଳେ ଏହି ବଡ଼ମୂଳ ଗ୍ରାମବାସୀଙ୍କୁ ୭ ଶହ ଏକର ଜଙ୍ଗଲ ଜମି ଆଇନତଃ ସ୍ୱତ୍ୱ ଅଧିକାର ଦେବାରେ ସରକାରୀ କଳର ଟାଳଟୁଳ ନୀତି ଏବଂ ଆନ୍ତରିକତା ନ ଥିବା ଉଦ୍‍ବେଗର କାରଣ ବୋଲି ହୋଇଛି।
ଅପରପକ୍ଷରେ ଛେଣ୍ଡିପଦା ବ୍ଲକ ରାଇଝରଣ ଗ୍ରାମପଞ୍ଚାୟତରେ ବିସ୍ଥାପିତ ହୋଇ ଜମି ସ୍ୱତ୍ୱ ପାଇଥିବା ଧୋବମାଳିଆ ସାହି ବାସିନ୍ଦାଙ୍କୁ ପୁଣି ବିସ୍ଥାପନ ଚିନ୍ତା ଘାରିଛି। ସେଠାରେ ବିପୁଳ ପରିମାଣରେ କୋଇଲା ଥିବାରୁ ଧୋବମାଳିଆ ସାହି ସମେତ ଅଖପାଖ ଅଞ୍ଚଳରେ ଥିବା ଗ୍ରାମବାସୀଙ୍କୁ ବିସ୍ଥାପନ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।

Leave A Reply