bjd gruha runa banner

ମୁସ୍କାନ୍‍ଙ୍କୁ ସ୍ୱର୍ଣ୍ଣ; ଭାରତ ୨ୟ ସ୍ଥାନରେ

BSKY banner  750×100
0

ସିଡ୍‍ନୀ : ଏଠାରେ ଚାଲିଥିବା ଜୁନିୟର ବିଶ୍ୱକପ୍‍ ସୁଟିଂ ପ୍ରତିଯୋଗିତାରେ ଭାରତର ମୁସ୍କାନ୍‍ ଭୱାଁଲା ସ୍ୱର୍ଣ୍ଣପଦକ ଜିତିଛନ୍ତି। ୧୬ ବର୍ଷ ବୟସ୍କା ମୁସ୍କାନ୍‍ ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଫାଇନାଲରେ ମୁସ୍କାନ୍‍ ଚୀନ୍‍ର ପ୍ରତିଯୋଗୀ କ୍ୱିନ୍‍ ସିହାଙ୍ଗ୍‍ଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନରେ ରହିଥିଲେ। କ୍ୱିନ୍‍ ରୌପ୍ୟପଦକ ଜିତିଥିବା ବେଳେ ଥାଇଲାଣ୍ଡର କାନ୍ୟାକର୍ନ ହିରୁନ୍‍ଫୋଏମ୍‍ ୩ୟ ସ୍ଥାନରେ ରହି ବ୍ରୋଞ୍ଜ୍‍ପଦକ ଜିତି ପାରିଛନ୍ତି। ୨୫ ମିଟର ପିସ୍ତଲ ଦଳଗତ ଇଭେଣ୍ଟରେ ମଧ୍ୟ ଭାରତ ସ୍ୱର୍ଣ୍ଣପଦକ ଜିତିପାରିଛି। ମୁସ୍କାନ୍‍, ମାନୁ ଭାକର ଓ ଦେବାଂଶୀ ରାଣାଙ୍କୁ ନେଇ ଗଠିତ ଭାରତୀୟ ଦଳ ପ୍ରଥମ ସ୍ଥାନରେ ରହି ଦେଶକୁ ଆଉ ଏକ ସ୍ୱର୍ଣ୍ଣପଦକ ଜିତାଇଛନ୍ତି।

ଏହି ସ୍ୱର୍ଣ୍ଣ ସହ ମୋଟ ୨୨ଟି ପଦକ ସହ ଭାରତ ଦଳଗତ ଭାବେ ୨ୟ ସ୍ଥାନରେ ରହିପାରିଛି। ଏଥିରେ ୯ଟି ସ୍ୱର୍ଣ୍ଣପଦକ ଥିବା ବେଳେ ୫ଟି ରୌପ୍ୟ ଓ ୮ଟି ବ୍ରୋଞ୍ଜ୍‍ ପଦକ ରହିଛି। ଭାରତ ସହ ସମାନ ୯ଟି ସ୍ୱର୍ଣ୍ଣପଦକ ଜିତିଥିବା ଚୀନ୍‍ ପଦକ ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ମୁସ୍କାନ୍‍ଙ୍କ ସ୍ୱର୍ଣ୍ଣ ଭାରତ ପାଇଁ ୪ର୍ଥ ବ୍ୟକ୍ତିଗତ ସ୍ୱର୍ଣ୍ଣ। ବାକି ୫ଟି ସ୍ୱର୍ଣ୍ଣ ଭାରତ ଦଳଗତ ବିଭାଗରେ ଜିତିଥିଲା। ଫାଇନାଲରେ ମୁସ୍କାନ୍‍ ୩୫ ପଏଣ୍ଟ ପାଇଥିବା ବେଳେ ରୌପ୍ୟପଦକ ଜିତିଥିବା ଚୀନ୍‍ର କ୍ୱିନ୍‍ ୩୪ ପଏଣ୍ଟ ପାଇଥିଲେ। ଏହି ଇଭେଣ୍ଟରେ ଫାଇନାଲ ଯାଇଥିବା ୨ୟ ଭାରତୀୟ ଖେଳାଳି ମାନୁ ଭାକର ୪ର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ୨୫ ମିଟର ପିସ୍ତଲ ଦଳଗତ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ରୌପ୍ୟପଦକ ମଧ୍ୟ ଭାରତକୁ ମିଳିଥିଲା। ଏଥିରେ ଅରୁଣିମା ଗୌର, ମହିମା ଅଗ୍ରୱାଲ ଓ ତନୁ ରାୱଲଙ୍କୁ ନେଇ ଗଠିତ ଭାରତୀୟ ଦଳ ୨ୟ ସ୍ଥାନରେ ରହିଥିଲା।

Leave A Reply