www.samajalive.in
Monday, December 15, 2025
27.1 C
Bhubaneswar

ସରିଲା ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବାହୁଡା ଯାତ୍ରା ଶନିବାର ସମ୍ପନ୍ନ ହୋଇଛି। ଅପରାହ୍ଣ ୧ଘ .୨୫ମିନିଟ୍‌ରେ ରଥଟଣା ଆରମ୍ଭ ହୋଇ ଅପରାହ୍ଣ ୫ଘ.୨୦ମିନିଟ୍‌ରେ ଖଳାରେ ପହଞ୍ଚିଥିଲା। ମନ୍ଦିର ପ୍ରଶାସନ, ପୁଲିସ ପ୍ରଶାସନ ଓ  ସେବାୟତଙ୍କ ସହଯୋଗରେ ଦିଅଁଙ୍କର ବାହୁଡା ଯାତ୍ରା ଗୋଟିଏ ଦିନରେ ଶେଷ ହୋଇପାରିଛି।
କରୋନା ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାର ଶନିବାର ଓ ରବିବାରକୁ ସପ୍ତାହନ୍ତ  ବନ୍ଦ ପାଳନ କରୁଥିବା ବେଳେ କରୋନା କଟକଣା ଭିତରେ ଦିଅଁଙ୍କର ଏହି ଯାତ୍ରା ସମ୍ପନ୍ନ ହୋଇଛି। ଭୋର ସାଢେ୬ଟାରେ ମନ୍ଦିର ପହଡ ଖୋଲି ମଙ୍ଗଳ ଆଳତି ଓ ଅବକାଶ ନୀତି ହେବାପରେ ଦିଅଁଙ୍କ ଅନ୍ୟାନ୍ୟ ନୀତି ଆରମ୍ଭ ହୋଇଥିଲା। ଦିନ ପ୍ରାୟ ୧୦.୨୦ମିନିଟ୍‌ରେ ଭୋଗମଣ୍ଡପ ସରିବା ପରେ ଅଧରପଣା ନୀତି କରାଯାଇଥିଲା। ମଧ୍ୟାହ୍ନ ୧୨ଘ.୧୦ ମିନିଟ୍‌ରେ ରାମେଶ୍ବର ମନ୍ଦିରରୁ ଦିଅଁଙ୍କ ପହଣ୍ଡିବିଜେ ନୀତି ଆରମ୍ଭ ହୋଇ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦେବୀ ରୁକୁଣା ଓ ପ୍ରଭୁ ଦୋଳଗୋବିନ୍ଦ ରଥାରୂଢ ହୋଇଥିଲେ।

- Advertisement -

ଏହାପରେ ଅପରାହ୍ଣ ୧.୨୫ମିନିଟ୍‌ରେ ଡହ ଡହ ଟାଣ ଖରାରେ ରଥଟଣା ଆରମ୍ଭ ହୋଇଥିଲା। ସେବାୟତ ଓ ପୁଲିସ ପ୍ରଶାସନ ମିଶି  ରଥ ଟାଣିଥିଲେ।  ଖରଡା ସେବାୟତ ମାନେ ଖାଲିପାଦରେ ଦିଅଁଙ୍କ ସେବା କରୁଥିବାରୁ ଟାଇଁ ଟାଇଁ ଖରାରେ ପିଚୁ ରାସ୍ତାରେ ପାଦପକାଇ ନପାରି ଛଟପଟ ହୋଇଥିଲେ।  ମନ୍ଦିର ପ୍ରଶାସନ ଟ୍ୟାଙ୍କର ସାହାଯ୍ୟରେ ପାଣି ସିଞ୍ଚନ କରିବା ପରେ ରଥ ଆଗକୁ ଗଡୁଥିଲା।  ମଝିରେ ମନ୍ଦିର ପ୍ରଶାସନ ପାଣି ଯୋଗାଇବାରେ ହେଳା କରିବାରୁ ରଥଟଣା କାର୍ଯ୍ୟରେ ବିଳମ୍ବ ଘଟୁଥିଲା। ଏଥିପାଇଁ ଅଗ୍ନିଶମ ବିଭାଗ, ପୁଲିସ କମିସନର ଓ ୱାଟକୋ ପକ୍ଷରୁ  ପ୍ରାୟ ୧୪ଟି ପାଣି ଟ୍ୟାଙ୍କର ଯୋଗେ  ପାଣି ସିଞ୍ଚନ କରିବା ପରେ ରଥ ଆଗକୁ ଗଡିଥିଲା।  ରଥଦାଣ୍ଡ କଡରେ ଗାଡି କାର୍‌ ପାର୍କିଂ ଓ ବାଇକ ରଖିବା ଯୋଗୁଁ ରଥଟଣାରେ ବିଭ୍ରାଟ ଘଟୁଥିଲା। ରଥ ଅସୁରକିଆରି ନିକଟରେ ପହଞ୍ଚିବା ପରେ ସେଠାରେ ଦିଅଁଙ୍କୁ ଦ୍ବିପ୍ରହର ଧୂପ  କରାଯାଇଥିଲା। ଏହାପରେ ରଥ ଗୋ-ସାଗରେଶ୍ବର ଛକ ଅଭିମୁଖେ ଗଡିଥିଲା। ଗୋ-ସାଗରେଶ୍ବର ଏକ ଫାଷ୍ଟଫୁଡ ଦୋକାନକୁ ରଥମାଡି ଯାଇଥିଲା। ଏହାପରେ ଖରଡା ସେବାୟତ ରଥକୁ ନିୟନ୍ତ୍ରଣ କରି  ରାସ୍ତା ମଝିକୁ ଆଣିଥିଲେ।  କରୋନା ବନ୍ଦ ନିୟମ ପାଳନ ହେଉଥିବା ବେଳେ  ସ୍ଥାନୀୟ ଲୋକେ ବାହୁଡା ଯାତ୍ରା ଦେଖିବାକୁ ନିଜର ଘର ଆଗରେ ଓ ଗଳି ସାମ୍ନାରେ ଏକତ୍ର ହୋଇଥିଲେ। ପୁଲିସ ପକ୍ଷରୁ ସେମାନଙ୍କୁ ବାରଣ କରାଯାଇଥିଲେ ଦିଅଁଙ୍କ ଯାତ୍ରା ଦେଖିବାରେ ପୁଲିସ ସକ୍ଷମ ହୋଇପାରିନଥିଲେ। ରଥ କପାଳି ମଠ ନିକଟରେ ପହଞ୍ଚିବା ପରେ ଦେବୀ ପାର୍ବତୀ ସୁସଜ୍ଜିତ ପାଲିଙ୍କିରେ ସେବାୟତଙ୍କ ଗହଣରେ ଦିଅଁ ରଥରେ ଆସିଛନ୍ତି କି, ନାହିଁ ତାହାକୁ ତଦାରଖ କରିବାକୁ ଆସିଥିଲେ। ମହାପ୍ରଭୁ ଶ୍ରୀଲିଙ୍ଗରାଜ ରଥରେ ଥାଇ ଦେବୀ ପାର୍ବତୀଙ୍କୁ ଆଜ୍ଞାମାଳ ଦେଇ ଜଣାଇଥିଲେ ସେ ରଥରେ ଆସିବାର ପ୍ରମାଣ ଦର୍ଶାଇଥିଲେ। ଦେବୀ ପାର୍ବତୀ ଦିଅଁଙ୍କ ଆଜ୍ଞାମାଳ ପାଇବା ପରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ  କରି ଚାହାଣି ମଣ୍ଡପରେ ଦିଅଁଙ୍କ ଫେରିବା ବାଟକୁ ଅପେକ୍ଷା କରିଥିଲେ।

ଦିଅଁଙ୍କର ଏହି ବାହୁଡା ଯାତ୍ରାକୁ ଶୃଙ୍ଖଳିତ ଭାବେ ପାଳନ କରିବା ଲାଗି  ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଖୋର୍ଦ୍ଧା ଜିଲାପାଳ ସନତ କୁମାର ମହାନ୍ତି, ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ, ଉପ ଜିଲାପାଳ ଦେବବ୍ରତ ସାହୁ ପ୍ରମୁଖ  ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିଥିଲେ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ, ଶ୍ରୀଲିଙ୍ଗରାଜ ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ର ଏସିପି ବିଷ୍ଣୁ ପ୍ରସାଦ ପାତ୍ର ,ବ୍ରାହ୍ମଣ ନିଯୋଗ ସମ୍ପାଦକ ବରିଞ୍ଚି ନରାୟଣ ପତି, ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ, ପୂର୍ବତନ କର୍ପୋରେଟର ରାଜେନ୍ଦ୍ର ସମର୍ଥା, ବିରଞ୍ଚି ନାରାୟଣ ମହାସୁପକାର, ପ୍ରମୋଦ ମହାପାତ୍ର  ତଥା କମିସନରେଟ ପୁଲିସର ବହୁ ବରିଷ୍ଠ ଅଧିକାରୀଙ୍କୁ ନେଇ ବାହୁଡା ଯାତ୍ରା ସମ୍ପନ୍ନ ହୋଇଥିଲା।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories