ଭଙ୍ଗା ଘରେ ବତିୁଛି ଜୀବନ, ସରକାରୀ ସହାୟତା ସାତସପନ
ଜୀବନ ଯୁଦ୍ଧରେ ହାରି ନାହିାଁନ୍ତି ଦୁଇ ଭଉଣୀ
ରାଉରକେଲା : କନ୍ୟା ହେଉଛି ଘରର ଲକ୍ଷ୍ମୀ। ଏସବୁ କେବଳ ପ୍ରବାଦ ନୁହେଁ, ବରଂ ବାସ୍ତବ କ୍ଷେତ୍ରରେ ଏହାକୁ ପ୍ରମାଣ କରିଛନ୍ତି ଦୁଇ କନ୍ୟା ରତ୍ନ ସୁଜ୍ଞାନୀ ଓ ସୁବାସିନୀ। ରାଉରକେଲାର ଏକ ଦୋକାନରେ କାମ କରନ୍ତି ସୁଜ୍ଞାନୀ ଓ ସୁବାସିନୀ। ଦୁଇ ଭଉଣୀଙ୍କ କାହାଣୀ କୌଣସି ଚଳଚ୍ଚିତ୍ର କାହାଣୀଠାରୁ କମ୍ ନୁହେଁ। ଦୁଇ ଭଉଣୀଙ୍କ ଘର ବନ୍ଧମୁଣ୍ଡାର ଶୀତଳନଗର ଅଞ୍ଚଳରେ। ବନ୍ଧମୁଣ୍ଡାରେ ରହୁଥିବା କାଳିଆ ପ୍ରଧାନ ଓ ସୁଷମା ପ୍ରଧାନଙ୍କର ୪ଟି ପିଲାଙ୍କ ମଧ୍ୟରୁ ଝିଅ ସୁଜ୍ଞାନୀ, ସୁବାସିନୀ ଓ ସୁଜାତା ଓ ପୁଅ ସୁରଜ ଥିଲେ। ଗତ ୭ବର୍ଷ ତଳେ ସୁରଜ ରୋଗରେ ଆକ୍ରାନ୍ତ ହେବା ପରେ ବାପା ତାର ଚିକତ୍ସା ଆରମ୍ଭ କରିଥିଲେ। ପରିବାର ଦାରିଦ୍ର୍ୟ ଭିତରେ ଥିବାରୁ ମା’ ସୁଷମା ସୁଧରେ ଟଙ୍କା କରଜ ଆଣି ପୁଅର ଚିକିତ୍ସା କରୁଥିଲେ। ନାନାଦି ଚିକିତ୍ସା ପରେ ମଧ୍ୟ ପୁଅର ଆରୋଗ୍ୟ ସମ୍ଭବ ହେଲା ନାହିଁ। କିଛି ଦିନ ପରେ ପୁଅର ମୃତ୍ୟୁ ହେଲାରୁ ବାପା, ମା’ ଦୁଃଖରେ ଭାଙ୍ଗି ପଡ଼ିଲେ। ତେବେ ଏହି ଦୁଃଖ ବେଳେ ସେମାନଙ୍କୁ ସାହସ ଓ ଦମ୍ଭ ଯୋଗାଇଥିଲେ ଦୁଇ ଝିଅ ସୁଜ୍ଞାନୀ ଓ ସୁବାସିନୀ। ସୁଜାତା ସାନ ହୋଇଥିବାରୁ ପରିବାରର ଦୁଃଖ ବୁଝିପାରୁନଥିଲା। ଏହି ଦୁଃଖ ଭିତରେ ପରିବାର ପାଇଁ ଅଧିକ ଯନ୍ତ୍ରଣା ବଢାଇଥିଲା ଦେଇଥିବା ଲୋକଙ୍କ ସୁଧ ଓ ମୂଳ ପାଇଁ ବାରମ୍ବାର ତାଗିଦ କରିବା। ଏପରିକି ସେମାନଙ୍କଠାରୁ ବହୁ ଗାଳି ଗୁଲଜ ଶୁଣିବାକୁ ପଡ଼ୁଥିଲା। ଏହି ସମୟ ମଧ୍ୟରେ ମା’ ସୁଷମା ରୋଗରେ ପଡ଼ିବାରୁ ତାଙ୍କର ଚିକିତ୍ସା ପାଇଁ ଧାର କରଜ ବଢିଲା। ଭୁବନେଶ୍ୱରକୁ ବାରମ୍ବାର ସୁଷମାଙ୍କୁ ଚିକିତ୍ସା ପାଇଁ ଯିବାକୁ ପଡ଼ିଲା। ଏହି ସମୟରେ ପରିବାର ପାଇଁ ପାଠପଢାକୁ ଅଧାରେ ଛାଡ଼ି ରୋଜଗାର ପାଇଁ ଅଣ୍ଟା ଭିଡ଼ିଲେ ଦୁଇ ଭଉଣୀ। ବାପା ଓ ମା’ଙ୍କୁ ସାହସ ଦେଲେ। ଲୋକଙ୍କ ଧାର, ଉଧାର ଶୁଝିବେ ଓ ମା’ର ଚିକିତ୍ସା ମଧ୍ୟ କରିବେ। ଯୁକ୍ତ ଦୁଇ ଓ ଦଶମ ଶ୍ରେଣୀରୁ ପାଠ ପଢା ଛାଡ଼ି କାମ ଧନ୍ଦା ଖୋଜିଲେ ଦୁଇ ଭଉଣୀ।
ସୁଜ୍ଞାନୀ ରାଉରକେଲାର ମାକ୍ସ ବେକରୀ ଦୋକାନରେ ଓ ସୁବାସିନୀ କନକ ଜୁଏଲେରୀରେ କାମ କଲେ। ବାପା ଓ ମା’ ଭୁବନେଶ୍ୱରରେ ଏକ ଛୋଟ ଘର ନେଇ ରହୁଥିବାବେଳେ ସେଠାରେ ମା’ଙ୍କର ଚିକିତ୍ସା ଚାଲିଛି। ବେଳେ ବେଳେ ବାପା, ମା’ ପୈତୃକ ଘର ବ୍ରହ୍ମୁପୁରକୁ ଯାଇ ରହୁଛନ୍ତି। ଘରେ ଥିବା ସାନ ଭଉଣୀ ସୁଜାତାକୁ ବନ୍ଧମୁଣ୍ଡା କଲେଜରେ ପାଠ ପଢାଇଥିବାବେଳେ ସେ +୨ ପାସ୍ କରି ସାରିଛନ୍ତି। ବାପା ଓ ମା’ଙ୍କୁ ପଇସା ଦେବା, ଲୋକଙ୍କ କରଜ ଶୁଝିବା ସହିତ ଜୀବନ ଜୀବିକା ନିର୍ବାହ କରିବା ଯନ୍ତ୍ରଣା ଦାୟକ ହେଲେ ମଧ୍ୟ ଦୁଇ ଭଉଣୀ ଏହି ଜୀବନ ଯୁଦ୍ଧରେ ହାରି ନାହିାଁନ୍ତି। ବରଂ ଦୃଢ ଆତ୍ମ ବିଶ୍ୱାସ ସେମାନଙ୍କୁ ଜୀବନ ଜିଇଁବାର ଏକ ଅପୂର୍ବ ସାହସ ଯୋଗାଇଛି। ସେମାନଙ୍କ ପାଇଁ ସବୁଠାରୁ କଷ୍ଟଦାୟକ ହୋଇଛି ବିପଦ ଶଙ୍କୁଳ ଭଙ୍ଗା ଦଦରା ଘରେ ଜୀବନ ବିତାଇବା। ଭାଇ ଦେହ ଖରାପ ବେଳେ ହେଉ ଅବା ବିଭିନ୍ନ ଦୁଃଖ ସମୟରେ ସରକାରୀ ଯୋଜନା ସେମାନଙ୍କ ପାଇଁ ସାତସପନ ପାଲଟିଛି। ସ୍ଥାନୀୟ ଅଂଚଳର କେତେକ ସହଯୋଗୀଙ୍କ ଜରିଆରେ ସରକାରୀ ଯୋଜନା ପାଇଁ ସେମାନେ ଆବେଦନ କରିଛନ୍ତି। ଏପରିକି ବିଭିନ୍ନ ସମୟରେ ଲୋକପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ଏବେବି ସେମାନଙ୍କ ଦୁଃଖ ବୁଝିବା ପାଇଁ ସରକାରୀ ଯୋଜନା କାମରେ ଆସୁନାହିଁ। ବିଶେଷକରି ଗରିବ ଲୋକଙ୍କ ଚିକିତ୍ସା ପାଇଁ ସରକାର ବହୁ ଯୋଜନା ପ୍ରଣୟନ କରିଛନ୍ତି। ଏଥିରୁ ମଧ୍ୟ ପରିବାର ବଂଚିତ ହୋଇଛି। ତେବେ ଏସବୁ ଭିତରେ ଦୁଇ ଭଉଣୀଙ୍କ ପରିଶ୍ରମକୁ ଦେଖିଲେ ଯେକେହିବି ଆଶ୍ଚର୍ଯ୍ୟ ହେବ। ବନ୍ଧମୁଣ୍ଡାରୁ ଆସି ରାଉରକେଲାରେ ସକାଳେ କର୍ମକ୍ଷେତ୍ରରେ ପହଂଚିବା ଏବଂ ରାତିରେ ପୁଣି ଘରକୁ ଫେରି ଅନ୍ୟ କାର୍ଯ୍ୟ କରିବା କଷ୍ଟସାଧ୍ୟ ହେଲେ ମଧ୍ୟ ଦୁଇ ଭଉଣୀ ଏହାକୁ ଜୀବନର ଆହ୍ୱାନ ଭାବେ ଗ୍ରହଣ କରିଛନ୍ତି। ଉଭୟଙ୍କୁ ଯେତେ ସାବାସୀ ଦେଲେ ମଧ୍ୟ କମ୍ ହେବ। ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।
Comments are closed.