ଆଇସିସି ବିଶ୍ବକପ୍ ଏକାଦଶରେ ରୋହିତ ଓ ବୁମ୍ରା
ଲଣ୍ଡନ୍ : ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସୋମବାର ୨୦୧୯ ବିଶ୍ବକପ୍ ଏକାଦଶ ଘୋଷଣା କରାଯାଇଛି। ଏଥିରେ ଭାରତର ଦୁଇ ଖେଳାଳି ଓପ୍ନିଂ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଓ ଓପ୍ନିଂ ବୋଲର ଯଶପ୍ରୀତ୍ ବୁମ୍ରା ରହିଛନ୍ତି। ଆୟୋଜକ ଇଂଲଣ୍ଡ ବିଶ୍ବକପ୍ ଚମ୍ପିଆନ୍ ହୋଇଥିବାରୁ ଆଶା ଅନୁସାରେ ଘୋଷିତ ଦଳରେ ସେମାନଙ୍କର ପ୍ରାଧାନ୍ୟ ଦେଖିବାକୁ ମିଳିଛି। ୫୭୮ ରନ୍ କରିବା ସହ ତାଙ୍କ ନେତୃତ୍ବ ନେବା ଶୈଳୀ ଯୋଗୁଁ ପ୍ଲେୟର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଘୋଷିତ ହୋଇଥିବା ନ୍ୟୁଜିଲାଣ୍ଡର କେନ୍ ୱିଲିୟମ୍ସନ୍ ଉକ୍ତ ଦଳର ଅଧିନାୟକ ଘୋଷିତ ହୋଇଛନ୍ତି। ଅଧିନାୟକ ଭାବେ ବିଶ୍ବକପ୍ରେ କେହି ୱିଲିୟମ୍ସନ୍ଙ୍କଠାରୁ ଅଧିକ ରନ୍ କରିନାହାନ୍ତି। ରବିବାର ଲଣ୍ଡନ୍ରେ ନାଟକୀୟ ଫାଇନାଲ ଖେଳିଥିବା ୬ ଜଣ ଖେଳାଳି ଏହି ଦଳରେ ରହିଛନ୍ତି। ତେବେ ଏହି ଏକାଦଶରେ କୌଣସି ସ୍ପିନର ନାହାନ୍ତି।
ଆଇସିସି ପକ୍ଷରୁ ଏହି ଏକାଦଶକୁ ଭାଷ୍ୟକାର ଥିବା ତଥା ପୂର୍ବତନ କ୍ରିକେଟର ଇଆନ୍ ବିଶପ୍, ଇଆନ୍ ସ୍ମିଥ୍ ଓ ଇସା ଗୁହା, କ୍ରିକେଟ ପତ୍ରକାର ଲରେନ୍ସ ବୁଥ୍ ଓ ଆଇସିସି କ୍ରିକେଟ ପରିଚାଳକ ଜିଓଫ୍ ଆଲାର୍ଡିସ୍ ବାଛିଛନ୍ତି। ପ୍ରଥମଥର ବିଶ୍ବକପ୍ ଚମ୍ପିଆନ୍ ହୋଇଥିବା ଇଂଲଣ୍ଡର ସର୍ବାଧିକ ୪ ଜଣ ଖେଳାଳି ଆଇସିସି ବିଶ୍ବକପ୍ ଏକାଦଶରେ ରହିଛନ୍ତି। ଓପ୍ନର ଭାବେ ରଖାଯାଇଛି ଇଂଲଣ୍ଡର ଜେସନ୍ ରୟ ଓ ଭାରତର ରୋହିତ ଶର୍ମାଙ୍କୁ। ବିଶ୍ବକପ୍ରେ ରୋହିତ ୫ଟି ସହ ସର୍ବାଧିକ ୬୪୮ ରନ୍ କରିଛନ୍ତି। ରୟ ୮ଟି ଇନିଂସରୁ ୪୪୩ ରନ୍ କରିଛନ୍ତି। ୩ନଂ ସ୍ଥାନ ନେବେ ଅଧିନାୟକ କେନ୍ ୱିଲିୟମ୍ସନ୍। ଇଂଲଣ୍ଡ ପାଇଁ ସର୍ବାଧିକ ତଥା ମୋଟଉପରେ ୫ମ ସର୍ବାଧିକ ୫୫୬ ରନ୍ କରିଥିବା ଜୋ ରୁଟ୍ ୪ନଂ ସ୍ଥାନରେ ରହିଛନ୍ତି। ବ୍ୟାଟିଂେର ୬୦୬ ରନ୍କରି ୩ୟ ସ୍ଥାନରେ ରହିବା ସହ ୧୧ଟି ୱିକେଟ ନେଇଥିବା ବାଂଲାଦେଶର ବାମହାତି ଅଲ୍ରାଉଣ୍ଡର ସାକିବ୍ ଅଲ୍ ହାସନ୍ ୫ନଂ ସ୍ଥାନରେ ରହିଛନ୍ତି। ୫୩୨ ରନ୍ କରିବା ସହ ୭ଟି ୱିକେଟ ନେଇଥିବା ବେନ୍ ଷ୍ଟୋକ୍ସ ୬ନଂ ସ୍ଥାନରେ ରହିଛନ୍ତି। ଫାଇନାଲରେ ଚମତ୍କାର ପ୍ରଦର୍ଶନ ଯୋଗୁଁ ଷ୍ଟୋକ୍ସ ପ୍ଲେୟର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ। ଅଷ୍ଟ୍ରେଲିଆର ଆଲେକ୍ସ କ୍ୟାରି ୱିକେଟ ରକ୍ଷକ ଭାବେ ୭ନଂ ସ୍ଥାନରେ ରହିଛନ୍ତି। କ୍ୟାରି ୨୦ଟି ଶିକାର ହାସଲ କରିଥିବା ବେଳେ ୩୭୫ ରନ୍ କରିଛନ୍ତି। ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୨୭ଟି ୱିକେଟ ନେଇଥିବା ଅଷ୍ଟ୍ରେଲିଆର ବାମହାତି ଫାଷ୍ଟବୋଲର ମିଚେଲ ଷ୍ଟାର୍କ ୮ନଂ ସ୍ଥାନରେ ଅଛନ୍ତି। ୨୦ଟି ୱିକେଟ ନେଇଥିବା ଇଂଲଣ୍ଡ ଜୋଫ୍ରା ଆର୍ଚର ୯ମ ଓ ୨ୟ ସର୍ବାଧିକ ୨୧ଟି ୱିକେଟ ନେଇଥିବା ନ୍ୟୁଜିଲାଣ୍ଡର ଫାଷ୍ଟବୋଲର ଲୋକି ଫର୍ଗୁସନ୍ ୧୦ମ ସ୍ଥାନରେ ରହିଛନ୍ତି। ଓଭର ପିଛା ମାତ୍ର ୪.୪୧ ରନ୍ ଦେଇ ୧୮ଟି ୱିକେଟ ନେଇଥିବା ଆଇସିସି ଦିନିକିଆ ବୋଲର ମାନ୍ୟତାରେ ୧ନଂ ସ୍ଥାନରେ ଥିବା ଭାରତର ଯଶପ୍ରୀତ୍ ବୁମ୍ରା ୧୧ଶ ସ୍ଥାନରେ ଅଛନ୍ତି।
ଆଇସିସି ବିଶ୍ବକପ୍ ଏକାଦଶ-
ରୋହିତ ଶର୍ମା, ଜେସନ୍ ରୟ, କେନ୍ ୱିଲିୟମ୍ସନ (ଅଧିନାୟକ), ଜୋ ରୁଟ୍, ସାକିବ୍ ଅଲ୍ ହାସନ୍, ବେନ୍ ଷ୍ଟୋକ୍ସ, ଆଲେକ୍ସ କ୍ୟାରି, ମିଚେଲ ଷ୍ଟାର୍କ, ଜୋଫ୍ରା ଆର୍ଚର, ଲୋକି ଫର୍ଗୁସନ୍ ଓ ଯଶପ୍ରୀତ ବୁମ୍ରା।
Comments are closed.