ନୂଆଦିଲ୍ଲୀ : କେନ୍ଦ୍ର ସରକାର ରୋହିଙ୍ଗ୍ୟା ସମେତ ସମସ୍ତ ବେଆଇନ ଶରଣାର୍ଥୀଙ୍କୁ ଦେଶ ପାଇଁ ବିପଦ ବୋଲି ଦର୍ଶାଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଶନିବାର ଜାମ୍ମୁ କାଶ୍ମୀର ସମେତ ସମସ୍ତ ରାଜ୍ୟ ସରକାରଙ୍କୁ ଅନୁପ୍ରବେଶ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ସୁରକ୍ଷା ଦୃଷ୍ଟରୁ ରାଜ୍ୟଙ୍କ ପାଇଁ ୫ଟି ନିର୍ଦେଶ ଜାରି କରାଯାଇଛି।
ଏହି ନିର୍ଦେଶାବଳୀରେ କୁହାଯାଇଛି ଯେ
୧-ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଚିହ୍ନଟ ସ୍ଥାନରେ ରଖାଯାଉ। ଏହାଦ୍ୱାରା ରାଜ୍ୟ ପୁଲିସ୍ ଏବଂ ଅନ୍ୟ ସୁରକ୍ଷା ସଂସ୍ଥା ସେମାନଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖିପାରିବେ। ୨-ଏଠାରେ ରହୁଥିବା ସମସ୍ତ ଶରଣାର୍ଥୀଙ୍କ ଚିହ୍ନଟ ହେବା ଆବଶ୍ୟକ। ସେମାନଙ୍କ ନାମ, ଜନ୍ମ ତାରିଖ, ଜନ୍ମ ସ୍ଥାନ, ବାପା-ମାଆଙ୍କ ନାମ, କେଉଁ ଦେଶର ଏସବୁ ତଥ୍ୟ ଲିପିବଦ୍ଧ କରାଯାଉ।
୩-ବେଆଇନ ଭାବେ ଦେଶରେ ଅନୁପ୍ରବେଶ କରିଥିବା ଶରଣାର୍ଥୀଙ୍କ ବାୟୋମେଟ୍ରିକ ଚିହ୍ନଟ ପ୍ରମାଣ ନିଆଯାଉ। ଏହାଦ୍ୱାରା ସେମାନେ ନିଜ ପରିଚୟ ବଦଳାଇ ପାରିବେ ନାହିଁ। ଏହି ଲୋକଙ୍କ ଯେପରି ଆଧାର କାର୍ଡ ପ୍ରସ୍ତୁତ କରା ନ ଯାଏ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି।
୪-ଏହି ଲୋକଙ୍କଠାରୁ ପ୍ରାପ୍ତ ତଥ୍ୟ ଆଧାରରେ ବିଦେଶ ମନ୍ତ୍ରାଳୟ ମିଅାଁମାର ସରକାରଙ୍କ ସହ ବୁଝାମଣା କରିବ ଓ ସେମାନଙ୍କୁ ଫେରାଇବାର ବ୍ୟବସ୍ଥା କରାଯିବ।
୫-ସେମାନଙ୍କ ସମସ୍ତ ଗତିବିଧି ଉପରେ ନଜର ରଖିବାକୁ କୁହାଯାଇଛି।
ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ଅନୁଜ ଶର୍ମା ରୋହିଙ୍ଗ୍ୟାଙ୍କ ବେଆଇନ ଅନୁପ୍ରବେଶକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଅନୁପ୍ରବେଶ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି।
ରୋହିଙ୍ଗ୍ୟାଙ୍କ ଅନୁପ୍ରବେଶ ରୋକିବା ପାଇଁ ନିର୍ଦେଶାବଳୀ ଜାରି
Popular Categories



