୪ ଜଣ ରୋଗୀଙ୍କୁ କାନ୍ଧ ଓ ଷ୍ଟ୍ରେଚରେ ୪କି.ମି. ବୋହି ଆଣିଲେ ଆମ୍ବୁଲାନ୍ସ କର୍ମଚାରୀ
ଦୁର୍ଗମ ଅପହଞ୍ଚ ଇଲାକାରେ ନାହିଁ ରାସ୍ତା
ଦେବଗଡ଼ : ରାସ୍ତା ନାହିଁ ବୋଲି ଅପହଞ୍ଚ ଗ୍ରାମରୁ ୪ ଜଣ ରୋଗୀଙ୍କୁ କାନ୍ଧରେ ଏବଂ ଷ୍ଟ୍ରେଚରର ଦୀର୍ଘ ୪ କି.ମି. ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଲେ ଆମ୍ବୁଲାନ୍ସ କର୍ମଚାରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ ଜିଲା ବାରକୋଟ ବ୍ଲକର ଦୁର୍ଗମ ତଥା ଆଦିମ ଜନଜାତି ପାଉଡି ଭୁୟାଁ ଅଧ୍ୟୁଷିତ ବମ୍ପରଡା ଗ୍ରାମ ପଂଚାୟତର କଲାଡୁ ଗ୍ରାମରେ । ମିଳିଥିବା ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନରେ ୧୦୮ ଆମ୍ବୁଲାନ୍ସ କଲ୍ ସେଣ୍ଟରରୁ ନିର୍ଦ୍ଦେଶ ପାଇ ଜ୍ୱରରେ ପୀଡିତ କଲାଡୁ ଗ୍ରାମର ଟିଲା ପ୍ରଧାନଙ୍କ ସ୍ତ୍ରୀ ଶ୍ରୀମତି ପ୍ରଧାନ(୨୬) ତାଙ୍କ ଝିଅ ଅଞ୍ଜନା ପ୍ରଧାନ(୯), ପୁଅ ଦିପୁନ ପ୍ରଧାନ( ୩) ଓ ୫ ମାସର ଶିଶୁ ପୁତ୍ର ଆଶିଷଙ୍କୁ ଡାକ୍ତରଖାନା ଆଣିବା ପାଇଁ ଅବିଳମ୍ବେ କଲାଡୁ ଗ୍ରାମ ଅଭିମୁଖେ ବାହାରିଥିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ କେଦାର ସାହୁ(ଫାର୍ମାସିଷ୍ଟ), ଗୌତମ ପ୍ରଧାନ (ଚାଳକ) ଓ ବାଦଲ ସାହୁ (ସହାୟକ) । ମାତ୍ର ୧୦୮ ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତା ନଥିବାରୁ କଲାଡୁ ଗ୍ରାମ ଠାରୁ ପ୍ରାୟ ୪ କି.ମି. ଦୂରରେ ଏକ ପାହାଡ ନିକଟରେ ଆମ୍ବୁଲାନ୍ସଟି ଅଟକି ରହିଥିଲା । ମୋବାଇଲ ନେଟୱର୍କ ଅପହଞ୍ଚ ରହିଥିବାରୁ ସୂଚନାକାରୀ ଗୃହକର୍ତ୍ତା ଟିଲା ପ୍ରଧାନଙ୍କ ସହ ଯୋଗାଯୋଗ ହୋଇପାରିନଥିଲା।
ତେବେ ସେହି ଦୁର୍ଗମ ରାସ୍ତାରେ ପାଦରେ ଚାଲି କଲାଡୁ ଗ୍ରାମକୁ ଯାଉଥିବା ଜଣେ ବ୍ୟକ୍ତିଙ୍କ ସହିତ ସେମାନେ ପ୍ରାୟ ୪ କି.ମି. ପାହାଡ ଏବଂ ଘାଟି ରାସ୍ତାରେ ଚାଲିଚାଲି କଲାଡୁ ଗ୍ରାମରେ ପହଞ୍ଚିଥିଲେ। ସେଠାରୁ ଏହି ୪ ଜଣ ରୋଗୀଙ୍କୁ ଅଖିଆ ଅପିଆ ଥିବା ଆମ୍ବୁଲାନ୍ସ କର୍ମଚାରୀ ମାନେ ବହୁ କଷ୍ଟରେ ନିଜର କାନ୍ଧ ଏବଂ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣିଥିଲେ ଓ ଆମ୍ବୁଲାନ୍ସ ଦ୍ୱାରା ସେମାନଙ୍କୁ ବାରକୋଟ ବ୍ଲକ ସଦର ମହକୁମା ସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରୋଗୀ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲା ବେଳକୁ ଅପରାହ୍ନ ହୋଇସାରିଥିଲା। ଅର୍ଥାତ ରୋଗୀ ମାନଙ୍କୁ ଡାକ୍ତରଖାନାରେ ପହଂଚାଇବା ପାଇଁ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କୁ ପାଖାପାଖି ୬ ଘଂଟା ସମୟ ଲାଗିଯାଇଥିଲା । ତେବେ ଯଦି ଉପରୋକ୍ତ ଜ୍ୱର ପୀଡିତଙ୍କ ସ୍ଥାନରେ କୌଣସି ସାପ କାମୁଡା ରୋଗୀ , ବିଷପାନ କରିଥିବା ବ୍ୟକ୍ତି କିମ୍ବା ଆସନ୍ନ ପ୍ରସବା ଗର୍ଭବତୀ ରହିଥାନ୍ତେ ତେବେ ସେମାନଙ୍କର ଅବସ୍ଥା କ’ଣ ହୋଇଥାନ୍ତା ତାହା ସହଜରେ ଅନୁମେୟ । ଏଣୁ ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ ଏହି ଗ୍ରାମକୁ ଏକ ସବୁଦିନିଆ ରାସ୍ତା ନିର୍ମଣ କରି ଏଭଳି ସମସ୍ୟା ଦୂର କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି । ଅନ୍ୟ ପକ୍ଷରେ ଅଖିଆ ଅପିଆ ଥିବା ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କର ଏଭଳି ମହତ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି।
Comments are closed.