ବଳ ଗୋଟାଉଛି ବାତ୍ୟା ରିମାଲ : ମଧ୍ୟରାତ୍ରିରେ ସ୍ଥଳଭାଗ ଛୁଇଁବ

ଭୁବନେଶ୍ବର :  ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ରିମାଲ।  ଅଧିକ ଘନୀଭୂତ ହୋଇ ଆଜି ଭୀଷଣ ବାତ୍ୟାରେ ପରିଣତ ହେବ ।  ମଧ୍ୟରାତିରେ ବାଂଲାଦେଶ ଓ ପଶ୍ଚିମବଙ୍ଗ ମଧ୍ୟବର୍ତ୍ତୀ ସାଗରଦ୍ବୀପ ଏବଂ ଖେପୁପାଡ଼ା ମଧ୍ୟରେ କୌଣସି ସ୍ଥାନରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଉପକୂଳ ଛୁଇଁବା ସମୟରେ ସାମୁଦ୍ରିକ ଝଡ଼ ପ୍ରଭାବରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦କି.ମି ରହିପାରେ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର ଏବଂ ଭଦ୍ରକ ଜିଲାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।  ମୟୂରଭଞ୍ଜ ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି। ଘୂର୍ଣ୍ଣିଝଡ଼ ପ୍ରଭାବ ଯୋଗୁଁ ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ସତର୍କ ସୂଚନା ଜାରି କରାଯାଇଛି। ଶନିବାର ନୂଆପଡାରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ ହୋଇଛି। ବଲାଙ୍ଗିର ୪୨.୧ ଡିଗ୍ରୀ ଥିବାବେଳେ ଟିଟିଲାଗଡ ୪୧.୫,ବୌଦ୍ଧ ୪୧, ସମ୍ବଲପୁର ୪୦.୭, ଝାରସୁଗୁଡା ୪୦.୬, ଭୁବନେଶ୍ବର ୩୮.୫ ଏବଂ କଟକରେ ୩୭.୫ ଡିଗ୍ରୀ ରେକର୍ଡ ହୋଇଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ; କିନ୍ତୁ ପରବର୍ତ୍ତୀ ସମୟରେ ଦିନ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସମ୍ଭାବନା ରହିଛି। ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଖୋର୍ଦ୍ଧା ଏବଂ ପୁରୀ ଜିଲାରେ ପବନ ବହିବାର ଆଶଙ୍କା ରହିଛି। ଉପରୋକ୍ତ ଅଞ୍ଚଳଗୁଡିକରେ ତାପମାତ୍ରା ଘଣ୍ଟାପ୍ରତି ୪୦ରୁ ୫୦କି.ମି ଏବଂ ସ୍ଥଳବିଶେଷରେ ଘଣ୍ଟାପ୍ରତି ୬୦କି.ମି ଛୁଇଁପାରେ। ସମ୍ପୃକ୍ତ ଜିଲାର ଜିଲାପାଳ ସତର୍କ ରହିବାକୁ ଏସଆରସି ସତ୍ୟବ୍ରତ ସାହୁ ନିର୍ଦେଶ ଦେଇଛନ୍ତି।

Comments are closed.