ଅସ୍ତରଙ୍ଗରେ ନିର୍ମାଣ ହେବ ଦ୍ବିତୀୟ ମାଛଧରା ବନ୍ଦର

ଅସ୍ତରଙ୍ଗ : ମତ୍ସ୍ୟ ଉତ୍ପାଦନ ଓ ବ୍ୟବସାୟ ପାଇଁ ପ୍ରସିଦ୍ଧି ହାସଲ କରିଥିବା ଅସ୍ତରଙ୍ଗ ନୂଆଗଡ଼ଠାରେ ଆଉଏକ ନୂତନ ମାଛଧରା ବନ୍ଦର ନିର୍ମାଣ ହେବ। ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ ହେବା ସହ ୨୫୦ଟି ଟ୍ରଲର ରହିବା ଭଳି ବ୍ୟବସ୍ଥା କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ସାମୁଦ୍ରିକ ମତ୍ସ୍ୟବିଭାଗ ପକ୍ଷରୁ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମତ୍ସ୍ୟ ପ୍ରକ୍ରିୟାକରଣ, ରପ୍ତାନି ସୁବିଧା, ମତ୍ସ୍ୟଜୀବୀଙ୍କ ରହଣି, ବରଫ କଳ ସୁବିଧା, ଶୁଖୁଆ ପ୍ରସ୍ତୁତି ବ୍ୟବସ୍ଥା, ଯାନବାହନ ଚଳାଚଳ ଓ ପାର୍କିଂ ବ୍ୟବସ୍ଥା ପ୍ରଭୃତି ସୁବିଧା ଏହି ପ୍ରସ୍ତାବିତ ନୂତନ ମାଛଧରା ବନ୍ଦରରେ ଉପଲବ୍ଧ ହେବ। ଖୁବ୍ ଶୀଘ୍ର ଟେଣ୍ଡର ପ୍ରକ୍ରିୟା କରାଯାଇ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏହାଦ୍ବାରା ସ୍ଥାନୀୟ ଅଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହୋଇପାରିବ ବୋଲି ଜିଲା ଅତିରିକ୍ତ ସାମୁଦ୍ରିକ ମତ୍ସ୍ୟ ନିର୍ଦେଶକ ରମେଶ ଚନ୍ଦ୍ର ରାଉଳ ସୂଚନା ଦେଇଛନ୍ତି।
୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ନୂତନ ବନ୍ଦରର ପ୍ରାରମ୍ଭିକ ପରିବେଶ ମଞ୍ଜୁରୀ ଏବଂ ଜମି ସର୍ଭେ ପାଇଁ ଇଡ୍‌କୋକୁ ଦାୟିତ୍ବ ଦିଆଯାଇଛି। ବର୍ତ୍ତମାନ ନୂଆଗଡ଼ଠାରେ ଥିବା ପୁରୁଣା ମାଛଧରା ବନ୍ଦର ଦିନକୁ ଦିନ ଶ୍ରୀହୀନ ହେବାରେ ଲାଗିଛି। ଭିଭିଭୂମି ଅଛି କିନ୍ତୁ ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହେଉନାହିଁ। ୧୯୮୨ ମସିହାରେ ତତ୍କାଳୀନ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ବାଳ ଏହି ବନ୍ଦରର ଭିଭିପ୍ରସ୍ତର ସ୍ଥାପନ କରିଥିଲେ। ମତ୍ସ୍ୟଜୀବୀ ଅଧ୍ୟୁଷିତ ଅସ୍ତରଙ୍ଗ ଅଞ୍ଚଳର ମତ୍ସ୍ୟଜୀବୀଙ୍କ ଉନ୍ନତି ପାଇଁ ଏହି ବନ୍ଦରର ପରିକଳ୍ପନା କରାଯାଇଥିଲା। ଏହି ମାଛଧରା ବନ୍ଦର ଉପରେ ଅସ୍ତରଙ୍ଗ ଅଞ୍ଚଳର ୨୫ ହଜାର ପାରମ୍ପରିକ ଓ ଅଣପାରମ୍ପରିକ ମତ୍ସ୍ୟଜୀବୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭରଶୀଳ ଥିଲେ। ସମୟକ୍ରମେ ଜିଲା ସାମୁଦ୍ରିକ ମତ୍ସ୍ୟବିଭାଗର ଦାୟିତ୍ବହୀନତା ଯୋଗୁଁ ବନ୍ଦର ଅବସ୍ଥା ଏବେ ଜରାଜୀର୍ଣ୍ଣ ହୋଇ ମୌଳିକ ସୁବିଧା ବାଧାପ୍ରାପ୍ତ ହୋଇଛି। ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷ (ଏମପିଇଡିଏ) ଆଇନ୍ ୧୯୭୨ ଧାରା ୧୧ ଅନୁଯାୟୀ ୧୦୦ରୁ ଊର୍ଦ୍ଧ୍ବ ମାଛଧରା ବଡ଼ ଟ୍ରଲର ଓ ୫୦୦ରୁ ଊର୍ଦ୍ଧ୍ବ ଛୋଟ ଟାପା ଗୁଡ଼ିକ ଜିଲା ସହକାରୀ ମତ୍ସ୍ୟ ନିର୍ଦେଶକଙ୍କ ଦ୍ୱାରା ପଞ୍ଜିକୃତ ହୋଇ ସରକାରୀ ଦେୟ ପଇଠ କରି ମାଛ ଧରିବା ପାଇଁ ଅନୁମତିପତ୍ର ହାସଲ କରିଛନ୍ତି। ପଞ୍ଜିକୃତ ୧୦୦ଟି ଟ୍ରଲର ମଧ୍ୟରୁ ମାତ୍ର ୧୦ଟି ଟ୍ରଲର ବହୁ ବାଧାବିଘ୍ନ ସତ୍ତ୍ୱେ ଏଠାରେ ପଡ଼ିରହିଥିବାବେଳେ ପ୍ରାୟ ୯୦ରୁ ଊର୍ଦ୍ଧ୍ବ ଟ୍ରଲର ଅନ୍ୟତ୍ର ଚାଲିଯାଇଛନ୍ତି କିମ୍ବା ନିଜ ବ୍ୟବସାୟ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। ସାମୁଦ୍ରିକ ଦ୍ରବ୍ୟ ଉତ୍ପାଦନ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଅସ୍ତରଙ୍ଗ ମାଛଧରା ବନ୍ଦର ଏବେ ଶ୍ରୀହୀନ ହୋଇପଡ଼ିଛି।

Comments are closed.