ବଲାଙ୍ଗିର/ପାଟଣାଗଡ/ଖପ୍ରାଖୋଲ : ବଲାଙ୍ଗିର ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳ ହରିଶଙ୍କରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶ୍ବିକ ବିକାଶ ଖୁବଶୀଘ୍ର ଆରମ୍ଭ କରାଯିବ। ସେହିପରି ବଲାଙ୍ଗିର ଜିଲାର ଜୀବନରେଖା କୁହାଯାଉଥିବା ଲୋୟର୍ ସୁକତେଲ ଜଳସେଚନ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଛନ୍ତି ରାଜ୍ୟ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ ତ୍ରିପାଠୀ, ୫ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର୍.ଭିନିଲ କିଷ୍ଣା, ଜଳସଂପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ।
ବରଗଡ ପାଇକମାଲରେ ଅବତରଣ କରିବା ପରେ ନୃସିଂହନାଥ ମନ୍ଦିର ପରିଦର୍ଶନ ପରେ ସଡକ ପଥରେ ବରିଷ୍ଠ ଅଧିକାରୀମାନେ ଖପ୍ରାଖୋଲ ଦେଇ ହରିଶଙ୍କର ପୀଠକୁ ଯାଇଥିଲେ। ଭିତ୍ତିଭୂମି ଓ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିବା ସହ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଆଞ୍ଚଳର ପାରିପାର୍ଶ୍ବିକ ବିକାଶ ସଂପର୍କରେ ବିସ୍ତୁତ ଆଲୋଚନା କରିଥିଲେ। ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳ ମଧ୍ୟରେ ହରିଶଙ୍କର ଅନ୍ୟତମ ହୋଇଥିବାରୁ ଜିଲାର ସାମାଜିକ, ସାଂସ୍କୃତି, ଅଧ୍ୟାତ୍ମିକ ଜୀବନ ସହ ଏହି ପର୍ଯ୍ୟଟନ କ୍ଷେତ୍ରର ସଂପର୍କ ଘନିଷ୍ଟ। ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ହରିଶଙ୍କର ଆସିଥାନ୍ତି। ଏହି ପର୍ଯ୍ୟଟନ କ୍ଷେତ୍ରର ଗୁରୁତ୍ୱ ଓ ମହିମାକୁ ଦୃଷ୍ଟିରେ ରଖି ହରିଶଙ୍କର ବିକାଶ ପ୍ରକଳ୍ପରେ ସୌନ୍ଦର୍ଯ୍ୟକରଣ ସହିତ ବିକାଶ ତଥା ଆନୁସଙ୍ଗିକ ବିକାଶକୁ ଅନ୍ତଭୁକ୍ତ କରାଯାଇଛି। ଏହି ଅବସରରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ଟିମ୍। ମନ୍ଦିରକୁ ଯାଇ ହରିଶଙ୍କରଙ୍କୁ ପୂଜା କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହାପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଟିମ୍ର ଆଭିମୁଖ୍ୟ ସହ ବିକାଶ ପାଇଁ ହୋଇଥିବା ଆଲୋଚନା ସଂପର୍କରେ ପ୍ରତିକ୍ରିୟା ରଖିଥିଲେ।
ମନ୍ଦିରରୁ ବାହାରି ବରିଷ୍ଠ ଅଧିକାରୀମାନେ ବଲାଙ୍ଗିର ଲୋୟର୍ ସୁକତେଲ ଜଳସେଚନ ପ୍ରକଳ୍ପ ସ୍ଥଳରେ ପହଞ୍ଚିଥିଲେ। ସେମାନେ ପହଞ୍ଚିବା ପରେ ସଙ୍ଗେ ସଙ୍ଗେ ଡ୍ୟାମ ସ୍ଥଳକୁ ଯାଇ କାମ ଦେଖିଥିଲେ। ସେଠାରୁ ଆସିବା ପରେ ଡ୍ୟାମ୍ର ମ୍ୟାପ ସହ ଜଡିତ ଅଞ୍ଚଳର ମାନଚିତ୍ର ଉପରେ ଆଖି ବୁଲାଇଥିଲେ। ଏହି ସମୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରକଳ୍ପ ସଂପର୍କରେ ପ୍ରତିକ୍ରିୟା ଦେଇଥିଲେ। ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେଉଥିବା ଲୋକଙ୍କ ପାଇଁ ବିସ୍ଥାପନ ପ୍ୟାକେଜ, ବିସ୍ଥାପିତଙ୍କ ସମସ୍ୟା ଆଦି ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଯୋଜନା ରହିଥିବା ମୁଖ୍ୟଶାସନ ସଚିବ ଶ୍ରୀ ମହାପାତ୍ର ମତ ଦେଇଥିଲେ। ମାତ୍ର ୧୫ ମିନିଟର ପରିଦର୍ଶନ ଓ ସମୀକ୍ଷା ପରେ ତୁଷୁରା ଏୟାର୍ଷ୍ଟ୍ରିପକୁ ଯାଇଥିଲେ। ସେଠାରୁ ଭୁବନେଶ୍ୱରକୁ ଅଭିମୁଖେ ଯାତ୍ରା କରିଥିଲେ ବରିଷ୍ଠ ଅଧିକାରୀମାନେ। ହରିଶଙ୍କର ଓ ଲୋୟର୍ ସୁକତେଲ ପ୍ରକଳ୍ପ ଅଞ୍ଚଳରେ ଜିଲାପାଳ ଚଞ୍ଚଳ ରାଣା, ଏସ୍ପି ନୀତିନ କୁଶଲକର, ବିସ୍ଥାପନ ଓ ଥଇଥାନ ବିଭାଗର ବରିଷ୍ଠ ଅଧିକାରୀ ରାଜେନ୍ଦ୍ର ପଟ୍ଟନାୟକ, ଜଳସଂପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଇଂ.ଜ୍ୟୋତିର୍ମୟ ରଥ, ଆଇଏଏସ୍ ମନୋଜ ସତ୍ୟବାନ ମହାଜନଙ୍କ ସହ ପାଟଣାଗଡ ଉପ ଜିଲାପାଳ ସୋମନାଥ ପ୍ରଧାନ ଓ ଅନ୍ୟ ଅଧିକାରୀ, ବଲାଙ୍ଗିର ତହସିଲଦାର ମଘବାନ ବାଗ, ଲୋୟର ସୁକତେଲ ମୁଖ୍ୟ ଯନ୍ତ୍ରୀ, ଭୂ ଅର୍ଜନ ଅଧିକାରୀ ତଥା ଅନ୍ୟମାନେ ଉପସ୍ଥିତ ଥିଲେ।



