ଝାରସୁଗୁଡ଼ା ଜିଲାରେ ସ୍ୱାସ୍ଥ୍ୟସେବାର ଉନ୍ନତି ସଂପର୍କିତ ସମୀକ୍ଷା ବୈଠକ, ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ କାର୍ଡିଆକ୍ କେୟାର ହସ୍ପିଟାଲ୍
ଭୁବନେଶ୍ୱର: ଝାରସୁଗୁଡ଼ା ଜିଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ସଂପର୍କିତ ଏକ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି ।ଝାରସୁଗୁଡ଼ାଠାରେ ପ୍ରସ୍ତାବିତ ୧୦୦ ଶଯ୍ୟାବିଶିଷ୍ଟ କାର୍ଡିଆକ୍ କେୟାର ହସ୍ପିଟାଲ୍ର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଖୁବ୍ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ । ୫ ଏକରରୁ ଊର୍ଦ୍ଧ୍ୱ ଜମିରେ ପ୍ରତିଷ୍ଠା ହେଉଥିବା ଏହି ହସ୍ପିଟାଲ୍ର ବ୍ୟୟ ଅଟକଳ ପ୍ରାୟ ୧୦୯ କୋଟି ଟଙ୍କା ହୋଇଥିବାବେଳେ ବିଲïିଂ ଆସନ୍ତା ଅଗଷ୍ଟ ମାସରେ ହସ୍ତାନ୍ତର ହେବ। ହସ୍ପିଟାଲ୍ର ପରିଚାଳନା ଦାୟିତ୍ୱରେ କେୟାର ହସ୍ପିଟାଲ ଥିବାବେଳେ ସରକାରୀ ଓ ଘରୋଇ ସହଭାଗିତାରେ ପ୍ରତିଷ୍ଠା ହେବାକୁ ଥିବା ଏହି ହସ୍ପିଟାଲ୍ ମହାନଦୀ କୋଲ୍ ଫିଲ୍ଡର ଆର୍ଥିକ ସହାୟତାରେ ନିର୍ମିତ। ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଏହି ହସ୍ପିଟାଲ୍ କାର୍ଯ୍ୟକ୍ଷମ ହେବ। ଏହି ହସ୍ପିଟାଲ୍ର ନିର୍ମାଣ କାର୍ଯ୍ୟ ସହ ବିଦୁ୍ୟତ ଯୋଗାଣ, ଜଳଯୋଗାଣ, ଡ୍ରେନେଜ୍ ଓ ସେ୍ୱରେଜ୍ ଟ୍ରିଟ୍ମେଣ୍ଟ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ସେହିପରି ବାହ୍ୟରାସ୍ତା, ଲ୍ୟାଣ୍ଡସ୍କେପ୍ ଡେଭ୍ଲପ୍ମେଣ୍ଟ କାର୍ଯ୍ୟ ଚାଲୁ ରହିଛି। ପ୍ରାୟ ୮ ଏକର ପରିମିତ ଜାଗାରେ ମେଡିକାଲର ଡାକ୍ତର, କର୍ମଚାରୀଙ୍କ କ୍ୱାଟର ଓ ନର୍ସିଂ ହଷ୍ଟେଲର ନିର୍ମାଣ କାର୍ଯ୍ୟ ସଂପନ୍ନ ହେବ। ସେହିପରି ଝାରସୁଗୁଡ଼ାଠାରେ ୧୨୦ ଶଯ୍ୟାବିଶିଷ୍ଟ ଏକ କ୍ୟାନସର କେୟାର ହସ୍ପିଟାଲ ପ୍ରତିଷ୍ଠା ହେବ। ପ୍ରାୟ ୧୬୯ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ହସ୍ପିଟାଲ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ପ୍ରଦାନ କରାଯାଇଛି। ପ୍ରାୟ ୬ ଏକର ଜାଗାରେ ନିର୍ମିତ ହେବାକୁ ଥିବା ଏହି ହସ୍ପିଟାଲ୍ ପାଇଁ ଘରୋଇ ପରିଚାଳକଙ୍କ ପକ୍ଷରୁ ସମସ୍ତ ମେଡିକାଲ ଯନ୍ତ୍ରାଂଶ ଓ ଉପକରଣ ସ୍ଥାପିତ ହେବା ସହ ଡାକ୍ତର ଓ କର୍ମଚାରୀ ନିୟୋଜିତ କରାଯିବ । ଏହା ସହ ହସ୍ପିଟାଲର ପରିଚାଳନା, ରକ୍ଷଣାବେକ୍ଷଣ ଓ କ୍ୟାନସର କେୟାର ସର୍ଭିସ ଯୋଗାଇ ଦିଆଯିବ। ଏହି ହସ୍ପିଟାଲ୍ ପରିଚାଳନା ପାଇଁ ପରିଚାଳକ ଖୁବ୍ଶୀଘ୍ର ସ୍ଥିର ହେବ।
ଅନ୍ୟ ପକ୍ଷରେ ସରକାରୀ ଓ ଘରୋଇ ସହଭାଗିତାରେ ସ୍ୱଳ୍ପ ଖର୍ଚ୍ଚରେ ରାଜ୍ୟର ଜନସାଧାରଣଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଏକ ଯୋଜନା କରାଯାଇଛି, ଯାହା ଦ୍ୱାରା କି ଜଣେ ସାଧାରଣ ଲୋକକୁ ସୁହାଇଲା ଭଳି ସ୍ୱଳ୍ପ ଖର୍ଚ୍ଚରେ ଉତ୍ତମ ଗୁଣବତ୍ତାସଂପନ୍ନ ଚିକିତ୍ସା ସେବା ମିଳିପାରିବ । ସରକାରୀ ଓ ଘରୋଇ ସହଭାଗିତାରେ ହେବାକୁ ଥିବା ଏହି ପ୍ରକଳ୍ପ କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ ହେବ।
ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ଇସ୍ପାତ, ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଡା. ବୃନ୍ଦା ଡି., ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ(ବିଲ୍ଡିଂ) ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।
Comments are closed.