ଆଇଏଏସ ସ୍ତରରେ ଅଦଳବଦଳ, ଶାଳିନୀ ପଣ୍ଡିତଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଦାୟିତ୍ବ

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଆଜି ଭାରତୀୟ ପ୍ରସାଶନିକ ସେବା ତଥା ଆଇଏଏସ ଅଫିସରସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଦୀର୍ଘଦିନ ଧରି ଅତିରିକ୍ତ ଦାୟିତ୍ୱରେ ଚାଲୁଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଏବେ ପୂର୍ଣ୍ଣକାଳୀନ ସଚିବ ମିଳିଛି। ଏନଏଚଏମ୍ ନିର୍ଦେଶିକା ତଥା ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତଙ୍କୁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ଓ ପରିବାର ବିଭାଗର ସଚିବ ତଥା କମିଶନର ଭାବେ ନିଯୁକ୍ତି ଦେଇଛନ୍ତି । ଆଇଏଏସ୍ ଆରକେ ଶର୍ମା ଦୀର୍ଘଦିନ ଧରି ଛୁଟିରେ ଥିବାରୁ ତାଙ୍କ ସ୍ଥାନରେ ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ କିଶୋର ଧଳ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱରେ ରହିଥିଲେ ।
ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଶ୍ରୀ ଧଳଙ୍କଠୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ କାଢ଼ି ନିଆଯାଇଛି ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଭାବେ ଶ୍ରୀମତୀ ପଣ୍ଡିତଙ୍କୁ ଅବସ୍ଥାପିତ କରାଯାଇଛି। ଶ୍ରୀ ଧଳ ଶକ୍ତି ବିଭାଗ ସହ ଅତିରିକ୍ତ ଭାବେ ଅବକାରୀ ସଚିବ ଓ ଗ୍ରୀଡ଼କୋ ଅଧ୍ୟକ୍ଷ ଦାୟିତ୍ୱରେ ନିର୍ବାହ କରିବେ ବୋଲି ଦର୍ଶାଯାଇଛି।
୧୯୯୬ ବ୍ୟାଚ୍ ଆଇଏଏସ୍ ତଥା କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀଙ୍କଙ୍କୁ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
୧୯୯୯ ବ୍ୟାଚ୍ ଆଇଏଏସ୍ ଭାସ୍କରଜ୍ୟୋତି ଶର୍ମା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସଚିବ ଭାବେ କାର୍ଯ୍ୟ କରିବେ। ସେ ଅତିରିକ୍ତ ଭାବେ ବିଜ୍ଞାନ ଓ ବୈଷୟିକ ବିଭାଗର ସଚିବ ଦାୟିତ୍ୱ ତୁଲାଇବେ । ଶ୍ରୀ ଶର୍ମାଙ୍କ ସ୍ଥାନରେ ୧୯୯୯ ବ୍ୟାଚ୍ ଆଇଏଏସ୍ ଶୁଭା ଶର୍ମା ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଭାବେ କାର୍ଯ୍ୟ କରିବେ। ସେହିପରି ୧୯୯୮ ବ୍ୟାଚ୍ ଆଇଏଏସ୍ ସୁରେଶ କୁମାର ବଶିଷ୍ଠଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି।
୨୦୦୮ ବ୍ୟାଚ୍ ଆଇଏଏସ୍ ଗୁହା ପୁନମ ତାପସ କୁମାରଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। ସେ ଓରମାସ୍ ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ୨୦୧୦ ବ୍ୟାଚ୍ ଆଇଏଏସ୍ ଡା. ବୃନ୍ଦା ଡିଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନ(ଏନଏଚଏମ)ର ମିଶନ ନିର୍ଦେଶିକା ଭାବେ ନିଯୁକ୍ତି ମିଳିଛି । ସେ ଅତିରିକ୍ତ ଭାବେ ଓଡ଼ିଶା ଔଷଧ ନିଗମ ପରିଚାଳନା ନିର୍ଦେଶକ ଓ ଖାଦ୍ୟ ନିରାପତ୍ତା କମିଶନର ଭାବେ କାର୍ଯ୍ୟ କରିବେ। ସେହିପରି ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ଆଇଆରଟିଏସ୍ ଅଫିସର ସଞ୍ଜୟ କୁମାର ମିଶ୍ରଙ୍କୁ ଅତିରିକ୍ତ ଭାବେ ଓପିଟିସିଏଲ୍ ପରିଚାଳନା ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଦାୟିତ୍ୱ ନ୍ୟସ୍ତ ହୋଇଛି । ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ବରିଷ୍ଠ ଓଏଏସ୍ ସରୋଜ କୁମାର ମିଶ୍ରଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ସେ ପୂର୍ବଭଳି ଗୃହ ବିଭାଗର ସ୍ୱତନ୍ତ୍ର ସଚିବ(ପ୍ରୋଟୋକଲ)ର ଅତିିରକ୍ତ ଦାୟିତ୍ୱ ତୁଲାଇବେ ବୋଲି ସୂଚନା ଦିଆଯାଇଛି।

Comments are closed.