www.samajalive.in
Wednesday, December 10, 2025
15.1 C
Bhubaneswar

ସାଧାରଣତନ୍ତ୍ର ଦିବସ ପାଇଁ ଖୋଜା ପଡ଼ିଛି ଅତିଥି

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୧୯ ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇପାରିବେ ନାହିଁ ବୋଲି ହ୍ୱାଇଟ ହାଉସ ପକ୍ଷରୁ ସ୍ପଷ୍ଟ କରିଦିଆଯିବା ପରେ କେଉଁ ରାଷ୍ଟ୍ରମୁଖ୍ୟଙ୍କୁ ଅତିଥି କରାଯିବ ସେଥିନେଇ କେନ୍ଦ୍ର ସରକାର ବିଚାରବିମର୍ଶରେ ଲାଗିପଡିଛନ୍ତି। ମୁଖ୍ୟଅତିଥି ଭାବେ ସେ ଭାରତର ପ୍ରଥମ ପସନ୍ଦ ନୁହେଁ ବୋଲି ଜାଣି ସୁଦ୍ଧା କେଉଁ ନେତା ସରକାରଙ୍କ ଆମନ୍ତ୍ରଣ ସ୍ୱୀକାର କରିବେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନରେନ୍ଦ୍ର ମୋଦୀ ସରକାରଙ୍କ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ଏହା ଶେଷ ସାଧାରଣତନ୍ତ୍ର ଦିବସ ହୋଇଥିବାରୁ ନିଜର ଶପଥଗ୍ରହଣ ଉତ୍ସବ ଭଳି ଏହାକୁ ସ୍ମରଣୀୟ କରିବା ନେଇ ମୋଦୀ ପ୍ରଚେଷ୍ଟା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସମ୍ଭାବ୍ୟ ମୁଖ୍ୟଅତିଥି ତାଲିକାରେ ଚୀନ୍‍ ରାଷ୍ଟ୍ରପତି ସି ଜିନପିଙ୍ଗ୍‍, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ, ଆଫଗାନିସ୍ତାନ ରାଷ୍ଟ୍ରପତି ମହମ୍ମଦ ଅସରଫ ଘନି, ଜର୍ମାନୀ ଚାନ୍‍ସେଲର ଆଞ୍ଜେଲା ମର୍କେଲ, ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ, ବ୍ରିଟେନ୍‍ ପ୍ରଧାନମନ୍ତ୍ରୀ ତେରେସା ମେ ଏବଂ ନେପାଳ ପ୍ରଧାନମନ୍ତ୍ରୀ କେ. ପି ଓଲି ପ୍ରମୁଖଙ୍କ ନାମ ରହିଛି। ଏହାଛଡ଼ା କୌଣସି ଆଫ୍ରିକୀୟ ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରାଯିବା ପାଇଁ ବିଚାର ଚାଲିଛି।
ଜିନ୍‍ପିଙ୍ଗ ଯଦି ଭାରତର ଆମନ୍ତ୍ରଣ ସ୍ୱୀକାର କରନ୍ତି ତା’ହେଲେ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେବାରେ ସେ ହେବେ ଚୀନ୍‍ର ଦ୍ୱିତୀୟ ନେତା। ତାଙ୍କ ପୂର୍ବରୁ ୧୯୫୮ରେ ମାର୍ଶଲ ୟେ ଜିଆନିଂ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାଶ୍ମୀରକୁ ନେଇ ପାକିସ୍ତାନର ଆଭିମୁଖ୍ୟ ଯୋଗୁଁ ଏହି ରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବା ଅସମ୍ଭବ ମନେ ହୋଇପାରେ; କିନ୍ତୁ ପ୍ରଧାନମନ୍ତ୍ରୀ ଭାବେ ନିଜର ଶପଥ ଗ୍ରହଣ ଉତ୍ସବକୁ ଦକ୍ଷିଣ ଏସିଆର ଅନ୍ୟ ନେତୃବୃନ୍ଦଙ୍କ ସହିତ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କୁ ଆମନ୍ତ୍ରଣ କରିଥିବା ଦୃଷ୍ଟିରୁ ଉଭୟ ରାଷ୍ଟ୍ର ମଧ୍ୟରେ ସୁସମ୍ପର୍କ ସ୍ଥାପନ ଲାଗି ମୋଦୀ ତାଙ୍କର ଶେଷ ଉତ୍ସବ(?)ରେ ଇମ୍ରାନ୍‍ଙ୍କୁ ନିମନ୍ତ୍ରଣ ପୂର୍ବକ ନୂଆ ବାର୍ତ୍ତା ଦେବାର ସମ୍ଭାବନା ଦେଖାଦେଉଛି।
ଶତ୍ରୁର ଶତ୍ରୁ ମିତ୍ର ନ୍ୟାୟରେ ଆଫଗାନିସ୍ତାନ ସହିତ ଭାରତର ସୁସମ୍ପର୍କ ରହିଆସିଛି; ଅଥଚ ଏଠାକାର କୌଣସି ନେତା ଏ ଯାବତ୍‍ ଭାରତୀୟ ସାଧାରଣତନ୍ତ୍ର ଉତ୍ସବରେ ଯୋଗ ଦେଇନାହାନ୍ତି। ଏଣୁ ଆଗାମୀ ଜାନୁଆରୀରେ ୨୬ରେ ଘନୀ ଅତିଥି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ଆଫଗାନିସ୍ଥାନ ଭଳି ଜର୍ମାନୀର କୌଣସି ନେତାଙ୍କୁ ମଧ୍ୟ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଆମନ୍ତ୍ରଣ କରାଯାଇନାହିଁ। ଜର୍ମାନୀ ପରି ଏକ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର ସହିତ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ କରିବା ନିମିତ୍ତ ମୋଦୀ ସରକାର ଅତୀତର ଭୁଲ ସୁଧାରି ମର୍କେଲକୁ ଆତିଥ୍ୟ ପ୍ରଦାନ କରିପାରନ୍ତି। ଏହି ନେତୃବୃନ୍ଦଙ୍କ ଭିନ୍ନ ଭାରତ ପୁଟିନଙ୍କ ସମ୍ବନ୍ଧରେ ମଧ୍ୟ ବିଚାର କରିପାରେ। ପୁଟିନ ନିକଟରେ ଭାରତ ଗସ୍ତରେ ଆସିଥିଲେ। ସମ୍ପ୍ରତି ରୁଷ ସହିତ ଭାରତ ସାମରିକ କାରବାର ନେଇ ଆମେରିକା କ୍ଷୁବ୍ଧ ଥିବାବେଳେ ମୋଦୀ ସରକାର ଯଦି ପୁଟିନଙ୍କୁ ମୁଖ୍ୟଅତିଥି କରିବେ ତା’ହେଲେ ଭିନ୍ନ ଏକ ସ୍ଥିତି ଉପୁଜିପାରେ।
ବିଶ୍ୱର ଏକମାତ୍ର ହିନ୍ଦୁ ରାଷ୍ଟ୍ର ନେପାଳର ପ୍ରଧାନମନ୍ତ୍ରୀ ଓଲିଙ୍କୁ ଅତିଥି କରିବାର ସମ୍ଭାବନା ମଧ୍ୟ ରହିଛି। ଅନ୍ୟପଟେ ମୋଦୀ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ତିନି ଥର ନେପାଳ ଗସ୍ତ କରିଥିବାରୁ ଓଲିଙ୍କୁ ଆତିଥ୍ୟ ପ୍ରଦାନ କରିବାରେ ସେ ମଧ୍ୟ ଆନନ୍ଦିତ ହେବେ। ଏତଦ୍‍ଭିନ୍ନ ଭାରତ ଯଦି ତେରେସାଙ୍କୁ ଅତିଥି କରିବାକୁ ସ୍ଥିର କରେ ତା’ହେଲେ ସେ ବିନା ଦ୍ୱିଧାରେ ଆମନ୍ତ୍ରଣ ସ୍ୱୀକାର କରିବାର ସମସ୍ତ ସମ୍ଭାବନା ରହିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories