ଧାନ ଫସଲରେ ଅଜଣା ରୋଗ; ଦମନ କରୁଛି ଚାଷୀଙ୍କ ଭାଗ୍ୟ
କ୍ଷୟକ୍ଷତି ଆକଳନ ପାଇଁ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର
ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳ ଧାନ ଫସଲରେ ଆଗୁଆ ରହିଥିବା ବେଳେ ଅଜଣା ରୋଗ ପୋକ ଫସଲକୁ ନଷ୍ଟ କରି ଏବେ ଚାଷୀଙ୍କ ଭାଗ୍ୟକୁ ଦମନ କରିବାକୁ ବସିଛି। ଧାନ ଗଛଗୁଡ଼ିକରେ ଏବେ କେଣ୍ଡା ଆସିବାର ସମୟ। ଦୂରରୁ ବିଲଗୁଡ଼ିକ ଶସ୍ୟ ଶ୍ୟାମଳାରେ ପରିପୂର୍ଣ୍ଣ ଦେଖାଯାଉଛି କିନ୍ତୁ କେଣ୍ଡାଗୁଡ଼ିକ ଆସିବା ପରେ ସେଥିରେ ରୋଗ ପୋକ ଲାଗି କେଣ୍ଡା ପାକଳ ହେବା ପୂର୍ବରୁ ସୁଖିଯାଉଛି । କୌଣସି କୀଟନାଶକ ଏହି ରୋଗ ପୋକକୁ ଦମନ କରିପାରୁ ନାହିଁ କି ଏହା କେଉଁ ପ୍ରକାର ରୋଗ ବା ପୋକ ଦ୍ଵାରା ଆକ୍ରାନ୍ତ ହେଉଛି ତାହା ମଧ୍ୟ ଚାଷୀମାନେ ସଠିକ୍ ଭାବରେ ଜାଣିପାରୁ ନାହାନ୍ତି । ଏନେଇ ଚାଷୀମାନେ କୃଷି ଅଧିକାରୀଙ୍କ ନିକଟକୁ ମଧ୍ୟ ଯାଇଥିଲେ । କିନ୍ତୁ କୃଷି ଅଧିକାରୀ ମଧ୍ୟ ଏହାର କାରଣ ଜାଣି ପାରି ନଥିବା ତଥା ଏଥିପ୍ରତି କୌଣସି ସଠିକ୍ ପ୍ରତିକାର ବ୍ୟବସ୍ଥା କରାଯାଇ ନଥିବା ନେଇ ଚାଷୀ ମହଲରେ ଉଦବେଗ ପ୍ରକାଶ ପାଇଛି। ତେବେ ଅତି କମ୍ ସମୟ ମଧ୍ୟରେ ଏହା ଫସଲକୁ ନଷ୍ଟ କରି ହେକ୍ଟର ହେକ୍ଟର ଧାନ ଫସଲ ଶୁଖିଯାଇ ନଷ୍ଟ ହୋଇ ଚାଲିଛି । ଯେମିତି ଭାବରେ ଫସଲ ନଷ୍ଟ ହେବାରେ ଲାଗିଛି, ବହୁ ସଂଖ୍ୟକ ଚାଷୀ ଏଥିରେ ସର୍ବସ୍ୱାନ୍ତ ହେବାର ସମ୍ଭାବନା ରହିଛି । ତେଣୁ ରାଜସ୍ବ ବିଭାଗ ଓ କୃଷି ବିଭାଗ ଦ୍ଵାରା ଯୁଗ୍ମ ନିରୀକ୍ଷଣ କରାଯାଇ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ଆଜି ଅତାବିରା ତହସିଲଦାର ଶ୍ୱେତପଦ୍ମା ଯୋଶୀଙ୍କ ଜରିଆରେ ଜିଲ୍ଲା ଚାଷୀ ସଂଗଠନ ଅତାବିରା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଅତାବିରାର ସମସ୍ତ ଆରଆଇମାନଙ୍କୁ ନିଜ ନିଜ ଅଞ୍ଚଳର ଧାନ ଫସଲକୁ ସର୍ବେକ୍ଷଣ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ ଏବଂ ସେମାନଙ୍କ ପାଖରୁ ଆସିଥିବା ରିପୋର୍ଟ ତଥା କୃଷି ଅଧିକାରୀମାନଙ୍କ ପାଖରୁ ତଥ୍ୟ ଆସିବା ପରେ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି ତହସିଲଦାର ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସଂଗଠନର ସଭାପତି ଏମ୍ଡି ୟୁନିସ ଖାଁ, ସମ୍ପାଦକ ରମଣୀ ଦନ୍ତା, ଚାଷୀ ରବୀନ୍ଦ୍ର ବିଶି, ଅମୂଲ୍ୟ ପତି, କନିଷ୍ଠ ସାହୁ, ଅନନ୍ତ ମହାକୁର, ପ୍ରଦୀପ କୁମାର ସାହୁଙ୍କ ସମେତ ବହୁ ସଂଖ୍ୟକ ଚାଷୀ ଏହି ଦାବି ପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।
Comments are closed.