ଜାତୀୟ ରାଜପଥ କଡ଼ରୁ ଶିଶୁ ମୃତଦେହ ଉଦ୍ଧାର
ରେଙ୍ଗାଲିକ୍ୟାମ୍ପ: ଅତାବିରା ଦେଇ ଯାଇଥିବା ୫୩ ନମ୍ୱର ଜାତୀୟ ରାଜପଥ କଡ଼ରୁ ଗୋଟିଏ ଅଜଣା ମୃତ ଶିଶୁକୁ ପୁଲିସ ଉଦ୍ଧାର କରିଛି । ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ପୁଲିସ ସୂତ୍ରରୁ ଜଣାପଡିଛି ଯେ ଗତକାଲି ସକାଳ ପ୍ରାୟ ୧୧ଟାରେ ଅତାବିରା ଥାନା ଅଧୀନସ୍ଥ ଚକୁଳି ଗ୍ରାମର ଗ୍ରାମରକ୍ଷୀ କିଶୋର ବାଗ ଚକୁଳିରୁ ଅତାବିରାକୁ ଆସୁଥିବା ସମୟରେ କିଛି ଲୋକ ତାଙ୍କୁ ଅଟକାଇ ରାସ୍ତାକଡ଼ରେ ଏକ ଅଜଣା ଶିଶୁ ପଡ଼ିଥିବା ଖବର ଦେଇଥିଲେ । ଗ୍ରାମରକ୍ଷୀ ଶ୍ରୀ ବାଗ ଉକ୍ତ ସ୍ଥାନକୁ ପହଞ୍ଚି ଦେଖିବା ପରେ ଥାନାକୁ ଖବର ଦେଇଥିଲେ । ଖବର ପାଇ ଏସ ଆଇ ଯାଦବ ବାଗ ଘଟଣାସ୍ଥଳକୁ ପହଞ୍ଚି ପଡ଼ି ରହିଥିବା ଶିଶୁକୁ ଉଦ୍ଧାର କରି ସିଧାସଳଖ ଅତାବିରା ଡାକ୍ତରଖାନକ୍ଷକୁ ଆଣିଥିଲେ । ଡାକ୍ତର ପରୀକ୍ଷା କରି ଦେଖିବା ପରେ ତାକୁ ମୃତ ବୋଲି ଘୋଷଣା କରିଥିଲେ ।
ଏ ସମ୍ବନ୍ଧରେ ଅତାବିରା ଥାନାରେ ୟୁ.ଡି କେସ ନଂ ୧୦/୨୦୨୨ ରେ ଏକ କେସ ରୁଜୁ କରାଯାଇ ମୃତ ଶିଶୁକୁ ଡି.ଏଚ୍.ଏଚ୍ ବରଗଡ଼ରେ ସଂରକ୍ଷଣ କରି ରଖାଯାଇଛି । ୭୨ ଘଣ୍ଟା ପର୍ଯ୍ୟନ୍ତ ସଂରକ୍ଷଣ କରି ବା ଭିତରେ ଯଦି କେହି ଶିଶୁର ସମ୍ପର୍କୀୟ ଆସନ୍ତି ତେବେ ତାଙ୍କୁ ହସ୍ତାନ୍ତର କରାଯିବ । ଏ ପର୍ଯ୍ୟନ୍ତ ଶିଶୁର କେହି ପରିଚିତ ଆସି ନ ଥିବା ଜଣା ପଡ଼ିଛି । ତେବେ ଶିଶୁଟି କାହାର ? ଶିଶୁ ମୃତ୍ୟୁର କାରଣ କ’ଣ ହେଇପାରେ ? ଶିଶୁକୁ ମାରି ଦିଆଯାଇଛି ବା ଅନ୍ୟ କୋଉ କାରଣରୁ ମୃତ୍ୟୁ ଘଟିଛି ଏ ନେଇ ପୁଲିସ ତାର ତଦନ୍ତ ଜାରି ରଖିଛି । ୭୨ ଘଣ୍ଟା ପରେ ଶିଶୁର ବ୍ୟବଚ୍ଛେଦ ପରେ ମୃତ୍ୟୁର ଅସଲ କାରଣ ଜଣାପଡିବ ।
କିନ୍ତୁ ଆଜିକାଲିର ସଭ୍ୟ ବୋଲାଉଥିବା ସମାଜରେ ଶିକ୍ଷିତଙ୍କ ସଂଖ୍ୟା ବଢ଼ିଚାଲିଥିଲେ ସୁଦ୍ଧା ,ନାରୀ ସାକ୍ଷରତା ହାର ବଢିଥିଲେ ସୁଦ୍ଧା ଆଜି ବି ରାସ୍ତା କଡ଼ରେ ଶିଶୁକୁ ଫିଙ୍ଗାଜିବା, ମାରିଦିଆଯିବା ଭଳି ନିନ୍ଦନୀୟ ଘଟଣା ବନ୍ଦ ହୋଇନାହିଁ । ବଡ ଲୋକ ମାନଙ୍କ କାର୍ଯ୍ୟ ଚିନ୍ତାଧାରା ଯୋଗୁଁ ନିଷ୍ପାପ ଶିଶୁ ଜୀବନ ବଳି ପଡୁଛି । ତେଣୁ ଶିଶୁ ମାନଙ୍କ ସୁରକ୍ଷା ପାଇଁ ରହିଥିବା ଆଇନକୁ ଉଲ୍ଲଘଂନ କରୁଥିବା ପଶୁ ତୁଲ୍ୟ ମଣିଷ ମାନଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବା ଦରକାର ବୋଲି ଲୋକମୁଖରେ ଚର୍ଚ୍ଚା ହେଉଛି ।
Comments are closed.