କର୍ଣ୍ଣlଟିକ୍ରାରେ ସାମୂହିକ ନୂଆଁଖାଇ
ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଜହ୍ନାପଡ଼ା ପଞ୍ଚାୟତର କର୍ଣ୍ଣାଟିକ୍ରା ଗ୍ରାମରେ ଅନେକ ବର୍ଷ ଧରି ନୂଆଁଖାଇ ପର୍ବକୁ ସାମୂହିକ ଭାବରେ ପାଳନ କରାଯାଉଛି । ଚଳିତ ବର୍ଷ ମଧ୍ୟ ଗ୍ରାମର ଆବାଳ ବୃଦ୍ଧ ବନିତା ଏକାଠି ବସି ନୂଆଁଖାଇ ଥିଲେ । ଯାହା ଅଞ୍ଚଳ ପାଇଁ ଏକ ପ୍ରେରଣା ଯୋଗାଇଛି । ହଜିଯାଇଥିବା ପରମ୍ପରାକୁ ବଞ୍ଚେଇ ରଖିବା ସହ ପରସ୍ପର ମଧ୍ୟରେ ଭାଇଚାରାର ସମ୍ପର୍କକୁ ବଜାୟ ରଖିବାର ନିଆରା ପ୍ରୟାସ ଜାରି ରଖିଛନ୍ତି ଏହି ଗ୍ରାମବାସୀ । ଏହି ନୂଆଁଖାଇ ପର୍ବ ପାଳନ ନିମନ୍ତେ ସାତଦିନ ପୂର୍ବରୁ ଗ୍ରାମରେ ଏକ ସାଧାରଣ ସଭା କରାଯାଇଥିଲା । ସଭାରେ ନୂଆଁଖାଇ ପାଇଁ ସମସ୍ତ ପ୍ରକାର କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଥିଲା । ଗ୍ରାମ କଲ୍ୟାଣ କମିଟିରେ ତାକୁ ଗୃହୀତ କରାଯାଇଥିଲା ।
ଏହା ପରେ ସମସ୍ତେ ମିଳିମିଶି ରାସ୍ତାଘାଟ, ନଳକୂଅ ଗୁଡ଼ିକର ଚତଃପାର୍ଶ୍ଵ ଆଦି ସଫା କରାଯାଇଥିଲା । ଗଣେଶ ଚତୁର୍ଥୀ ଦିନ ଅଗ୍ର ପୂଜ୍ୟ ଗଣେଶଙ୍କୁ ପୂଜା କରିଥିଲେ । ତା ପର ଦିନ ଅର୍ଥାତ୍ ଋଷି ପଞ୍ଚମୀ ଦିନ ସକାଳୁ ଗ୍ରାମର ଝାଙ୍କର ଗ୍ରାମ ଇଷ୍ଟ ଦେବୀଙ୍କ ଠାରେ ପୂଜାର୍ଚ୍ଚନା କରି ସମସ୍ତଙ୍କ ଘରକୁ ନୂଆଁ ଧାନ ଆଣି ଦେଇଥିଲେ । ସମସ୍ତେ ନିଜ ନିଜ ଘରେ ଇଷ୍ଟ ଦେବାଦେବୀଙ୍କ ଠାରେ ପୂଜାର୍ଚ୍ଚନା ସହ ଧାର୍ଯ୍ୟ ଲଗ୍ନ ଅନୁସାରେ ନୂଆଁ ଲଗାଇ ସାରିବା ପରେ ଗାଁ ମଝିଦାଣ୍ଡରେ ସମସ୍ତେ ଏକତ୍ରିତ ହୋଇଥିଲେ । ଗାଁର ସର୍ବୋଚ୍ଚ ବୟସ୍କ ବ୍ୟକ୍ତି ହିସାବରେ ଶ୍ରୀ ଦଶରଥ ପ୍ରଧାନ ସମସ୍ତଙ୍କୁ ନୂଆଁ ଦେଇଥିଲେ । ଏକାଠି ବସି ସମସ୍ତେ ନୂଆ ଖାଇବା ପରେ ନିଜ ଠାରୁ ବଡ଼ ମାନଙ୍କୁ ନୂଆଖାଇ ଜୁହାର ହୋଇଥିଲେ ।
ଏହାପରେ ଏହି ପର୍ବକୁ ଆହୁରି ଉତ୍ସାହ ଓ ଆନନ୍ଦ ପୂର୍ଣ୍ଣ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ହୋଇଥିଲା । ଯଥା ରସିଦିଆଁ , ସ୍ଲୋ ସାଇକେଲ, ଚାମଚ ଦୌଡ, ମ୍ୟୁଜିକାଲ ଚେୟାର, ଇତ୍ୟାଦି । ସମସ୍ତ ପ୍ରତିଯୋଗିତା ଶେଷ ହେବା ପରେ ଏକ ସଭାର ଆୟୋଜନ ହୋଇଥିଲା । ଏହି ସଭାରେ କୃତି ପରିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।ଗ୍ରାମର ସିଦ୍ଧେଶ୍ବର ପ୍ରଧାନ, ଡାକ୍ତର ପ୍ରଧାନ, ମୁଡ଼ାଦଳ ବାରିକ୍, ବିଭୂତି ପ୍ରଧାନ ,ମହେନ୍ଦ୍ର ପଧାନ, କ୍ଷୀରେଶ୍ୱର୍ ପଧାନ, ଟିକେଶ୍ୱର୍ ପଧାନ, ଜିଲ୍ଲା ପଧାନ, ଅଲେଖ ପଧାନ, ନାରାୟଣ ବାରିକ୍, ପ୍ରମୋଦ ପ୍ରଧାନ, କ୍ଷୀରେଶ୍ୱର ବାରିକ୍, ସୁରେଶ ପ୍ରଧାନ, ଦିପେନ ପ୍ରଧାନ ,ପ୍ରଦୀପ ପଧାନ, କୀର୍ତ୍ତନ ପଧାନ, ଦିଲ୍ଲୀପ ପଧାନ ଓ ଜୟ କୁମାର ପଧାନ ପ୍ରମୁଖ ଏହି ସାମୁହିକ ନୂଆଁଖାଇ ତଥା ଖେଳକୁଦ ଆଦି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
Comments are closed.