ରେଙ୍ଗାଳିକେମ୍ପ୍: ଦୀର୍ଘ ଦିନ ଧରି ନିସ୍ତେଜ୍ ହୋଇ ପଡ଼ି ରହିଥିବା ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ହଠାତ୍ ଚଳଚଞ୍ଚଳ ହୋଇଥିବା ଦେଖି ଜନସାଧାରଣଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ସ୍ବାସ୍ଥ୍ୟ କେନ୍ଦ୍ରରେ ଅସ୍ତବ୍ୟସ୍ତ ହୋଇ ପଡ଼ିରହିଥିବା କିଛିଟା କାଗଜ ପତ୍ର, ଯନ୍ତ୍ରପାତି, ଆସବାବପତ୍ର ଇତ୍ୟାଦି ଯଥା ସ୍ଥାନରେ ସ୍ଥାନିତ ହୋଇଥିଲା। ଅନ୍ୟ ଦିନ ଭଳି ଦୁର୍ଗନ୍ଧ ସୃଷ୍ଟି କରି ପଡିରହିଥିବା ମଇଳା ଆବର୍ଜନା ଆଜି ପରିଷ୍କାର ପରିଚ୍ଛନ୍ନ ରହିଥିଲା। କେନ୍ଦ୍ରରେ କିଏ କେଉଁ ପଦବୀରେ କାମ କରନ୍ତି ତାହା ଲୋକେ ଜାଣି ପାରୁ ନଥିବା ବେଳେ ଆଜି ସମସ୍ତଙ୍କ ଦେହରେ ଡ୍ରେସ କୋଡ଼ ଓ ପରିଚୟ କାର୍ଡ ମଧ୍ୟ ଝୁଲି ରହିଥିଲା।
ଅନେକ ନୂତନ କର୍ମଚାରୀଙ୍କ ମୁହଁ ମଧ୍ୟ ଦେଖିବାକୁ ମିଳିଥିଲା। କର୍ମଚାରୀ ତଥା ରୋଗୀଙ୍କ ପାଇଁ ରହିଥିବା ଗାଡ଼ି ଷ୍ଟାଣ୍ଡରେ ରହିଥିବା ବାହାର ଲୋକଙ୍କ ଗାଡ଼ି ମଧ୍ୟ ଆଜି ଦେଖିବାକୁ ମିଳି ନଥିଲା। ସିକ୍ୟୁରିଟିମାନଙ୍କ କଡା କଡ଼ି ପହରା ରହିଥିଲା ଯାହା ଅନ୍ୟ ଦିନରେ ଦେଖିବାକୁ ମିଳୁ ନଥିଲା। ଜରୁରୀ ପରିସ୍ଥିତିରେ ଚିକିତ୍ସା ପାଇଁ ରାତିରେ ରୋଗୀ ଆସି କବାଟ ବାଡ଼େଇ ଫେରିଥିବା ତଥା ଚିକିତ୍ସା ନପାଇ ଫେରିଯାଇ ଶିଶୁ ମୃତ୍ୟୁ ବରଣ କରିଥିବାର ମଧ୍ୟ ଦୃଷ୍ଟାନ୍ତ ରହିଆସିଛି। ତେବେ ଏହିସବୁ ପରିବର୍ତ୍ତନ ପଛରେ ଓଡ଼ିଶା କାୟକଳ୍ପ ଦଳର ଏହି ସ୍ବାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ ଯୋଗୁ ହୋଇଥିବା ପରେ ଜଣାପଡ଼ିଥିଲା। ଏହି ଦଳ ସ୍ବାସ୍ଥ୍ୟ କେନ୍ଦ୍ରର ପରିଷ୍କାର ପରିଚ୍ଛନ୍ନତା, ଯନ୍ତ୍ରପାତି ଗୁଡ଼ିକର କ୍ରିୟାଶୀଳତା, ଜିନିଷପତ୍ର ଗୁଡ଼ିକ ଠିକ୍ ବ୍ୟବସ୍ଥିତ ଅବସ୍ଥାରେ ରହୁଛି ନ ନାହିଁ ଆଦି ତଦାରଖ କରିଥିଲେ।
ଏହା ବ୍ୟତୀତ ଏସବୁ ପାଇଁ ଆସୁଥିବା ସରକାରୀ ଅନୁଦାନ ଠିକ୍ ଭାବରେ ଉପଯୋଗ ହେଉଛି ନl ନାହିଁ ତାହା ଯାଞ୍ଚ କରିଥିଲେ।ଏହି କାୟlକଳ୍ପ ଦଳରେ ଓଡ଼ିଶା ସ୍ବାସ୍ଥ୍ୟ ପରିବାର କଲ୍ୟାଣର ଯୁଗ୍ମ ନିର୍ଦ୍ଦେଶକ ଡଃ ଅନ୍ତର୍ଯ୍ୟାମୀ ମିଶ୍ର, ପ୍ରକଳ୍ପ ପ୍ରବନ୍ଧକ ସୁଧାଂଶୁ ଶେଖର ସାମନ୍ତ ଓ ରାଜ୍ୟ ୟୁନିସେଫର ସଞ୍ଜୟ କୁମାର ଶତପଥୀ ପରିଦର୍ଶକ ଭାବରେ ରହିଥିଲେ। ଶୁଣିବାକୁ ମିଳୁଛି ଯେ ବ୍ଲକ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ଉପରୋକ୍ତ ସମସ୍ତ ତଥ୍ୟ ଗୁଡ଼ିକ ଠିକ୍ ରହିଥିଲେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ସ୍ବାସ୍ଥ୍ୟ କେନ୍ଦ୍ରକୁ ମିଳିଥାଏ। ତେବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଦେଖିବାକୁ ମିଳିଥିବl ପରିବର୍ତ୍ତନ ସାମୟିକ ନା ଚିରସ୍ଥାୟୀ ତାହା ଆଗାମୀ ଦିନରେ ଜଣାପଡ଼ିବ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି।



