ଶୁଖିଲା ପଡ଼ିଛି ଭେଡେନ ନଦୀ, ଉତ୍କଟ ଜଳ ସଙ୍କଟ ପାଇଁ ସତର୍କ ଘଣ୍ଟି

ରେଙ୍ଗାଲି: ସୁନ୍ଦରଗଡ ଜିଲାର ବଣାଇଁ ସବ୍ ଡିଭିଜନରୁ ବାହାରି ଥିବା ଭେଡେନ ନଦୀ ସମ୍ବଲପୁର ଜିଲାର କୁଚିଣ୍ଡା ଉପଖଣ୍ଡ, ସଦର ସବ୍ ଡିଭିଜନର ରେଙ୍ଗାଲି, ବ୍ଲକ, ଝାରସୁଗୁଡା ସଦର ବ୍ଲକ ଓ କୋଲାବିରା ବ୍ଲକ ଅଞ୍ଚଳବାସୀଙ୍କ ଜୀବନ ରେଖା । ଏହି ନଦୀ ଖେରୁଆଳ ପାଖରେ ଇବ୍ ନଦୀରେ ମିଶିଛି ଓ ଏହା ଏବେ ଫେବୃଆରୀ ମାସରୁ ଶୁଖିଲା ପଡିଛି। ନଦୀର ହାତ ଗଣତି ଦରହରେ କମ୍ ପାଣି ଥିବା ବେଳେ ନଦୀ ପଠା ଶୁଖି ଯାଇ ଥିବା ଦେଖିବାକୁ ମିଳୁଛି।
ଅତୀତରେ ଅକାତ କାତ ପାଣି ବର୍ଷ ସାରା ରହୁଥିବା ମହାଦେବପାଲିର ରାଣୀ ଦରହ ପୁରା ଶୁଖା ହୋଇ ଯାଇଥିବା ବେଳେ ବୁଦୁଲାପାଲି-ଦଳପତପାଲି ମଝିରେ ଥିବା ବିହାର ବାଏଲ୍ ଦରହ ମଧ୍ୟ ଶୁଖିଲା ପଡିଛି। ବାଗଡିଆ ଦରହ, ଲଏଡା ଦରହ, ସେନା ଦରହ, ଘୁଘର ଦରହ, ସମଲେଇ ଆଦି ଦରହର ସ୍ଥିତି ମଧ୍ୟ ଅତି ସଙ୍ଗୀନ୍ ଅବସ୍ଥାରେ ପହଞ୍ଚିଛି। ନଦୀ ପଠା ଶୁଖା ପଡିଥିବାରୁ ବାଲି ବୋଝେଇ ହାଇୱା ନଦୀ ଭିତରେ ଦୌଡୁଛି। ଯଦି ଏବେଠାରୁ ଭେଡେନ ନଦୀର ଏଭଳି ଉଦବେଗ ଜନକ ସ୍ଥିତି ମେ-ଜୁନ୍ ବେଳକୁ ଅବସ୍ଥା ଆହୁରି ଉତ୍କଟ ହେବା ନିଶ୍ଚିତ। ଫେବୃଆରୀ-ମାର୍ଚ୍ଚ ମାସରେ ପୂର୍ବରୁ ଏମିତି ଜଳ ସଙ୍କଟ କେବେ ଦେଖା ନଥିଲା ବୋଲି ନଦୀ ତଟବର୍ତ୍ତି ଅଞ୍ଚଳର ଜନସାଧାରଣ ମତପ୍ରକାଶ କରିଛନ୍ତି। ଚଳିତ ବର୍ଷ ସ୍ବଳ୍ପ ବର୍ଷା ଯୋଗୁଁ ନଦୀ କେବେ ପୂର୍ଣଗର୍ଭା ହୋଇ ନଥିବା ବେଳେ ନଦୀରେ ଚେକ୍ ଡ୍ୟାମ୍ ନିର୍ମାଣ କରି ଉଠା ଜଳସେଚନ ଯୋଜନାରେ ଦରହମାନଙ୍କରୁ ପାଣି ଉଠା ଯାଉଛି। ବ୍ୟାପକ ମୃତ୍ତିକା କ୍ଷୟ ଫଳରେ ଦରହ ଗୁଡିକ କ୍ରମଶଃ ପୋତି ହୋଇ ସଂକୁଚିତ ହେବା ଫଳରେ ଦରହର ଜଳ ଧାରଣ କ୍ଷମତା ହ୍ରାସ ପାଉଛି। ଏଭଲି ସ୍ଥିତିରେ ନଦୀ ଉପକୂଳ ଅଞ୍ଚଳରେ ଡାଳୁଅ ଧାନ ଚାଷର ପରିମାଣ ପ୍ରତିଯୋଗିତା ଭିତ୍ତିରେ ବୃଦ୍ଧି ପାଇବାରେ ଲାଗିଛି। ବର୍ଷାଜଳ ସଂରକ୍ଷଣ ପାଇଁ ନଦୀର ବିଭିନ୍ନ ସ୍ଥାନରେ ଛୋଟ ଚେକ୍ ଡ୍ୟାମ ନିର୍ମାଣ କରାଯାଇ ନଥିବାରୁ ଏଭଳି ଜଳ ସଙ୍କଟ ଦେଖା ଦେଉଛି।
Related Posts
ଫେବୃଆରୀ-ମାର୍ଚ୍ଚ ମାସରୁ ନଦୀର ଅବସ୍ଥା ଯଦି ଏତେ ଉଦବେଗ ଜନକ ତେବେ ମେ-ଜୁନ୍ ବେଳକୁ କଣ ହେବ ବୋଲି ଲୋକେ ଚିନ୍ତା ବ୍ୟକ୍ତ କରୁଛନ୍ତି। ଅବିଚାରିତ ଭାବରେ ବାଲି ଉତ୍ତୋଳନ, ନଦୀ ତଟବର୍ତ୍ତି ଅଞ୍ଚଳରେ ଥିବା ବିଭିନ୍ନ କଳକାରଖାନା ବର୍ଜ୍ୟଜଳ, ସ୍ଳରୀ ଆଦି ନଦୀ କୁ ଛଡା ଯିବା ସହିତ ନଦୀ ତଟ ଅଞ୍ଚଳର ଅନେକ ସ୍ଥାନ ରେ ଥିବା ପାଉଁଶ ପୋଖରୀର ପାଉଁଶ ବର୍ଷାଜଳରେ ଧୋଇ ହୋଇ ନଦୀରେ ପଡୁ ଥିବାରୁ ନଦୀର ଗର୍ଭାଶୟ କ୍ରମଶଃ ପୋତି ହେଉଛି। ଅତୀତରେ ୫୦/ ୬୦ଫୁଟ ଗଭୀର ଥିବା ଭେଡେନ ନଦୀର ଗଭୀରତା ୩୦/୪୦ଫୁଟ କୁ ଖସି ଆସିଲାଣି। ନଦୀ କୂଳ ଖାଇ ଗଭୀରତା ହ୍ରାସ ପାଇ ଓସାରିଆ ହେବାରେ ଲାଗିଛି। ଏହି ପ୍ରକ୍ରିୟାକୁ ରୋକା ନଗଲେ ଆଉ କିଛି ବର୍ଷ ପରେ ଭେଡେନ ନଦୀ ସମତଳ ଭୂମିରେ ପରିଣତ ହେବା ଆଶଙ୍କା କ ଏଡାଇ ଦିଆଯାଇ ନପାରେ।
ସରକାର ନଦୀ ସୁରକ୍ଷା ପାଇଁ ଗୁରୁତ୍ୱ ଦିଆଯାଉଛି ବୋଲି ଜୋରଦାର ପ୍ରଚାରପ୍ରସାର କରୁଥିବା ବେଳେ ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଜନସାଧାରଣଙ୍କ ଜୀବନ ରେଖା କୁହାଯାଉଥିବା ଭେଡେନ ନଦୀ ଅସୁରକ୍ଷିତ। ନଦୀ ଶୁଖି ଗଲେ ଏହାର ଭୟଙ୍କର କୁପରିଣାମ ପରିବେଶ, ଜୀବଜଗତ ଓ ଜୀବନ ଜୀବିକା ତଥା ଜୈବ ବିବିଧତା ଉପରେ ପ୍ରତିଫଳିତ ହେବା ନିଶ୍ଚିତ। ସରକାର ଏଥିପ୍ରତି ସ୍ବତନ୍ତ୍ର ଗୁରୁତ୍ବ ଦେଇ ଫଳପ୍ରସୂ ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି ଦାବୀ ହେଉଛି।
Comments are closed.