ରାସ୍ତାରେ ପାଉଁଶ ପରିବହନ ଏବଂ ଡମ୍ପିଂ ବିରୋଧରେ ଜିଲାପାଳଙ୍କଠାରେ ଫେରାଦ୍‌‌

ରେଙ୍ଗାଲି: ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଗ୍ରାମ୍ୟ ବିଭାଜନ ବିଭାଗ ପକ୍ଷରୁ ନିର୍ମିତ ରେଙ୍ଗାଲି ବ୍ଳକର ରମ୍ପେଲାକେମ୍ପରୁ ଗୁମଲୋଇକୁ ସଂଯୋଗ କରୁଥିବା ରାସ୍ତାରେ ଅହରହ ପାଉଁଶ ବୋଝେଇ ଟ୍ରକ୍‌‌ ଚଳାଚଳକୁ ବନ୍ଦ କରାଯିବା ଏବଂ କାଶିପାଲିର ଏକ ପରିତ୍ୟକ୍ତ ପଥରକ୍ୱାରୀରେ ବେଆଇନ୍‌‌ ଭାବରେ ଚାଲିଥିବା ପାଉଁଶ ଡମ୍ପିଂ ବନ୍ଦ କରିବାକୁ ଜିଲାପାଳଙ୍କଠାରେ ଫେରାଦ୍‌‌ ହୋଇଛନ୍ତି ଗ୍ରାମବାସୀ। କଦଳିପିଟା, କତରବଗା, ଝରନପାଲି, ଭୁଲିଆଟିକ୍ରା, ତିଲିଙ୍ଗିକେମ୍ପ ଗ୍ରାମବାସୀଙ୍କର ପ୍ରତିନିଧି ଦଳ ଜିଲାପାଳଙ୍କଠାରେ ଫେରାଦ୍‌‌ ହୋଇଛନ୍ତି।

prayash

ଗ୍ରାମବାସୀଙ୍କ ଅଭିଯୋଗରୁ ପ୍ରକାଶ ଯେ, ରମ୍ପେଲାକେମ୍ପରୁ ଗୁମୋଲୋଇକୁ ସଂଯୋଗ କରୁଥିବା ୧୪ କିଲୋମିଟର ରାସ୍ତା ଉପରେ ଗୁମଲୋଇ, ଝରନପାଲି, ତିଲିଙ୍ଗିକେମ୍ପ, କଦଳିପିଟା, ପିତାପାଲି, କାଶିପାଲି, ମଙ୍ଗଳପୁର ଏବଂ ରମ୍ପେଲାକେମ୍ପ ଗ୍ରାମବାସୀ ଗମନାଗମନ ପାଇଁ ନିର୍ଭର କରିଥାନ୍ତି। ଅଗଣିତ ସ୍କୁଲ, କଲେଜ ଛାତ୍ରଛାତ୍ରୀ ଏହି ରସ୍ତାରେ ଦୈନିନ୍ଦିନ ଯାତାୟତ କରୁଥିବା ବେଳେ ରେଙ୍ଗାଲିରେ ଥିବା ବ୍ଳକ୍‌‌, ତହସିଲ ଆଦି ଗୁରୁତ୍ୱପୂର୍ଣ ସରକାରୀ କାର୍ଯ୍ୟାଳୟକୁ ବିଭିନ୍ନ କାମ ପାଇଁ ଏହି ରାସ୍ତାରେ ଆଖପାଖ ଅଞ୍ଚଳର ଲୋକେ ଯାତାୟତ କରିଥାନ୍ତି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ କାରଖାନାରୁ ନିର୍ଗତ ପାଉଁଶ ବୋଝେଇ ଭାରି ଯାନ ଅହରହ ଚଳାଚଳ କରି କାଶିପାଲିରେ ଥିବା ଏକ ପରିତ୍ୟକ୍ତ ପଥର କ୍ୱାରୀରେ ଡମ୍ପିଂ କରଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପାଉଁଶ ପରିବହନ ଏବଂ ଡମ୍ପିଂ ଯୋଗୁଁ ଅଞ୍ଚଳର ପରିବେଶ ପ୍ରଦୂଷିତ ହେବା ସହିତ ଶାନ୍ତି ଭଙ୍ଗ ହେଉଛି। ରାସ୍ତାରେ ଅହରହ ପାଉଁଶ ବୋଝେଇ ଭାରିଯାନ ଚଳାଚଳ ଯୋଗୁଁ ଛାତ୍ରଛାତ୍ରୀମାନେ ଯାତାୟତରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଏହା ସିଙ୍ଗଲ୍‌‌ ୱେ ରାସ୍ତା। ଏହି ରାସ୍ତାରେ ୨୦ ଚକିଆ ପାଉଁଶ ବୋଝେଇ ଭାରି ଯାନ ଚଳାଚଳ କରୁଛି। ଏହି ସମୟରେ ଅନ୍ୟ କୌଣସି ଯାନ ରାସ୍ତାରେ ପାସ୍‌‌ କରିବା ସମସ୍ୟା ହେଉଛି। ଏହା କୋମଳମତି ଶିଶୁ, ଛାତ୍ରଛାତ୍ରୀ, ବୃଦ୍ଧ/ବୃଦ୍ଧାମାନଙ୍କ ପାଇଁ ବିଷମ ସମସ୍ୟା ସୃଷ୍ଟି କରିଛି। ଏଭଳି ଭାରିଯାନ ଚଳାଚଳ କରିବା ଫଳରେ ଖୁବଶୀଘ୍ର ଏହି ରାସ୍ତାର ଅବସ୍ଥା ଶୋଚନୀୟ ହେବ ବୋଲି ଗ୍ରାମବସୀ ଆଶଙ୍କା ପ୍ରକାଶ କରିଛନ୍ତି। ଅଞ୍ଚଳବାସୀଙ୍କ ବୃହତ୍ତର ସ୍ୱାର୍ଥ ଓ ସୁରକ୍ଷା ଦୃଷ୍ଟିରୁ ବିନା ଅନୁମତିରେ ଚାଲିଥିବା ପାଉଁଶ ପରିବହନ ଏବଂ ପାଉଁଶ ଡମ୍ପିଂ ବନ୍ଦ କରିବା ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳର ଗ୍ରାମବାସୀ ଦାବି କରିଛନ୍ତି। ଉପରୋକ୍ତ ଗ୍ରାମର ବହୁ ସଂଖ୍ୟକ ମହିଳା ଏବଂ ପୁୁରୁଷ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲା ଆରକ୍ଷୀ ଅଧିକ୍ଷକ, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ ଏବଂ କତରବଗା ଥାନା ଅଧିକାରୀଙ୍କୁ ମଧ୍ୟ ଦାବିପତ୍ରର ନକଳ ପ୍ରଦାନ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।

Comments are closed.