ଅସ୍ତିତ୍ୱ ସଙ୍କଟରେ ପାରମ୍ପରିକ ଜଳାଶୟ

ରେଙ୍ଗାଲି: ଯୁଗଯୁଗ ଧରି ଜୀବଜଗତକୁ ଜଳଦାନ କରିଆସୁଥିବା ବନ୍ଧ, କଁଟା, ମୁଡା ଘାଘରା ଆଦି ପାରମ୍ପାରିକ ପ୍ରାଚୀନ ଜଳଭଣ୍ଡାରଗୁଡ଼ିକର ଉପଯୁକ୍ତ ରକ୍ଷାଣାବେକ୍ଷଣ ପୁନଃରୁଦ୍ଧାର ତଥା ମରାମତି ହେଉ ନଥିବାରୁ ଅଧିକାଂଶ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ଏଥିସହ ବହୁ ଜଳାଶୟର ଜଳ ଦୂଷିତ ହୋଇ ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଛି। ସଂଗୃହୀତ ତଥ୍ୟ ଅନୁଯାୟୀ, ରେଙ୍ଗାଲି ବ୍ଲକର ୧୬ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ୩୩୭ଟି ବନ୍ଧ, କଁଟା ଏବଂ ପୁଷ୍କରିଣୀ ରହିଛି। ତେବେ ସେଥି ମଧ୍ୟରୁ ୮୦/୯୦ ପ୍ରତିଶତ ଜଳାଶୟ ଗ୍ରୀଷ୍ମ ଋତୁରେ ଜନସାଧାରଣଙ୍କ ବ୍ୟବହାରରେ ଆସି ପାରୁନାହିଁ। ସେଥିରୁ କିଛି ଜଳଶୂନ୍ୟ ହୋଇ ଶୁଖି ଯାଉଥିବା ବେଳେ ବାକି ଜଳାଶୟଗୁଡିକରେ ବହୁତ କମ୍‌‌ ପାଣି ରହୁଥିବା ତଥା ଜଳାଶୟରେ ଦଳ ଭର୍ତ୍ତି ହୋଇ ରହୁଥିବାରୁ ପାଣି ଦୂଷିତ ହୋଇ ମଶାମାଛିଙ୍କ ବଂଶ ବିସ୍ତାରର କେନ୍ଦ୍ର ପାଲଟିଯାଉଛି। ଅନେକ ଗ୍ରାମରେ କୌଣସି ବିକଳ୍ପ ନଥିବାରୁ ଲୋକେ ଦୂଷିତ ପାଣିରେ ସ୍ନାନ ଶୌଚ କରିବାକୁ ବାଧ୍ୟ ହେଉଛନ୍ତି। ସ୍ୱାଧୀନତାର ୭୫ବର୍ଷ ଭିତରେ କେତେ ସରକାର ଆସିଲେ ଗଲେ କିନ୍ତୁ ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ଦିଗରେ କାହାରି ନିଘା ନାହିଁ। ଏପରିକି ନିର୍ବାଚନରେ ଏହା କୌଣସି ରାଜନୈତିକ ଦଳର ଇସ୍ତାହାରରେ ସ୍ଥାନ ପାଉନାହିଁ କି ପ୍ରସଙ୍ଗ ବି ହୋଇପାରିୁନାହିଁ।

ସରକାର ଜନସାଧାରଣଙ୍କ ଜଳ ଚାହିଦା ପୂରଣ କରିବାପାଇଁ ଆଦର୍ଶ ପୁଷ୍କରିଣୀ, ଜଳବିଭାଜିକା ପ୍ରକଳ୍ପ, ଜଳଅମଳ ପ୍ରକଳ୍ପ, ଆଡିବନ୍ଧ, ଚେକ୍‌‌ ଡ୍ୟାମ୍‌‌ ପରି ଏକାଧିକ ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ତ୍ରୁଟିପୂର୍ଣ୍ଣ ପରିଯୋଜନା ଏବଂ କ୍ରିୟାନ୍ୱୟନରେ ଚରମ ଦୁର୍ନୀତି କରି ସରକାରୀ ଟଙ୍କା ବାଟମାରଣା ହେଉଥିବାରୁ ସଂପୃକ୍ତ ଯୋଜନାର ସୁଫଳ ଲୋକେ ପାଇପାରୁ ନାହାନ୍ତି। ଯାହାଫଳରେ ଜନସାଧାରଣଙ୍କ ଜଳ ଚାହିଦା ପୂରଣ ହୋଇପାରୁନାହିଁ। ଅପର ପକ୍ଷରେ ସରକାର ପାରମ୍ପାରିକ ଜଳଉତ୍ସଗୁଡିକର ପୁନରୁଦ୍ଧାର, ରକ୍ଷଣାବେକ୍ଷଣ ଓ ପଙ୍କୋଦ୍ଧାର ପାଇଁ ଫଳପ୍ରସୂ ଯୋଜନା ମଧ୍ୟ କାର୍ଯ୍ୟକାରୀ କରୁନାହାନ୍ତି। ଫଳରେ କାହିଁ କେଉଁ ଯୁଗରୁ ବର୍ଷବର୍ଷ ଧରି ଜନସାଧାରଣ ଏବଂ ଅନ୍ୟ ଜୀବଜନ୍ତୁମାନଙ୍କୁ ଜଳଦାନ କରିବା ସହିତ ଫସଲକୁ ମରୁଡ଼ି ଦାଉରୁ ରକ୍ଷାକରି ଜନସାଧାରଣଙ୍କୁ ଖାଦ୍ୟ ନିରାପତ୍ତା ପ୍ରଦାନ କରି ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେଉଥିବା ବନ୍ଧ, କଁଟା, ମୁଡା, ଘାଘରା ଆଦି ଜଳାଶୟର ଅସ୍ତିତ୍ୱ ଏବେ ଘୋର ସଙ୍କଟରେ ରହିଛି। ବର୍ଷାଜଳ ସଂରକ୍ଷଣର ସର୍ବପ୍ରଥମ ଓ ପ୍ରାଚୀନ ପରମ୍ପରା ବୋଲି କୁହାଯାଉଥିବା ଅନେକ ଜଳାଶୟ ଧୀରେଧୀରେ ନିଶ୍ଚିହ୍ନ ହେବାରେ ଲାଗିଛି। ରେଙ୍ଗାଲି ବ୍ଲକରେ ଏହାର ଅନେକ ଉଦାହରଣ ଦେଖିବାକୁ ମିଳୁଛି। ବର୍ଷ ବର୍ଷ ହେଲା ପଙ୍କୋଦ୍ଧାର କରାଯାଇନାହିଁ। ଅଧିକାଂଶ ବନ୍ଧ, କଁଟାଗୁଡିକର ସ୍ଥିତି ବିପନ୍ନ ହୋଇ ଅର୍ଦ୍ଧଜୀବିତ ଅର୍ଦ୍ଧମୃତ ଅବସ୍ଥାରେ ପଡ଼ି ରହିଥିବାରୁ ଗ୍ରୀଷ୍ମଋତୁରେ ଅନେକ ଜଳାଶୟ ଶୁଖିଲା ରହୁଛି। କେତେକରେ ପାଣି ରହୁଥିଲେ ମଧ୍ୟ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ଏହି ସମସ୍ୟା ଧନୀକ ଶ୍ରେଣୀର ଲୋକଙ୍କୁ କିଛି ଫରକ୍‌‌ ପଡୁ ନଥିବା ବେଳେ ସ୍ନାନ ଶୌଚାଦି ପାଇଁ ବନ୍ଧକଟା ପୋଖରୀ ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭର କରୁଥିବା ଜନସାଧାରଣ ଏବଂ ପଶୁପକ୍ଷୀମାନଙ୍କ ପାଇଁ ବହୁତ କଷ୍ଟଦାୟକ ହୋଇପଡୁଛି।

ବର୍ଷାଜଳକୁ ସଂରକ୍ଷଣ କରି ରଖିବାର ପ୍ରାଚିନ ପରମ୍ପରା ପ୍ରତି ଚରମ ଅବହେଲା ଯୋଗୁ ଜଳଉତ୍ସଗୁଡିକର ଦ୍ରୁତ ଅବକ୍ଷୟ ହୋଇ ନିୟମିତ ବ୍ୟବଧାନରେ ମରୁଡ଼ି ସମସ୍ୟା ତଥା ଗ୍ରୀଷ୍ମ ଋତୁ ଆରମ୍ଭ ନ ହେଉଣୁ ଜଲାଶୟ ଶୁଖିଯାଇ ଲୋକେ ସ୍ନାନ ଶୌଚ ପାଇଁ ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରୁଥିବାର ଦେଖାଦେଉଛି ଏବଂ ଗ୍ରୀଷ୍ମଋତୁରେ ଜଳସଙ୍କଟ ସମସ୍ୟା ବର୍ଷକୁ ବର୍ଷ ଗମ୍ଭୀର ଆକାର ଧାରଣ କରିବାରେ ଲାଗିଛି। ରାଜାରାଜୁଡା ଅମଳରେ ପୁଣ୍ୟ ଅର୍ଜନ ପାଇଁ ଲୋକେ ପୋଖରୀ ଖନନ କରୁଥିଲେ କିନ୍ତୁ ଏବେ ବସ୍ତୁବାଦରେ ଆକ୍ରାନ୍ତ ହୋଇ ପ୍ରାଚୀନ କାଳରୁ ଥିବା ଜଳଉତ୍ସକୁ ପୋତି ଦେଇ ସେଠାରେ ବିଳାଶମୟ କୋଠା ନିର୍ମାଣ କରିବାକୁ ଲୋକେ ତିଳେମାତ୍ର କୁଣ୍ଠା ପ୍ରକାଶ କରୁନାହାନ୍ତି। ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ପୋଖରୀ ସଂସ୍କୃତି ପ୍ରତି ଅବିଚାର ଓ ଅବହେଳା କରାଯାଉଥିବା ଦେଖିବାକୁ ମିଳୁଛି। ସରକାର ଏ ଦିଗରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇ ସମୟବଦ୍ଧ ଫଳପ୍ରସୂ ଯୋଜନା ମାଧ୍ୟମରେ ପାରମ୍ପାରିକ ଜଳଉତ୍ସଗୁଡିକର ପୁନରୁଦ୍ଧାର କରି ସୁରକ୍ଷା ନକଲେ ଆଗାମୀ କିଛି ବର୍ଷ ପରେ ବହୁ ଜଳଉତ୍ସ ଲୋପ ପାଇଯିବା ନିଶ୍ଚିତ। ଜଳଉତ୍ସଗୁଡିକ ବିଲୁପ୍ତିର ଦ୍ୱାର ଦେଶରେ ଉପନୀତ କିନ୍ତୁ କ୍ଷୋଭର ବିଷୟ ଯେ ପାରମ୍ପରିକ ଜଳଉତ୍ସଗୁଡିକର ପୁନରୁଦ୍ଧାର ପାଇଁ ସରକାର ଯେଭଳି ଗୁରୁତ୍ୱ ଦେବା କଥା ଦେଉ ନାହନ୍ତି। ବରଂ ଗଭୀର ନଳକୂପ ଖନନ ପାଇଁ ପ୍ରୋତ୍ସାହନ ଦେବା ଫଳରେ ଭୂତଳ ଜଳସ୍ତର କୁ ଆହୁରି ପାତାଳଗାମୀ କରି ଦିଆଯାଉଛି। ରେଙ୍ଗାଲି ବ୍ଳକ୍‌‌ ଏକ ଶିଳ୍ପ ସମୃଦ୍ଧ ଅଞ୍ଚଳ। ଏହି ବ୍ଳକରେ ଥିବା ବହୁରାଷ୍ଟ୍ରୀୟ କମ୍ପାନୀର ଖଣି ଖାଦାନ କଳକାରଖାନାଗୁଡିକର ପାରିପାର୍ଶ୍ବିକ ବିକାଶ ପାଣ୍ଠିରୁ ଅଞ୍ଚଳର ଜରାଜୀର୍ଣ୍ଣ ହୋଇ ପଡ଼ିଥିବା ଜଳାଶୟଗୁଡିକର ପୁନରୁଦ୍ଧାର କରାଯିବା ପାଇଁ ପଦକ୍ଷେପ ନିଆଗଲେଏହି ସମସ୍ୟାର ଏକ ପ୍ରକାର ସ୍ଥାୟୀ ପ୍ରତିକାର ହୋଇପାରନ୍ତା ବୋଲି ସଚେତନ ନାଗରିକ ମହଲରେ ଦାବୀ ହେଉଛି। ଅବଶ୍ୟ ଗତ ବର୍ଷ କେତେକ ଶିଳ୍ପାନୁଷ୍ଠାନ କେତେକ ଅଞ୍ଚଳରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବନ୍ଧକଟା ପୋଖରୀର ପୁନରୁଦ୍ଧାର କାର୍ଯ୍ୟ କରିଥିବାର ଦେଖିବାକୁ ମିଳିଥିଲା। ତେବେ ଏହା ଯଥେଷ୍ଟ ନୁହେଁ। ଏନେଇ ଏକ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରାଯାଇ ବ୍ଳକ୍‌‌ ପ୍ରତି ପଞ୍ଚାୟତ ଅଞ୍ଚଳରେ ଦୟନୀୟ ସ୍ଥିତିରେ ଥିବା ପାରମ୍ପାରିକ ଜଳାଶୟର ପୁନଃରୁଦ୍ଧାରର ଅବଶ୍ୟକତା ରହିଛି ବୋଲି ସଚେତନ ନାଗରିକ ମହଲରେ ମତପ୍ରକାଶ ପାଉଛି।

Comments are closed.