୩୨ ଆଞ୍ଚଳିକ ଦଳର ଆୟ ୩୨୧ କୋଟି, ଶୀର୍ଷରେ ସପା
ନୂଆଦିଲ୍ଲୀ : ୨୦୧୬-୧୭ ଆର୍ଥିକ ବର୍ଷରେ ୩୨ ଆଞ୍ଚଳିକ ଦଳର ଆୟ ହେଉଛି ୩୨୧ କୋଟି ଟଙ୍କା। ସମାଜବାଦୀ ପାର୍ଟି (ସପା) ୮୨.୭୬ କୋଟି ଟଙ୍କା ଆୟ ସହ ଆଞ୍ଚଳିକ ଦଳ ଆୟ ତାଲିକାରେ ଶୀର୍ଷ ସ୍ଥାନରେ ରହିଛି। ସପାର ଆୟ ଆଞ୍ଚଳିକ ଦଳଗୁଡ଼ିକର ମୋଟ ଆୟର ୨୫.୭୬% ଅଟେ। ନ୍ୟାସନାଲ ଇଲେକ୍ସନ ୱାଚ୍ ଏବଂ ଗଣତାନ୍ତ୍ରିକ ସଂସ୍କାର ସଂଗଠନ (ଏଡିଆର) ରିପୋର୍ଟ ଅନୁସାରେ ୩୨ ଆଞ୍ଚଳିକ ଦଳ ନିଜ ଆୟର ଅଡିଟ୍ ରିପୋର୍ଟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଛନ୍ତି। ଆମ ଆଦମୀ ପାର୍ଟି (ଆପ), ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି), ଜାମ୍ମୁ କାଶ୍ମୀର ନ୍ୟାସନାଲ ପ୍ରଣ୍ଟ ଭଳି ୧୬ଟି ଆଞ୍ଚଳିକ ଦଳର ଅଡିଟ୍ ରିପୋର୍ଟ ନିର୍ବାଚନ ଆୟୋଗଙ୍କ ୱେବସାଇଟରେ ଉପଲବ୍ଧ ନାହିଁ। ଆଞ୍ଚଳିକ ଦଳ ମଧ୍ୟରେ ୮୨.୭୬ କୋଟି ଆୟ ସହ ସପା ପ୍ରଥମ ସ୍ଥାନରେ ଥିବାବେଳେ ଏହା ପଛକୁ ତେଲୁଗ ଦେଶମ ପାର୍ଟି (ଟିଡିପି) ୭୨.୯୨ କୋଟି, ଏଆଇଏଡିଏମ୍କେ ୪୮.୮୮ କୋଟି, ଶିବସେନା ୩୧.୮୨ କୋଟି, ଶିରୋମଣି ଅକାଳୀ ଦଳ ୨୧.୮୯ କୋଟି, ଅନ୍ୟାନ୍ୟ ୨୭ ଆଞ୍ଚଳିକ ଦଳ ୬୨.୭୬ କୋଟି ଟଙ୍କା ଆୟ କରିଛନ୍ତି। ୨୦୧୬-୧୭ ଆର୍ଥିକ ବର୍ଷରେ ସପା ୧୪୭.୧ କୋଟି ଏବଂ ଏଆଇଏଡିଏମ୍କେ ୮୬.୭୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଅର୍ଥାତ ସପା ନିଜ ଆୟଠାରୁ ୬୪.୩୪ କୋଟି ଏବଂ ଏଆଇଏଡିଏମ୍କେ ୩୭.୮୯ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିଛନ୍ତି। ତେବେ ୨୦୧୫-୧୬ ତୁଳନାରେ ୨୦୧୬-୧୭ରେ ୧୪ଟି ଆଞ୍ଚଳିକ ଦଳର ଆୟରେ ହ୍ରାସ ପରିଲକ୍ଷିତ ହୋଇଛି। ୧୩ଟି ଦଳର ଆୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ୫ଟି ଦଳ ୨୦୧୫-୧୬ରେ ଆୟକର ରିଟର୍ଣ୍ଣ ପୈଠ କରିନାହାନ୍ତି। ୨୭ ଆଞ୍ଚଳିକ ଦଳର ୨୦୧୫-୧୬ରେ ଆୟ ୨୯୧.୧୪ କୋଟି ଟଙ୍କା ଥିଲା ବେଳେ ୨୦୧୬-୧୭ରେ ଏହା ବୃଦ୍ଧି ପାଇ ୩୧୬.୦୫ କୋଟି ଟଙ୍କାରେ ପହଞ୍ଚିଛି।