nua o banner

କେକେଆର୍‌ ବିପକ୍ଷରେ ଆର୍‌ସିବି ବିଜୟୀ

BSKY banner  750×100

ମୁମ୍ବଇ :  ଆଇପିଏଲ୍‌ରେ ବୁଧବାର ଏକ କମ୍ ସ୍କୋର୍‌ର ମ୍ୟାଚ୍‌ରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ୩ ୱିକେଟରେ ହରାଇ ଆର୍‌ସିବି ୨ୟ ମ୍ୟାଚ୍‌ରେ ପ୍ରଥମ ବିଜୟ ହାସଲ କରିଛି। କେକେଆର୍ ଦଳ ପ୍ରଥମେ ବ୍ୟାଟିଂକରି ନିୟମିତ ୱିକେଟ ହରାଇ ୧୮.୫ ଓଭରରେ ୧୨୮ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା। ପରେ ସାମୂହିକ ଯୋଗଦାନ ବଳରେ ୪ଟି ବଲ୍‌ ବାକିଥାଇ ୭ ୱିକେଟ ହରାଇ ଆର୍‌ସିବି ଜିତିଥିଲା। ୨ୟ ମ୍ୟାଚ୍‌ରେ ଏହା କେକେଆର୍‌ର ପ୍ରଥମ ପରାଜୟ।
୧୨୯ ରନ୍‌ ଲକ୍ଷ୍ୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆରମ୍ଭରୁ ଜଲ୍‌ଦି ୩ଟି ୱିକେଟ ହରାଇଥିଲା। ଗତ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା ଅନୁଜ ରାୱତ ୦ ଓ ଅଧିନାୟକ ଫାଫ୍ ଡୁ ପ୍ଲେସି ୫ ରନ୍‌କରି ବିଦାୟ ନେବା ପରେ ବିରାଟ କୋହଲି ୧୨ ରନ୍‌କରି ଆଉଟ୍‌ ହୋଇଥିଲେ। ୧୭ ରନ୍‌ରେ ୩ଟି ୱିକେଟ ପଡ଼ିବା ପରେ ସେର୍ଫାନେ ରଦରଫୋର୍ଡ ଓ ଡେଭିଡ୍‌ ୱିଲି ସ୍କୋର୍‌କୁ ଆଗେଇ ନେଇଥିଲେ। ୯ ଓଭରରେ ରଦରଫୋର୍ଡ ଓ ୱିଲି ୪ର୍ଥ ୱିକେଟ ପାଇଁ ୪୫ ରନ୍‌ ଯୋଡ଼ିଥିଲେ। ୱିଲି ୨୮ ବଲ୍‌ରୁ ୩ଟି ଚୌକା ସହ ୧୮ ରନ୍‌ କରିଥିଲେ। ପରେ ରଦରଫୋର୍ଡ ଓ ବଙ୍ଗଳାର ପ୍ରତିଭାବାନ ଅଲ୍‌ରାଉଣ୍ଡର ଶାହ୍‌ବାଜ ଅହମ୍ମଦ ଲଢ଼ୁଆ ବ୍ୟାଟିଂକରି ୫ ଓଭରରେ ୩୯ ରନ୍‌ ଯୋଡ଼ିଥିଲେ। ଶାହ୍‌ବାଜ ୨୦ ବଲ୍‌ରୁ ୩ଟି ଛକା ସହ ୨୭ ରନ୍‌ କରିଥିଲେ। ରଦରଫୋର୍ଡ ୪୦ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୮ ରନ୍‌କରି ଆଉଟ ହୋଇଥିଲେ। ୱାନିନ୍ଦୁ ହସରଙ୍ଗା ୪ ରନ୍‌ କରିଥିଲେ। ଶେଷ ଓଭରରୁ ୭ ରନ୍‌ ଆବଶ୍ୟକ ଥିବା ବେଳେ ଦିନେଶ କାର୍ତ୍ତିକ ପ୍ରଥମ ବଲ୍‌ରେ ଛକା ମାରିବାରୁ ଆର୍‌ସିବି ଜିତିଥିଲା। କାର୍ତ୍ତିକ ୭ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୪ ଏବଂ ହର୍ଷଲ ପଟେଲ ୬ ବଲ୍‌ରୁ ୨ଟି ଚୌକା ସହ ୧୦ ରନ୍‌କରି ଅପରାଜିତ ଥିଲେ। ଟିମ୍ ସାଉଦି ୩ଟି ଓ ଉମେଶ ଯାଦବ ୨ଟି ୱିକେଟ ନେଇଥିଲେ।
ଟସ୍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫିଲ୍‌ଡିଂ ନେବା ପରେ କଲକାତା ନାଇଟ୍‌ ରାଇଡର୍ସ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା। ଦୁଇ ଓପ୍‌ନର ଅଜିଙ୍କ୍ୟ ରାହାଣେ ୯ ଓ ଭେଙ୍କଟେଶ ଆୟର ୧୦ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ବେପରୁଆ ଭାବେ ବଡ଼ ସଟ୍‌ ମାରିବା ପ୍ରୟାସରେ କେକେଆର୍ କ୍ରମାଗତ ୱିକେଟ ହରାଇ ଚାଲିଥିଲା। ଅଧିନାୟକ ଶ୍ରେୟାସ ଆୟର ୧୩, ନୀତୀଶ ରାଣା ୧୦, ସୁନୀଲ ନାରାୟଣ ୧୨, ସାମ୍ ବିଲିଙ୍ଗ୍‌ସ ୧୪ ଓ ସେଲ୍‌ଡନ ଜ୍ୟାକ୍‌ସନ ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ୬୭ ରନ୍‌ରେ ୬ଟି ୱିକେଟ କେକେଆର୍ ହରାଇବା ପରେ ଆ‌େନ୍ଦ୍ର ରସେଲ୍‌ କିଛି ସମୟ ସଂଘର୍ଷକରି ୧୮ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୨୫ ରନ୍‌ କରି ପାରିଥିଲେ। ଶେଷ ୱିକେଟ ପାଇଁ ଉମେଶ ଯାଦବ ଓ ବରୁଣ ଚକ୍ରବର୍ତ୍ତୀ ମୂଲ୍ୟବାନ ୨୭ ରନ୍‌ ଯୋଡ଼ିଥିଲେ। ଉମେଶ ୧୮ ରନ୍‌ କରିଥିବା ବେଳେ ବରୁଣ ଅପରାଜିତ ୧୧ ରନ୍‌ କରିଥିଲେ। ୱାନିନ୍ଦୁ ହସରଙ୍ଗା ୪ଟି, ଆକାଶ ଦୀପ ୩ଟି ଓ ହର୍ଷଲ ପଟେଲ ୨ଟି ୱିକେଟ ନେଇଥିଲେ। ୱାନିନ୍ଦୁ ହସରଙ୍ଗା ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Comments are closed.