ବ୍ୟାଙ୍କ ଏଲଓୟୁ ଓ ଏଲଓସି ଜାରି ଉପରେ ରୋକ୍‌

0

ମୁମ୍ବଇ : ପିଏନ୍‌ବି ବ୍ୟାଙ୍କର ୧୨,୭୦୦ କୋଟି ଟଙ୍କାର ଠକେଇ ଘଟଣା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଲେଟର ଅଫ ଅଣ୍ଡରଟେକିଂ (ଏଲ୍‌ଓୟୁ), ଲେଟର ଅଫ କମ୍ଫର୍ଟ (ଏଲଓସି) ଜାରି ଉପରେ ନିଷେଧାଜ୍ଞା ଜାରି କରାଯାଇଛି ।

ପିଏନ୍‌ବି ପକ୍ଷରୁ ଜାରି ଏଲଓୟୁକୁ ବ୍ୟବହାର କରି ହୀରା ବ୍ୟବସାୟୀ ନିରବ ମୋଦି ଓ ତାଙ୍କ ମାମୁ ମେହଲୁ ଚୋକ୍‌ସି ବହୁ କୋଟି ଟଙ୍କାର ଠକେଇ କରିଛନ୍ତି । ପିଏନ୍‌ବି ଠକେଇର ଦୀର୍ଘ ମାସେ ପରେ ଆରବିଆଇ ଏଭଳି ପଦକ୍ଷେପ ନେଇଛି ।

ଆରବିଆଇ ପକ୍ଷରୁ ଜାରି ଇସ୍ତାହାରରେ କୁହାଯାଇଛି ଯେ ଏବେକାର ମାର୍ଗଦର୍ଶୀକାକୁ ସମୀକ୍ଷା କରାଯିବା ପରେ ତତ୍କାଳ ପ୍ରଭାବରେ ଏଲଓୟୁ ଏବଂ ଏଲଓସି ଜାରି ଉପରେ ରୋକ୍‌ ଲଗାଯାଉଛି । ତେବେ ବ୍ୟାଙ୍କ ସୁରକ୍ଷା ପ୍ରାବଧାନ କ୍ରମେ ଭାରତ ମଧ୍ୟରେ ବ୍ୟବହାର ପାଇଁ ଟ୍ରେଡ କ୍ରେଡିଟ, ଲେଟର ଅଫ କ୍ରେଡିଟ ଜାରି କରାଯାଇପାରିବ ।

ଆରବିଆଇର ଏହି ପଦକ୍ଷେପ ଦ୍ୱାରା ଭାରତର ରପ୍ତାନୀ ଦର ଅଧ ପ୍ରତିଶତ ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି । ଏହାଦ୍ୱାରା ବିଦେଶୀ ବ୍ୟାଙ୍କ ସହ ଭାରତ ବ୍ୟାଙ୍କଗୁଡ଼ିକର ପ୍ରତିଯୋଗିତାରେ ନକରାତ୍ମକ ପ୍ରଭାବ ପଡ଼ିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

ପ୍ରକାଶ ଯେ ପିଏନ୍‌ବି ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ଓ ମେହୁଲ ଚୋକ୍‌ସି ଦେଶ ଛାଡ଼ି ପଳାଇଛନ୍ତି । ଏହି ଘଟଣା ଉପରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ତଦନ୍ତ ଜାରି ରହିଛି । ମେହୁଲ ଓ ନିରବଙ୍କ କେତେକ ସମ୍ପତ୍ତି ବାଜ୍ୟାପ୍ତ କରାଯାଇଛି। ତେବେ ଏଭଳି ଠକେଇକୁ ରୋକିବା ପାଇଁ ଆରବିଆଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

Leave A Reply