www.samajalive.in
Saturday, December 6, 2025
15.1 C
Bhubaneswar

୩.୬୧%କୁ କମିଲା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ : ଫେବୃଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୭ ମାସର ସର୍ବନିମ୍ନ ସ୍ତର ୩.୬୧%କୁ ହ୍ରାସ ପାଇଛି। ଜାନୁଆରୀରେ ଏହା ୪.୩୧ ପ୍ରତିଶତ ଥିଲା। ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଧାର୍ଯ୍ୟ ଲକ୍ଷ୍ୟ ୨-୬% ମଧ୍ୟରେ ରହିଛି। ଫଳରେ ସକଳ ଘରୋଇ ଉତ୍ପାଦ ଅଭିବୃଦ୍ଧିକୁ ଗତି ଦେବା ପାଇଁ ଏପ୍ରିଲରେ ଅନୁଷ୍ଠିତ ହେବାକୁ ଥିବା ଆର୍‌ବିଆଇ ମୁଦ୍ରା ନୀତି କମିଟି ବୈଠକରେ ସୁଧ ହାର ହ୍ରାସ କରିବାରେ ସହାୟକ ହେବ। ମୁଖ୍ୟତଃ ପରିବା, ଅଣ୍ଡା, ମାଛ, ମାଂସ, ଡାଲି ଓ ଦୁଗ୍ଧଜାତ ଉତ୍ପାଦ ଦର କମିବାରୁ ଖାଦ୍ୟ ମୁଦ୍ରାସ୍ଫୀତି ହ୍ରାସ ପାଇଛି। ଜାନୁଆରୀ ତୁଳନାରେ ଫେବୃଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୬୫ ବେସିସ୍‌ ପଏଣ୍ଟ ହ୍ରାସ ପାଇ ୨୦୨୪ ଜୁଲାଇ ପରର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ସେହିପରି ଭାରତର ଶିଳ୍ପ ଉତ୍ପାଦନ ଅଭିବୃଦ୍ଧି ଜାନୁଆରୀ ତୁଳନାରେ ଫେବୃଆରୀରେ ବାର୍ଷିକ ୫% ଅଭିବୃଦ୍ଧି ହାସଲ କରିଛି। ୨୦୨୪ ଡିସେମ୍ବରରେ ଏହା ମାତ୍ର ୩.୨ ପ୍ରତିଶତ ଥିଲା। ଖାଦ୍ୟ ମୂଲ୍ୟ, ଯାହା ଖୁଚୁରା ମୁଦ୍ରାସ୍ଫୀତି ଉପରେ ଅର୍ଦ୍ଧାଧିକ ପ୍ରଭାବ ପକାଇଥାଏ, ସମଗ୍ର ମୁଦ୍ରାସ୍ଫୀତିକୁ ହ୍ରାସ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଜାନୁଆରୀରେ ଖାଦ୍ୟ ମୁଦ୍ରାସ୍ଫୀତି ୫.୯୭% ଥିବାବେଳେ ଫେବୃଆରୀରେ ୩.୭୫ ପ୍ରତିଶତକୁ ହ୍ରାସ ପାଇଛି। ୨୦୨୩ ମେ’ ପରେ ଏହା ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି। ଗ୍ରାମାଞ୍ଚଳରେ ଖାଦ୍ୟ ମୁଦ୍ରାସ୍ଫୀତି ୪.୦୬% ଥିବାବେଳେ ସହରାଞ୍ଚଳରେ ମାତ୍ର ୩.୨୦% ରହିଛି। ଗ୍ରାମାଞ୍ଚଳରେ ଉଭୟ ଖୁଚୁରା ମୁଦ୍ରାସ୍ଫୀତି ଓ ଖାଦ୍ୟ ମୁଦ୍ରାସ୍ଫୀତି ଉଲ୍ଲେଖନୀୟଭାବେ ହ୍ରାସ ପାଇଛି। ଗ୍ରାମାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ଜାନୁଆରୀରେ ୪.୫୯% ଥିବାବେଳେ ଫେବୃଆରୀରେ ୩.୭୯%କୁ ହ୍ରାସ ପାଇଛି। ସେହିପରି ଖାଦ୍ୟ ମୁଦ୍ରାସ୍ଫୀତି ୬.୩୧%ରୁ ୪.୦୬%କୁ ହ୍ରାସ ପାଇଛି। ସହରାଞ୍ଚଳରେ ମଧ୍ୟ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଇଛି। ଜାନୁଆରୀରେ ଏହା ୩.୮୭% ଥିବାବେଳେ ଫେବୃଆରୀରେ ୩.୩୨%କୁ ହ୍ରାସ ପାଇଛି। ଖାଦ୍ୟ ମୁଦ୍ରାସ୍ଫୀତି ମଧ୍ୟ ୫.୫୩%ରୁ ୩.୨୦%କୁ ଖସିଛି। ଅନ୍ୟପକ୍ଷରେ ଭାରତର ଶିଳ୍ପ ଉତ୍ପାଦନ ଜାନୁଆରୀରେ ଆଶାଠାରୁ ଅଧିକ ଶକ୍ତିଶାଳୀ ପ୍ରଦର୍ଶନ ଦେଖାଇଛି। ୨୦୨୪ ଡିସେମ୍ବରରେ ଏହା ୩.୨ ପ୍ରତିଶତ ତୁଳନାରେ ୨୦୨୫ ଜାନୁଆରୀରେ ବାର୍ଷିକ ହାରରେ ୫ ପ୍ରତିଶତ ବୃଦ୍ଧି ପାଇଛି। ଉତ୍ପାଦନ ଏବଂ ଖଣି କ୍ଷେତ୍ରରେ ଦୃଢ଼ ପ୍ରଦର୍ଶନ ଦ୍ୱାରା ଏହି ଅଭିବୃଦ୍ଧି ହାସଲ ହୋଇଛି। ଗତ ମୁଦ୍ରା ନୀତି କମିଟି ବୈଠକରେ ଅର୍ଥନୈତିକ ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ଆର୍‌ବିଆଇ ସୁଧ ହାରକୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୬.୨୫ ପ୍ରତିଶତ କରିଥିଲା। ମୁଦ୍ରାସ୍ଫୀତି ହ୍ରାସ ପାଉଥିବାରୁ ୨୦୨୫ ଏପ୍ରିଲରେ ଆର୍‌ବିଆଇର ପରବର୍ତ୍ତୀ ଦ୍ୱିମାସିକ ନୀତି ବୈଠକରେ ସୁଧ ହାର ହ୍ରାସ ହୋଇପାରେ। ଫଳରେ ଋଣ ଏବଂ ନିବେଶ ବୃଦ୍ଧି ପାଇବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories