କଲ୍ୟାଣସିଂହପୁର: ବାରମ୍ବାର ଦାବି ସତ୍ତ୍ବେ ଶୁଣିଲାନି ପ୍ରଶାସନ ଏଣୁ ଅସ୍ଥାୟୀ କାଠପୋଲ ତିଆରି କଲେ ଗ୍ରାମବାସୀ। ଏହି ଘଟଣା ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରୀ ପଞ୍ଚାୟତ କାଙ୍ଗସେରୀ ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମକୁ ଯିବା ପାଇଁ କଲ୍ୟାଣୀ ନଦୀ ପାର କରିବାକୁ ପଡୁଛି। ବର୍ଷାଦିନେ ଗ୍ରାମବାସୀ ଯାତାୟାତ ନିମନ୍ତେ ନାହିଁନଥିବା ହଇରାଣ ହୋଇଥାନ୍ତି। କାଙ୍ଗସେରୀ ଗ୍ରାମର ୩୨ ପରିବାର ଉକ୍ତ ରାସ୍ତା ଉପରେ ବର୍ଷବର୍ଷ ଧରି ନିର୍ଭରଶୀଳ। ପ୍ରତିଦିନ ବିଭିନ୍ନ କାମରେ ପଞ୍ଚାୟତ ସଦରମହକୁମା ଓ ବିଦ୍ୟାଳୟକୁ ନଦୀ ଭିତର ଦେଇ ଗ୍ରାମବାସୀଙ୍କୁ ଯିବାକୁ ପଡୁଛି।
କାଙ୍ଗସେରି ଗ୍ରାମ ଠାରୁ ସିଙ୍ଗାରି ପଞ୍ଚାୟତ ଯିବାକୁ ହେଲେ ନାଗାବଳି ନଦୀ ପାର ହୋଇ ଏକ କିମି ଯିବାକୁ ପଡୁଛି; ନଚେତ ପ୍ରାୟ ୧୫କିମି ବୁଲି ବୁଲି ଯିବାକୁ ପଡେ। ପୂର୍ବରୁ ସେହି ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ରହିଥିଲା । ବର୍ତ୍ତମାନ ତାହା ବନ୍ଦ କରି ଦିଆଯାଇଛି। ଗ୍ରାମବାସୀ ବରାବର ବ୍ଲକ ଓ ଜିଲା ପ୍ରଶାସନ ନିକଟରେ ପୋଲ ନିର୍ମାଣ ପାଇଁ ଅନୁରୋଧ କରି ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ। କିଛିମାସ ତଳେ ପୋଲ ନିର୍ମାଣ ନିମନ୍ତେ ମାଟି ପରୀକ୍ଷା କରି ଚୁପ ବସିଛି ପ୍ରଶାସନ ବୋଲି କହିଛନ୍ତି ଗ୍ରାମର ଲଷ୍ମଣ ବାଗ।
ସାତ ବର୍ଷ ହେଲାଣି ପ୍ରତ୍ୟେକ ବର୍ଷ ଗ୍ରାମବାସୀ ମିଳିତ ହୋଇ ଉକ୍ତ ନଦୀରେ ଅସ୍ଥାୟୀ କାଠ ପୋଲ ନିର୍ମାଣ କରି ଆସୁଛନ୍ତି। ଆଜି ପୁଣିଥରେ ଗ୍ରାମବାସୀ ଶ୍ରମଦାନ କରି କାଠପୋଲ ନିର୍ମାଣ କରିଛନ୍ତି ବୋଲି ଗ୍ରାମର ହୁଇକା ରୁପା, ଜାଗଲି ହୁଇକା, ଗୌରବ କୌଶଲ୍ୟା, ସିଦାସ କୌଶଲ୍ୟା, ଲାଞ୍ଜି ବିଦ୍ରାକା ପ୍ରକାଶ କରିଛନ୍ତି।



