ରାୟଗଡ଼ା: ଅନିୟମିତ ବର୍ଷା ତଥା ଚେକ୍ ଡ୍ୟାମରେ ଜଳସେଚନ ସୁବିଧା ନ ବାରୁ ଚାଷୀ ଦହଗଞ୍ଜ ହେଉଥିଲେ। ଏହି ସମସ୍ୟା ଦୂର ପାଇଁ ଜିଲା ଉଠାଜଳସେଚନ ପ୍ରକଳ୍ପ ବିଭାଗ ପକ୍ଷରୁ ସୌର ଜଳ ପ୍ରକଳ୍ପ ନିର୍ମାଣ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏଥିପାଇଁ ଅନୁସୂଚିତ ଜାତି ଜନଜାତିଙ୍କ ନିମନ୍ତେ ୧୦ ହଜାର ଓ ସାଧାରଣ ବର୍ଗଙ୍କ ପାଇଁ ଏକ ନିର୍ଦିଷ୍ଟ ବ୍ୟାଙ୍କ୍ରେ ୨୦ ହଜାର ଟଙ୍କା ଜମା କରିବାକୁ ଚାଷୀଙ୍କୁ କୁହାଯାଇଥିଲା। ନିଜ ନିଜ ଜମିରେ ଚାଷ ତଥା ଜଳସେଚନ ସୁବିଧା ପାଇଁ ଜିଲାର ପ୍ରାୟ ୫ ହଜାରରୁ ଅଧିକ ଚାଷୀ ବ୍ୟାଙ୍କରେ ଟଙ୍କା ଜମା କରିଥିଲେ । କିନ୍ତୁ ଜମା କରିବାର ପ୍ରାୟ ଦେଢ଼ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ସୌର ଜଳ ପ୍ରକଳ୍ପ ଚାଷୀଙ୍କ ନିକଟରେ ପହଞ୍ଚି ପାରି ନାହିଁ I
ରବି ତଥା ଖରିଫ ଋତୁରେ ଜଳସେଚନ ଅଭାବରୁ ଚାଷକାର୍ଯ୍ୟ ବ୍ୟାଘାତ ହେଉଥିବାବେଳେ ଉଠା ଜଳସେଚନ ବିଭାଗର ଏହି ସୌର ଜଳ ପ୍ରକଳ୍ପକୁ ନେଇ ଚାଷୀକୁଳ ଆଶା ବାନ୍ଧି ଥିଲା । କିନ୍ତୁ ଅନେକ ବର୍ଷ ବିତି ଯାଇଥିଲେ ମଧ୍ୟ ଚାଷୀଙ୍କ ଜମିରେ ସୌର ଜଳପ୍ରକଳ୍ପ ହୋଇପାରିନଥିବାରୁ ଜିଲାର ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ବ ଚାଷୀ ହତାଶ ହୋଇଛନ୍ତି ।
ସଦର ମହକୁମା ରାୟଗଡ଼ା ଜିଲାରେ ଅତଡ଼ା, ବିଲେସୁ ଆଚବା, ଗଯୀ ଗାଁର ବହୁ ଗରିବ ଚାଷୀ ବ୍ୟାଙ୍କ୍ରେ ଟଙ୍କା ଜମା କରିଥିଲେ ମଧ୍ୟ ସମ୍ପୃକ୍ତ ବିଭାଗର ଉଦାସୀନତା ଯୋଗୁଁ ଚାଷୀ ଜଳସେଚନ ସମସ୍ୟା ଭୋଗୁଛନ୍ତି ବୋଲି ଚାଷୀ ଏନ୍ ବେଣୁ ଗୋପାଳ, ରାମା ରାଓ, ଏନ୍ ନାଗଭୂଷଣ କହିଛନ୍ତି। ଅନ୍ୟପଟେ ଚାଷୀଙ୍କୁ ସୁବିଧା ଯୋଗାଇ ଦେବାକୁ ପ୍ରଥମେ ଏକ ନିର୍ଦିଷ୍ଟ କମ୍ପାନୀକୁ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ପରେ ସେହି କମ୍ପାନୀ ଓହରିଯିବାରୁ ଅନ୍ୟ ଏକ ଠିକା ସଂସ୍ଥା ଦ୍ବାରା ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପଣ୍ଡା କହିଛନ୍ତି।



