ସୋରିଷ ତେଲ: କରୋନା ବିରୋଧରେ ସିଲିଗୁଡ଼ି ପୁଲିସର ବ୍ରହ୍ମାସ୍ତ୍ର
କଲକତା: କରୋନାକୁ ନିପାତ କରିବ ସୋରିଷ ତେଲ । ପଶ୍ଚିମବଙ୍ଗର ସିଲିଗୁଡ଼ି ପୁଲିସ କମିଶନରେଟ ପକ୍ଷରୁ ସମସ୍ତ ପୁଲିସ କର୍ମଚାରୀଙ୍କ ନିମନ୍ତେ ଜାରି ହୋଇଛି ସୋରିଷ ତେଲ ବ୍ୟବହାର ନିର୍ଦେଶନାମା । କେବଳ ସେତିକି ନୁହେଁ, ପୁଲିସ କ୍ୟାଣ୍ଟିନରେ ସମସ୍ତ ଖାଦ୍ୟ ସୋରିଷ ତେଲରେ ପ୍ରସ୍ତୁତ କରାଯାଉଛି ଏବଂ ଆଳୁ ଭର୍ତାରେ କଞ୍ଚା ସୋରିଷତେଲ ବ୍ୟବହାର ନିମନ୍ତେ ନିର୍ଦେଶ ଦିଆଯାଇଛି । କମିଶନରେଟ ପୁଲିସ ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟକୁ ଆସିବା ପୂର୍ବରୁ ନାକର ଦୁଇ ପୁଡ଼ାର ଭିତର ପାର୍ଶ୍ବରେ କଞ୍ଚା ସୋରିଷ ତେଲ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସିଲିଗୁଡ଼ିର କୌଣସି ପୁଲିସ କର୍ମଚାରୀ ଏଯାଏ କରୋନା ସଂକ୍ରମିତ ହୋଇନାହାନ୍ତି ।
ଶିଲିଗୁଡ଼ି ପୁଲିସର ଜଣେ ବଡ଼ ଅଧିକାରୀ କରୋନା ବିରୋଧ ଲଢ଼େଇରେ ସୋରିଷ ତେଲକୁ ବଡ଼ ଅସ୍ତ୍ର ବୋଲି କହିଛନ୍ତି । ଦୈନିକ ବ୍ୟବହାରରେ ସୋରିଷ ତେଲକୁ ପ୍ରାଧାନ୍ୟ ଦେବାକୁ ନିର୍ଦେଶ ଦିଆଯାଇଥିବା ଉଲ୍ଲେଖ କରି ଗରମ ଭାତରେ କଞ୍ଚା ସୋରିଷ ତେଲ ମିଶାଇ ଖାଇବାକୁ, ଆଳୁ ଭର୍ତା ଓ ସାଲାଡ଼ରେ ସୋରିଷ ତେଲ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିବା କହିଛନ୍ତି ।
ସିଲିଗୁଡ଼ି ପୁଲିସ କମିଶନର ତ୍ରିପୁରାରୀ ଅଥର୍ବ ଏ ସମ୍ପର୍କରେ ମାର୍ଗଦର୍ଶିକା ଜାରି କରିଛନ୍ତି । ସେ କହିଛନ୍ତି ଯେ ସୋରିଷ ତେଲ ଖାଦ୍ୟରେ ବ୍ୟବହାର କରିବା ଏବଂ ନାକରେ ପକାଇବା ଦ୍ବାରା ପୁଲିସ କର୍ମଚାରୀଙ୍କୁ ଫୁର୍ତି ରହୁଛନ୍ତି । ପୁଲିସ କର୍ମଚାରୀମାନେ କରୋନା ଲଢ଼େଇରେ ଛାମୁଆଁ ଯୋଦ୍ଧା ଅଟନ୍ତି । ସେମାନଙ୍କ ସୁରକ୍ଷା ଆମମାନଙ୍କ ଦାୟିତ୍ବ । ସେହିପରି ସିଲିଗୁଡ଼ି ପୁଲିସ ଡ଼େପୁଟି କମିଶନର ନିମା ନୋର୍ବୁ ଭୁତିଆ ସୋରିଷ ତେଲ ବ୍ୟବହାର କରୋନା ଯୋଦ୍ଧା ରୂପେ କାମ କରୁଥିବା ପୁଲିସମାନଙ୍କ କ୍ଷେତ୍ରରେ ପ୍ରଭାବଶାଳୀ ହୋଇଥିବା କହିଛନ୍ତି । ସିଲିଗୁଡ଼ି ପୁଲିସ କମିଶନରେଟର ସମସ୍ତ ପୁଲିସ କର୍ମଚାରୀଙ୍କୁ ଏହାକୁ ପାଳନ କରିବାକୁ କୁହାଯାଇଛି ଓ ମହାମାରୀ ମୁକାବିଲା କ୍ଷେତ୍ରରେ ସୋରିଷ ତେଲ ଉପାଦେୟ ବୋଲି ମନେ କରାଯାଉଛି ।
Comments are closed.