www.samajalive.in
Monday, December 15, 2025
27.1 C
Bhubaneswar

ସ୍ନାନ ପୂର୍ଣ୍ଣିମା ପୂର୍ବରୁ ସରିବ ରତ୍ନଭଣ୍ଡାର ମରାମତି : ଏଏସ୍‌ଆଇ

କଟକ : ଶ୍ରୀମନ୍ଦିର ରତ୍ନଭଣ୍ଡାର କମିସନ ରିପୋର୍ଟ ସାର୍ବଜନୀନ କରିବା ସମ୍ପର୍କିତ ମାମଲାର ଶୁଣାଣି ସୋମବାର ଉଚ୍ଚ ନ୍ୟାୟାଳୟରେ ହୋଇଥିଲା। ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଗଠିତ ଜଷ୍ଟିସ୍‌ ରଘୁବୀର ଦାଶ କମିସନଙ୍କ ରିପୋର୍ଟ ବିଧାନସଭା ତଥା କ୍ୟାବିନେଟ୍‌ ବୈଠକରେ ଦାଖଲ ହେବ। ଏଥିପାଇଁ ରାଜ୍ୟ ସରକାର ଉଚ୍ଚ ନ୍ୟାୟାଳୟରେ ଦୁଇ ମାସ ସମୟ ମାଗିଛନ୍ତି। ସେହିଭଳି ସ୍ନାନ ପୂର୍ଣ୍ଣିମା ପୂର୍ବରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବ ବୋଲି ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା  ସୋମବାର ଅଦାଲତଙ୍କୁ ଅବଗତ କରିଛନ୍ତି। ରତ୍ନଭଣ୍ଡାରରୁ ମହାପ୍ରଭୁଙ୍କ ଅଳଙ୍କାର ସ୍ଥାନାନ୍ତର ହୋଇଥିଲାବେଳେ ଏହାର ଗଣତିମଣତି କାର୍ଯ୍ୟ ନହେବାକୁ ନେଇ ଆବେଦନକାରୀଙ୍କ ପକ୍ଷରୁ ଏକ ମିସ‌ କେସ‌୍‌ ରୁଜୁ କରାଯାଇଥିଲା। କ’ଣ ପାଇଁ ଗଣତି ମଣତି କାର୍ଯ୍ୟ କରାଯାଉ ନାହିଁ ତାହା ଉପରେ ସ୍ପଷ୍ଟୀକରଣ ରଖିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ଏହି ଜବାବ ପରେ ହାଇକୋର୍ଟ ମାମଲାର ଶୁଣାଣି ଆସନ୍ତା ମେ’ ୧୫ ତାରିଖକୁ ଧାର୍ଯ୍ୟ ହୋଇଛି। ସମାଜସେବୀ ଦିଲୀପ କୁମାର ବରାଳଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ହରିଶ୍‌‌ ଟଣ୍ଡନ୍‌ ଏବଂ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦେଶ ଦେଇଛନ୍ତି । ୨୦୧୮ ମସିହାରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିଥିବା ଜଣାପଡ଼ିଥିଲା। ଭିତର ରତ୍ନଭଣ୍ଡାର ମରାମତି ପାଇଁ ଚାବି ଖୋଜା ପଡ଼ିଥିଲେ ମଧ୍ୟ ଚାବି ମିଳିନଥିଲା। ଜିଲା ଟ୍ରେଜେରିରେ ଚାବି ନଥିବା ପୁରୀର ତତ୍କାଳୀନ ଜିଲାପାଳ କହିବା ପରେ ଆଲୋଡନ ସୃଷ୍ଟି ହୋଇଥିଲା; କିନ୍ତୁ ପରେ ଜିଲା ରେକର୍ଡ଼ ରୁମ୍‌ରେ ଏକ ଡୁପ୍ଲିକେଟ୍‌ ଚାବି ଜଉମୁଦ ଲଫାପାରେ ରହିଥିବା ଜିଲାପାଳ କହିଥିଲେ। ଏହାକୁ ନେଇ ସନ୍ଦେହ ହେବାରୁ ଜଷ୍ଟିସ୍‌ ରଘୁବୀର ଦାଶଙ୍କ ଅଧ୍ୟକ୍ଷତାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ୨୦୧୮ ଜୁନ୍‌‌ରେ ଏକ ତଦନ୍ତ କମିସନ ବସାଇଥିଲେ। ସେହିବର୍ଷ ନଭେମ୍ବର ୨୯ରେ କମିସନ ତାଙ୍କ ରିପୋର୍ଟ ଗୃହ ବିଭାଗକୁ ଦେଇଥିଲେ; ମାତ୍ର ରାଜ୍ୟ ସରକାର ଉକ୍ତ ରିପୋର୍ଟକୁ ସର୍ବସାଧାରଣଙ୍କ ନିମନ୍ତେ ପ୍ରକାଶ କରିନଥିଲେ। ଉକ୍ତ ରିପୋର୍ଟକୁ ରାଜ୍ୟ ସରକାର ବିଧାନସଭାରେ ଉପସ୍ଥାପନ କରିବାର ନିୟମ ରହିଥିଲେ ମଧ୍ୟ ଏହା କରା ନ ଯିବାରୁ ଆବେଦନକାରୀ ଶ୍ରୀ ବରାଳ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନୁପ କୁମାର ମହାପାତ୍ର ଏବଂ ହରପ୍ରିୟା ରାଉତରାୟ ମାମଲା ପରିଚାଳନା କରୁଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories