ପ୍ରକୃତ ହିତାଧିକାରୀଙ୍କ ରେସନ କାର୍ଡ କଟିବନି

ଭୁବନେଶ୍ବର : ଭୂତ ଓ ଅଯୋଗ୍ୟ ରେସନ କାର୍ଡ ହିତାଧିକାରୀ ଜାଣିବା ପାଇଁ ଇ-କେୱାଇସି ଅପଡେଟ୍‌ ଚାଲିଛି। କାର୍ଡ କଟିବା ନେଇ ହିତାଧିକାରୀଙ୍କ ମହଲରେ ଭୟ ଘାରିଛି। କମ୍ ରୋଜଗାର ଥିବା ଏବଂ ପ୍ରକୃତ ହିତାଧିକାରୀଙ୍କ କାର୍ଡ କଟିବ ନାହିଁ। କେନ୍ଦ୍ର ସରକାରଙ୍କ ନିର୍ଦେଶ ଏବଂ ମାର୍ଗଦର୍ଶିକ ଅନୁସାରେ ରାଜ୍ୟ ସରକାର ଇ-କେୱାଇସି ଅପଡେଟ୍‌ କରୁଛନ୍ତିଟ୍ଟ କିନ୍ତୁ ବିଜେଡି ସରକାର ଅମଳରେ ଓଏଏସ, ଡାକ୍ତର ଏବଂ ଇଞ୍ଜିନିୟର ଆଦି ବଡ଼ ଚାକିରି କରିଥିବା ଅନେକ ଲୋକ କାର୍ଡ ହାତେଇ ଥିଲେ। ଏମାନେ ସମସ୍ତେ ହେଉଛନ୍ତି ବିଜେଡିର ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭାରେ କହିଛନ୍ତି।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଖର୍ଚ୍ଚଦାବି ଗୃହରେ ଆଲୋଚନା ହୋଇଛି। ବିଭାଗ ପକ୍ଷରୁ ଉତ୍ତର ରଖି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ, ଇ-କେୱାଇସିରେ ଆୟକର ଦାଖଲ କରିଥିବା କେତେକ ହିତାଧିକାରୀ କାର୍ଡ ନେଇଥିବା ଜଣାପଡ଼ିଛି। ସେମାନଙ୍କ ତାଲିକା ପ୍ରସ୍ତୁତ ହୋଇଛି। ଅଧିକାରୀମାନେ ଘରକୁ ଘର ଯାଇ ଯାଞ୍ଚ କରିବା ପାଇଁ ଜିଲାପାଳଙ୍କୁ ତାଲିକା ଦିଆଯାଇଛି। ଆୟକର ଦାଖଲ କରିଥିବା ସମସ୍ତ ହିତାଧିକାରୀଙ୍କ କାର୍ଡ କଟିବ ନାହିଁ। ଯେଉଁମାନଙ୍କର କାର, କୋଠଘର, ଭଲ ଆୟ ଥିବା ଯାଞ୍ଚରୁ ସ୍ପଷ୍ଟ ହେଲେ କାର୍ଡ କାଟି ଦିଆଯିବ। ଗ୍ରାମାଞ୍ଚଳରେ ମାସିକ ଆୟ ୧୦ ହଜାର ଏବଂ ସହରାଞ୍ଚଳରେ ମାସିକ ଆୟ ୧୫ ହଜାର ଥିବା ହିତାଧିକାରୀଙ୍କୁ ଯୋଜନାରୁ ବାଦ ଦିଆଯିବ ବୋଲି କେନ୍ଦ୍ରୀୟ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ଦୈନିକ ମଜୁରି ବଢ଼ିଛି। ଏହି ମାନଦଣ୍ଡକୁ ଦେଖିଲେ ଅନେକ ହିତାଧିକାରୀ ବାଦ ପଡ଼ିବେ ବୋଲି ସରକାରୀ ଦଳର କିଛି ସଦସ୍ୟ ଏବଂ ବିରୋଧୀ ଦଳ ସଦସ୍ୟମାନେ ଅଭିଯୋଗ ଆଣିଛନ୍ତି। ସରକାର ଏହା ଉପରେ ଗୁରୁତର ସହ ବିଚାର କରୁଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟର ୯୬ ଲକ୍ଷ ୨୨ ହଜାର ୪୩୧ ପରିବାରରେ  ୩ କୋଟି ୨୬ ଲକ୍ଷ ୭ ହଜାର ୯୭୩ଜଣ ଯୋଗ୍ୟ ହିତାଧିକାରୀ ଉପକୃତ ହୋଇଛନ୍ତି।  ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧ ଲକ୍ଷ ୩୩ ହଜାର ୧୧ଜଣ ପରିବାରର ୪ଲକ୍ଷ ୨୦ ହଜାର ୯୦୭ଜଣ ଯୋଗ୍ୟ ହିତାଧିକାରୀ ଉପକୃତ ହେଉଛନ୍ତି। ହିତାଧିକାରୀଙ୍କୁ ୧୧ ହଜାର ୮୧୦ ସୁଲଭ ମୂଲ୍ୟ ଦୋକାନରେ ବାର୍ଷିକ ୨୨.୮୮ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ବିନା ମୂଲ୍ୟରେ ବଣ୍ଟନ କରାଯାଇଛି। ରେସନ କାର୍ଡକୁ ସ୍ବଚ୍ଛ ଓ ପାରଦର୍ଶୀ କରିବା ନିମନ୍ତେ ହିତାଧିକାରୀଙ୍କ ଇ-କେୱାଇସି କରାଯାଉଛି। ୧୧ ହଜାର ୮୧୦ଟି ଖାଉଟି ସୁଲଭ ମୂଲ୍ୟ ଦୋକାନରେ ଇ-କେୱାଇସି ଅପଡେଟ କରାଯାଉଛି। ମାର୍ଚ୍ଚ ୨୦ ସୁଦ୍ଧା ୩ କୋଟି ୧ ଲକ୍ଷ ୯୨ହଜାର ୩୨୭ହିତାଧିକାରୀଙ୍କ ଇ-କେୱାଇସି କରାଯାଇଛି। ରାଜ୍ୟ ବାହାରେ ଥିବା ୧ ଲକ୍ଷ ୩୯ ହଜାର ୪୯୩ ଜଣ ହିତାଧିକାରୀଙ୍କ ଇ-କେୱାଇସି ହୋଇଛି। ସୁତରାଂ ସମୁଦାୟ ୯୧ଧ ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ ହୋଇଛି। ଏହି ଯାଞ୍ଚ ଦ୍ବାରା ମାର୍ଚ୍ଚ ୨୪ ସୁଦ୍ଧା ୪ ଲକ୍ଷ ୩୧ ହଜାର ୮୪୬ଜଣ ମୃତ ହିତାଧିକାରୀ ଚିହ୍ନଟ ହୋଇଛି। ସେହିପରି ୨୪ ହଜାର ୧୨୨ଜଣ ଅଯୋଗ୍ୟ ରେସନ କାର୍ଡଧାରୀ ଯାହାଙ୍କର ପରିବାର ସଦସ୍ୟ ସଂଖ୍ୟା ୯୧ ହଜାର ୨୮୦ଙ୍କୁ ଚିହ୍ନଟ କରାଯାଇ ଯୋଜନାରୁ ବାଦ୍ ଦିଆଯାଇଛି।

ଇ-କେୱାଇସି ଅପଡେଟ ଆରମ୍ଭଠାରୁ ମାର୍ଚ୍ଚ ୨୪ ସୁଦ୍ଧା ୫ ଲକ୍ଷ ୨୩ ହଜାର ୧୨୬ ସଦସ୍ୟଙ୍କୁ ଖାଦ୍ୟ ସୁରକ୍ଷା ତଥ୍ୟାବଳୀରୁ ବାଦ୍ ଦିଆଯାଇଛି। ଏହାଦ୍ବାରା ମାସିକ ୯.୯୪କୋଟି ଟଙ୍କା ପାଣ୍ଠି ସଞ୍ଚୟ ହୋଇଛି। ବାଦ ଦିଆଯାଇଥିବା ସ୍ଥାନରେ ନୂଆ ଆବେଦନକାରୀଙ୍କୁ ସାମିଲ କରାଯିବ। ଏହି ଯୋଜନା ନିମନ୍ତେ ୨୦୨୫-୨୬ ଆର୍ଥିକ ବର୍ଷରେ ମୋଟ ୪୪୬.୦୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଅତି ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ୩୪୧ଟି ଖାଉଟି ସୁଲଭ ମୂଲ୍ୟ ଦୋକାନରେ ଇଣ୍ଟରନେଟ ନଥିବାରୁ ଇ-କେୱାଇସି କରାଯାଇଛି। ଗରିବ ଲୋକ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ପୋର୍ଟାଲ ଖୋଲାଯାଇଛି। ୬ଲକ୍ଷ ୮୫ ହଜାର ୨୧ଟି ଆବେଦନ ଆସିଛି, ଯାହାର ସଦସ୍ୟ ସଂଖ୍ୟା ୧୩ ଲକ୍ଷ ୮୬ ହଜାର ୩୯୯ ପଞ୍ଜିକୃତ ହୋଇଛି। ଶ୍ରମ ପୋର୍ଟାଲରେ ପଞ୍ଜିକୃତ ହୋଇଥିବା ୩ଲକ୍ଷ ୫ ହଜାର ୧୭୨ଜଣ ଯୋଗ୍ୟ ପ୍ରବାସୀ ଶ୍ରମିକଙ୍କୁ ଯୋଜନାରେ ସାମିଲ କରାଯାଇଛି।

Comments are closed.