ରଥଯାତ୍ରା ପ୍ରସ୍ତୁତି; ବଡ଼ଦାଣ୍ଡ ନଳାସଫା

ପୁରୀ : ଆରମ୍ଭ ହୋଇଛି ରଥଯାତ୍ରା ପ୍ରସ୍ତୁତି। ବଡ଼ଦାଣ୍ଡ ଦୁଇପାର୍ଶ୍ବ ନଳାରୁ ଆବର୍ଜନା ସଫା କରାଯାଉଛି। ପୌରସଂସ୍ଥା ପକ୍ଷରୁ ଜାଗୃତି ନାମକ ଏକ ସଂସ୍ଥାକୁ ନଳାସଫା ଦାୟିତ୍ବ ଦିଆଯାଇଛି। ଏହି କାର୍ଯ୍ୟରେ ୪୦ଜଣ ପରିମଳ କର୍ମଚାରୀ ଏବଂ ୨ଜଣ ସୁପରଭାଇଜର ନିୟୋଜିତ ହୋଇଛନ୍ତି। ଶ୍ରୀମନ୍ଦିର ସିଂହଦ୍ବାରଠାରୁ ମରିଚିକୋଟ୍‌ ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡ ଦୁଇପାର୍ଶ୍ବ ନଳାସଫା ଶେଷ ହୋଇଛି। ଗୁରୁବାର ମରିଚିକୋଟ୍‌ ଛକରୁ ଜନତା ସିନେମାହଲ୍‌ ପର୍ଯ୍ୟନ୍ତ ଗୋଟିଏ ପାର୍ଶ୍ବ ନଳା ସଫା କରାଯାଇଛି। ଚଳିତମାସ ୩୦ତାରିଖ ସୁଦ୍ଧା ବଡ଼ଦାଣ୍ଡ ଦୁଇପାର୍ଶ୍ବ ନଳା ସମେତ ବଡ଼ଶଙ୍ଖରୁ ବାଙ୍କିମୁହାଣ ପର୍ଯ୍ୟନ୍ତ ବଡ଼ନଳା ସଫେଇ କାର୍ଯ୍ୟ ଶେଷ କରାଯିବ ବୋଲି ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ ସୂଚନା ଦେଇଛନ୍ତି। ଏତଦ୍‌ବ୍ୟତୀତ ବାଙ୍କିମୁହାଣ ମଇଳାପାଣି ବିଶୋଧନ ପ୍ରକଳ୍ପକୁ ସଂଯୋଗ କରିଥିବା ଗଣମଲସାହି, ଧୋବାସାହି ଏବଂ ହେରାଗୋହିରୀସାହି ନଳା ସଫା କରାଯିବ। ସହରର ବିଭିନ୍ନ ସ୍ଥାନରେ ଥିବା ୨୫୨ ଛୋଟନଳା ସଫାକାର୍ଯ୍ୟ ଆରମ୍ଭ ହୋଇଥିବା ଶ୍ରୀ ଦାଶ ପ୍ରକାଶ କରିଛନ୍ତି। ସାହିବସ୍ତିରେ ଥିବା ନଳାରୁ ପଙ୍କ ଏବଂ ଅଳିଆ ସଫା କରାଯାଉଛି। ପରିମଳ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଇ ଦିଆଯାଇଛି। ଲକ୍‌ଡାଉନ କଟକଣା ଯୋଗୁଁ ଦୋକାନବଜାର ଗୁଡିକ ବନ୍ଦ ରହିଥିବାରୁ ରଥଯାତ୍ରାକୁ ଦୃଷ୍ଟିରେ ରଖି ଏବେ ନଳାସଫା କରିବା ସହଜ ବୋଲି ପୌର ଅଧିକାରୀ ପ୍ରକାଶ କରିଛନ୍ତି। ନଳାରୁ ବାହାର କରାଯାଇଥିବା ପଙ୍କ ଏବଂ ଅଳିଆ ଯଥାଶୀଘ୍ର ସ୍ଥାନାନ୍ତର ପାଇଁ ନିର୍ଦେଶ ଦିଆଯାଇଛି। ସ୍ନାନପୂର୍ଣ୍ଣିମା ପୂର୍ବରୁ ସବୁ ସାହି ଏବଂ ଛକଗୁଡ଼ିକରେ ରାସ୍ତା ଆଲୋକ ବ୍ୟବସ୍ଥା ଶେଷ କରିବାକୁ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦେଶ ଦିଆଯାଇଛି। ନଳାସଫା ଶେଷହେବା ପରେ ପୌରସଂସ୍ଥା ଅଧିନରେ ଥିବା ରାସ୍ତା ଗୁଡିକର ଆବଶ୍ୟକୀୟ ମରାମତି କରାଯିବ। ପୌରସଂସ୍ଥା ପକ୍ଷରୁ ରଥଯାତ୍ରା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଥିବା ଶ୍ରୀ ଦାଶ କହିଛନ୍ତି।

Comments are closed.