ବଳାତ୍କାର ଓ ହତ୍ୟା ମାମଲା : ୩ ସପ୍ତାହରେ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡାଦେଶ

0

ଇନ୍ଦୋର : ନାବାଳିକାଙ୍କୁ ବଳାତ୍କାର ମାମଲର ବିଚାରରେ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ଇନ୍ଦୋର ଜିଲାକୋର୍ଟ। ଇନ୍ଦୋରର ରାଜୱାଡାଠାରେ ମାତ୍ର ୪ ବର୍ଷର ନାବାଳିକାକୁ ବଳାତ୍କାର ଏବଂ ହତ୍ୟା ମାମଲାର ବିଚାର ମାତ୍ର ୩ ସପ୍ତାହ ମଧ୍ୟରେ ଶେଷ କରି ଅଭିଯୁକ୍ତ ନବୀନ ଗାଡ୍‍ଗେକୁ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି। ସଦ୍ୟ ସଂଶୋଧିତ ନାବାଳିକା ଯୌନ ଅପରାଧ ନିରୋଧ ଆଇନ (ପୋକ୍‍ସୋ)ର ବିଭିନ୍ନ ଧାରା ଅଧୀନରେ ନବୀନକୁ ଜିଲା କୋର୍ଟ ବିଚାରପତି ଦୋଷୀ ଘୋଷଣା କରି ଏହି ଦଣ୍ଡାଦେଶ ଦେଇଛନ୍ତି। ଏନେଇ ସେ ମାତ୍ର ୭ଟି କାର୍ଯ୍ୟ ଦିବସ ମଧ୍ୟରେ ଏହି ମାମଲାର ଶୁଣାଣି ଶେଷ କରିଛନ୍ତି। ଭାରତରେ କୌଣସି ବଳାତ୍କାର ମାମଲାରେ ଏହାକୁ ଦ୍ରୁତତମ ବିଚାର ଏବଂ ଅଭିଯୁକ୍ତଙ୍କୁ ଏତେ ସ୍ୱଳ୍ପ ସମୟ ମଧ୍ୟରେ ମୃତ୍ୟୁଦଣ୍ଡାଦେଶ ଦିଆଯିବାରେ ଏହା ପ୍ରଥମ ଘଟଣା ଭାବେ ବିବେଚନା କରାଯାଉଛି।
ଏପ୍ରିଲ ୨୦ ତାରିଖରେ ନାବାଳିକାଟିର ମୃତଦେହକୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ରାଜୱାଡାସ୍ଥିତ ଏକ ଅଟ୍ଟାଳିକା ନିକଟରୁ ଉଦ୍ଧାର କରାଯାଇଥିଲା। ଉକ୍ତ ଅଟ୍ଟାଳିକାରେ ନାବାଳିକାର ପରିବାର ବାସକରନ୍ତି। ଘଟଣା ଦିନ ଭୋର ସମୟରେ ଝିଅଟି ତା’ ମାତାପିତାଙ୍କ ନିକଟରେ ଶୋଇଥିବାବେଳେ ନିକଟସ୍ଥ ଅନ୍ୟ ଏକ ଗୃହରେ ଶୋଇଥିବା ନବୀନ ହଠାତ୍‍ ସେଠାରେ ପହଞ୍ଚିଥିଲା। ମାତାପିତାଙ୍କ ଅଜାଣତରେ ନାବାଳିକାଟିକୁ ସେ କୌଶଳ କରି ନେଇ ଆସିଥିଲା। ପରେ ସେ ତାକୁ ବଳାତ୍କାର ସହ ହତ୍ୟା କରିଥିବା ଜଣାପଡିଥିଲା। ନବୀନ ନାବାଳିକାଟିକୁ ପ୍ରାତଃ ୪ଟା୪୫ ମିନିଟ୍‍ ସମୟରେ ଅଟ୍ଟାଳିକାରୁ ବାହାରକୁ ନେଇ ଯାଉଥିବା ସିସିଟିଭି ଭିଡିଓରୁ ଜଣାପଡିବା ପରେ ଏପ୍ରିଲ ୨୧ରେ ନବୀନକୁ ଗିରଫ କରାଯାଇଥିଲା ବୋଲି ଇନ୍ଦୋରର ଉପପୁଲିସ ମହାନିର୍ଦେଶକ ଏଚ୍‍. ସି ମିଶ୍ର କହିଥିଲେ। ନବୀନ ନାବାଳିକାର ମା’ର ସମ୍ପର୍କୀୟ ଭାଇ ବୋଲି କୁହାଯାଉଛି। ସେ ଓ ପୀଡ଼ିତାର ପିତା ଇନ୍ଦୋର ରାସ୍ତାରେ ବେଲୁନ୍‍ ବିକନ୍ତି। ଘଟଣାପୂର୍ବ ଦିନ କୌଣସି କଥାକୁ କେନ୍ଦ୍ର କରି ପୀଡ଼ିତାର ମା’ଙ୍କ ସହିତ ନବୀନର ପାଟିତୁଣ୍ଡ ହୋଇଥିଲା। ଏହି କାରଣରୁ ନବୀନ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ଘଟାଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି।
ଉନ୍ନାଓ, ସୁରଟ ଏବଂ କଠୁଆ ବଳାତ୍କାର ମାମଲାକୁ ନେଇ ସମଗ୍ର ଦେଶରେ ଉଦ୍‍ବେଗ ପ୍ରକାଶ ପାଇଥିବାବେଳେ ଏହି ଘଟଣା ଦେଶବାସୀଙ୍କୁ ସ୍ତବ୍ଧ କରିଥିଲା। ନାବାଳିକାଟିର ଗୁପ୍ତାଙ୍ଗରେ ଗଭୀର କ୍ଷତ ଚିହ୍ନ ରହିଥିବାରୁ ହତ୍ୟା ପୂର୍ବରୁ ତାକୁ ବଳାତ୍କାର କରାଯାଇଥାଇପାରେ ବୋଲି ଇନ୍ଦୋରସ୍ଥିତ ଏମ୍‍ ୱାଇ ହସ୍ପିଟାଲ ଶବବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ କରିଥିଲା। ବଳାତ୍କାର ପରେ ନବୀନ ନାବାଳିକାଟିକୁ ଖୁବ୍‍ ଉଚ୍ଚ ସ୍ଥାନରୁ ଫିଙ୍ଗି ଦେବାରୁ ତା’ର ମୃତ୍ୟୁ ଘଟିଥିବା ତଦନ୍ତରୁ ଜଣାପଡିଥିଲା। ଏହି ଘଟଣାରେ ନାବାଳିକାର ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଆଧାରରେ ଏଫ୍‍ଆଇଆର୍‍ ରୁଜୁ କରିବାରେ ଅବହେଳା କରିଥିବା ଅଭିଯୋଗରେ ସରଫା ଥାନାର ଜଣେ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।
ଶିଶୁକନ୍ୟାକୁ ବଳାତ୍କାର ଭଳି ଜଘନ୍ୟ ଅପରାଧ ଘଟାଇଥିବାରୁ ନବୀନ ସପକ୍ଷରେ କୋର୍ଟରେ ମାମଲା ପରିଚାଳନା ନ କରିବାକୁ ମଧ୍ୟପ୍ରଦେଶ ଓକିଲ ସଂଘ ପକ୍ଷରୁ ସମସ୍ତ ଆଇନଜୀବୀଙ୍କୁ କୁହାଯାଇଥିଲା। ଏପରିକି ମାଜିଷ୍ଟ୍ରେଟ୍‍ଙ୍କ କୋର୍ଟକୁ ନିଆଯିବାବେଳେ ନବୀନକୁ ଉତ୍ତ୍ୟକ୍ତ ଲୋକେ ମାଡ଼ ମାରିଥିଲେ। ଜିଲାକୋର୍ଟ ବିଚାରପତି ଦଣ୍ଡାଦେଶ ଘୋଷଣା କରିବା ପରେ ନବୀନ ଭାଙ୍ଗି ପଡିଥିଲା। ନାବାଳିକା ସହିତ କିଛି କୁକାର୍ଯ୍ୟ କରି ନ ଥିବା ସେ କହଥିଲା। ଜାମ୍ମୁ କାଶ୍ମୀରର କଠୁଆଠାରେ ୮ ବର୍ଷ ବୟସ୍କ ନାବାଳିକାକୁ ଅପହରଣ, ଗଣବଳାତ୍କାର ଏବଂ ହତ୍ୟା ଘଟଣା ପରେ ଏଭଳି ଜଘନ୍ୟ ଅପରାଧ ଘଟାଇଥିବା ଅପରାଧୀଙ୍କୁ ତୁରନ୍ତ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ଦେଶବ୍ୟାପୀ ଦାବି ହୋଇଥିଲା। ଏହା ପରେ ନାବାଳିକାଙ୍କ ବାଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ନିମନ୍ତେ କେନ୍ଦ୍ର ସରକାର ପୋକ୍‍ସୋ ଆଇନରେ ସଂଶୋଧନ ସମ୍ବନ୍ଧୀୟ ଅଧ୍ୟାଦେଶ ଆଣିଥିଲେ। ଅଧ୍ୟାଦେଶଟିକୁ କେନ୍ଦ୍ର କ୍ୟାବିନେଟ୍‍ର ମଞ୍ଜୁରୀ ମିଳିବା ପରେ ସେଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିଥିଲେ। ଉଲ୍ଲେଖ ଯେ ୨୦୧୭ରେ ପାକିସ୍ତାନର ଜଣେ ୮ ବର୍ଷ ବୟସ୍କା ନାବାଳିକାକୁ ବଳାତ୍କାର ମାମଲାରେ ସେଠାକାର ଏକ କୋର୍ଟ ଅଭିଯୁକ୍ତକୁ ମାତ୍ର ୩୩ ଦିନ ମଧ୍ୟରେ ମୃତ୍ୟୁଦଣ୍ଡାଦେଶ ଦେଇ ଦୃଷ୍ଟାନ୍ତ ସୃଷ୍ଟି କରିଥିଲେ।

Leave A Reply